ଗ୍ରାହକଙ୍କୁ ସର୍ତକ ରହିବାକୁ କହିଲା ଷ୍ଟେଟ ବ୍ୟାଙ୍କ । SBI ନାଁରେ କୌଣସି ମେସେଜ ଆସିଲେ ତୁରନ୍ତ ସୂଚନା ଦେବାକୁ କହିଲା ବ୍ୟାଙ୍କ

23

ଦେଶରେ ଦିନକୁ ଦିନ ଅନଲାଇନ ଠକେଇ ବଢି ବଢି ଚାଲିଛି । ଯାହାକୁ ନେଇ ମଙ୍ଗଳବାର ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ନିଜ ଗ୍ରାହକଙ୍କ ପାଇଁ ଚେତାବନୀ ଜାରି କରିଛି । ବଢୁଥିବା ଅନଲାଇନ ଠକେଇକୁ ଦୃଷ୍ଟିରେ ରଖି ଏସବିଆଇ ଚେତାବନୀ ଦେଇ କହିଛି ଯେ, ଷ୍ଟେଟ ବ୍ୟାଙ୍କ ନାଁରେ ଗୋଟିଏ ଫର୍ଜି ଏସଏମଏସ ଗ୍ରାହକଙ୍କୁ ପଠାଯାଉଛି । ଏହି ମେସେଜ ପଠାଇ ଗ୍ରାହକଙ୍କୁ ତାଙ୍କର ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମଗାଯାଉଛି ।

ତେବେ ଏସବିଆଇ ସୂଚନା ଦେଇ କହିଛି, ବ୍ୟାଙ୍କ ପକ୍ଷରୁ ଏଭଳି କୌଣସି ସୂଚନା ଗ୍ରାହକଙ୍କୁ ମଗାଯାଇ ନାହିଁ । ଏପରିକି ଯଦି କୌଣସି ବ୍ୟକ୍ତି ଭୁଲରେ ନିଜର ବ୍ୟାଙ୍କ ତଥ୍ୟ ସେୟାର କରିଥାନ୍ତି ତେବେ ତୁରନ୍ତ ଏନେଇ ବ୍ୟାଙ୍କଙ୍କୁ ଜଣାଇ ଦେବା ଆବଶ୍ୟକ । ଏସବିଆଇ ଅନୁଯାୟୀ, ଯେଉଁ ମେସେଜ ଗ୍ରାହକ ମାନଙ୍କୁ ପଠାଯାଇଛି ସେଥିରେ କ୍ରେଡିଟ କାର୍ଡ ରିୱାର୍ଡ ପଏଣ୍ଟର ଅବଧି ନିର୍ଦ୍ଦିଷ୍ଟ ତାରିଖରେ ଶେଷ ହୋଇଯିବ ବୋଲି ଉଲ୍ଲେଖ କରାଯାଇଛି । ତେଣୁ ଏହି ରିୱାର୍ଡ ପଏଣ୍ଟକୁ ନଗଦ ଟଙ୍କାକୁ ବଦଳାଇବା ପାଇଁ କୁହାଯାଉଛି ।

ଏସବିଆଇ ଗ୍ରାହକଙ୍କୁ ଏଭଳି ଠକେଇରୁ ବଞ୍ଚିବା ପାଇଁ ବିଭିନ୍ନ ସୂଚନା ଦେଉଛି । ଏହାଛଡା ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ସେୟାର କରିଥାନ୍ତି ତେବେ ଏନେଇ ବ୍ୟାଙ୍କରେ ଯଥାଶୀଘ୍ର ସୂଚନା ଦିଅନ୍ତୁ । ଯାହାଦ୍ୱାରା ଆପଣ ଠକେଇର ଶିକାର ହେବାରୁ ବଞ୍ଚିତ ହେବେ ।