SBI ଗ୍ରାହକଙ୍କ ଡାଟା ଲିକ୍! ଆକାଉଣ୍ଟଧାରୀଙ୍କ ତଥ୍ୟ ଥିବା ସର୍ଭରରେ ପକାଯାଇନଥିଲା ପାସୱାର୍ଡ

131

ଭାରତର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଆମେରିକାର ଏକ ୱେବସାଇଟ ଟେକ ଫ୍ରେଞ୍ଚ ର ରିପୋର୍ଟ ମୁତାବିକ, ଷ୍ଟେଟ ବ୍ୟାଙ୍କର ସର୍ଭର ବିନା ପାସୱାର୍ଡରେ ଥିଲା । ଯାହାଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ବ୍ୟାଙ୍କ ତଥ୍ୟ ହାସଲ କରାଯାଇପାରିବ । ମୁମ୍ବାଇରେ ଥିବା ଷ୍ଟେଟ ବ୍ୟାଙ୍କର ଡାଟା ସେଣ୍ଟର ଏହି ସର୍ଭରରୁ ଗ୍ରାହକଙ୍କ ଡାଟା ବେଶ ସହଜରେ ହାସଲ କରିହେବ ।

ଏହି ଡାଟା ସେଣ୍ଟରରେ SBI Quickରେ ୨ ମାସର ତଥ୍ୟ ରଖାଯାଇଥିଲା । ଏସବିଆଇ କ୍ୱିକ୍ ଏଭଳି ଏକ ସିଷ୍ଟମ ଯେଉଁଠି ଗ୍ରାହକଙ୍କୁ ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମେସେଜ କିମ୍ବା କଲ ମାଧ୍ୟମରେ ସୂଚନା ଦିଆଯାଇଥାଏ । ତେବେ ଏହାର ସୁରକ୍ଷା ଉପରେ ଧ୍ୟାନ ନ ଦିଆଯିବା କାରଣରୁୁ ଏଥିରୁ ବେଶ ସହଜରେ ଡାଟା ହାସଲ କରାଯାଇପାରୁଛି ।

ରିପୋର୍ଟ ଅନୁଯାୟୀ, ଏହି ସର୍ଭର କେବେ ଠାରୁ ଏଭଳି ବିନା ପାସୱାର୍ଡରେ କାର୍ଯ୍ୟ କରୁଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଜଣେ ସିକ୍ୟୁରିଟି ରିସର୍ଚ୍ଚର ଷ୍ଟେଟ ବ୍ୟାଙ୍କର ଏହି ସର୍ଭର ବିନା ପାସୱାର୍ଡରେ ଥିବା ଜାଣିବା ପରେ ଟେକ ଫ୍ରେଞ୍ଚ ପକ୍ଷରୁ ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ।

ଏସବିଆଇ କ୍ୱିକରେ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇପାରନ୍ତି ଗ୍ରାହକ । ଶେଷ ୫ଟି ଟ୍ରାଞ୍ଜାକସନ ସହ ଏଟିଏମ କାର୍ଡ ମଧ୍ୟ ଏହି ସର୍ଭରରୁ ବନ୍ଦ କରାଯାଇପାରିବ । ତେବେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏହି ରିପୋର୍ଟ ଉପରେ କୌଣସି ବୟାନ ଜାରି କରାଯାଇନାହିଁ । ଏହାଛଡା ଏହି ଖବର ସାମ୍ନାକୁ ଆସିବା ପରେ ରାତାରାତି ଏହି ଡାଟାବେସକୁ ପାସୱାର୍ଡ ଦେଇ ସୁରକ୍ଷିତ କରିଛି ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ।