ଜମାକାରୀଙ୍କ ପାଇଁ ଏସବିଆଇ ଆଣିବ ଆଶ୍ୱସ୍ତି ! କମାଇବ ସର୍ବନିମ୍ନ ଜମାରାଶି ସୀମା

33

କନକ ବ୍ୟୁରୋ : ଜମାକାରୀଙ୍କ ପାଇଁ ଖୁବଶୀଘ୍ର ଆଶ୍ୱସ୍ତି ଆଣିଦେବ ଭାରତୀୟ ଷ୍ଟେଟ ବ୍ୟାଙ୍କ । ସଂଚୟ ଖାତାରେ ସର୍ବନିମ୍ନ ଜମାରାଶି ସୀମାକୁ କୋହଳ କରିପାରେ ଏସବିଆଇ । ଏନେଇ ସରକାରଙ୍କ ଚାପ ପରେ ସମୀକ୍ଷା କରୁଛି ଏସବିଆଇ । ବର୍ତ୍ତମାନ ସଂଚୟ ଖାତାରେ ମେଟ୍ରୋ ସହରରେ ୩ ହଜାର, ସହରାଂଚଳରେ ୨ ହଜାର ଓ ଗ୍ରାମାଂଚଳରେ ୧ ହଜାର ଟଙ୍କା ସର୍ବନିମ୍ନ ଜମା ରଖିବା ବାଧ୍ୟତାମୂଳକ ।

ଏହାଠାରୁ ଜମାରାଶି କମ୍ ହେଲେ ଫାଇନ ଆଦାୟ କରୁଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ମିଳିଥିବା ସୂଚନା ଅନୁସାରେ ୨୦୧୭ ଏପ୍ରିଲରୁ ନଭେମ୍ବର ମଧ୍ୟରେ ୧୭ଶହ ୭୨ କୋଟି ଟଙ୍କା ଫାଇନ ଆଦାୟ କରିଛି ଏସବିଆଇ । ତେବେ ଏନେଇ ଏସବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । କାରଣ ଦ୍ୱିତୀୟ ବିକଳ୍ପ ହିସାବରେ ଏସବିଆଇ ତ୍ରୈମାସିକ ଭାବେ ମିନିମମ ବାଲାନ୍ସ ନିୟମକୁ ବିଚାର କରିପାରେ । ଅର୍ଥାତ ବ୍ୟାଙ୍କ ନିର୍ଦ୍ଧାରଣ କରିଥିବା ସର୍ବନିମ୍ନ ଜମାରାଶି ତିନିମାସ ପର୍ଯ୍ୟନ୍ତ ଜମାଖାତାରେ ନଥିଲେ ଫାଇନ ଦେବାକୁ ପଡିବ ।

ସୂଚନାଯୋଗ୍ୟ ଏସବିଆଇ ଖାତାରେ ସର୍ବନିମ୍ନ ଜମା ନରଖିଲେ ଜରିମାନା ଦେବାକୁ ପଡିବ ବୋଲି ଏସବିଆଇ ନିର୍ଦ୍ଦେଶ ଦେଇଥିଲେ। ଗତ ପ୍ରାୟ ୭/୮ ମାସ ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ସର୍ବନିମ୍ନ ଜମାକୁ ନେଇ କଠୋର ହୋଇଥିଲା । ଯେଉଁ ଗ୍ରାହକମାନେ ସେମାନଙ୍କ ସଂଚୟ ଖାତାରେ ମାସିକ ହାରାହାରି ଜମା ନରଖିବେ ସେମାନଙ୍କଠାରୁ ବ୍ୟାଙ୍କ ଜରିମାନା ଆଦାୟ କରିବ ବୋଲି ନିଷ୍ପତ୍ତି ନେଇଥିଲା । ସଂଚୟ ଖାତା ପରିଚାଳନା ପାଇଁ ଯେଉଁ ଅର୍ଥ ବ୍ୟାଙ୍କକୁ ବହନ କରିବାକୁ ପଡୁଥିଲା ତାହାର କିଛି ଅଂଶ ଉଠାଇବା ଲାଗି ବ୍ୟାଙ୍କ ଏହି ନିୟମ ଲାଗୁ କରିଥିଲା ।