ଜମାଖାତାରେ ସର୍ବନିମ୍ନ ଜମା ନେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଣିଲା ନୂଆ ନିୟମ ! ଏଣିକି ନଗଦ ଜମା କରିବା ଉପରେ ବି ଲାଗିବ କଟକଣା

30

କନକ ବ୍ୟୁରୋ : ଦୀର୍ଘ ୫ ବର୍ଷ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପୁଣି ଥରେ ସର୍ବନିମ୍ନ ଜମା ନେଇ ନିୟମ ଆଣିଛି । ଏନେଇ ଏସବିଆଇ ଖାତାରେ ସର୍ବନିମ୍ନ ଜମା ନରଖିଲେ ଦେବାକୁ ପଡିବ ଜରିମାନା । ଯେଉଁ ଗ୍ରାହକମାନେ ସେମାନଙ୍କ ସଂଚୟ ଖାତାରେ ମାସିକ ହାରାହାରି ଜମା ନରଖିବେ ସେମାନଙ୍କଠାରୁ ବ୍ୟାଙ୍କ ଜରିମାନା ଆଦାୟ କରିବ ।

ସର୍ବନିମ୍ନ ଜମାକୁ ନେଇ ନୂଆ ନିୟମ ଏପ୍ରିଲ ୧ତାରିଖରୁ ଲାଗୁ ହେବ । ନିୟମ ଅନୁସାରେ ପ୍ରତିମାସରେ ତିନି ଥର ନଗଦ ଜମା ପାଇଁ କୌଣସି କଟକଣା ନାହିଁ । ଏହା ପରର ପ୍ରତି ଜମା ଉପରେ ୫୦ ଟଙ୍କା ସହ ଅତିରିକ୍ତ ସେବାକର ଦେବାକୁ ପଡିବ । ମାସିକ ହାରାହାରି ସର୍ବନିମ୍ନ ଜମା ରଖି ନପାରିଲେ ୧୦୦ ଟଙ୍କା ଓ ଅତିରିକ୍ତ ସେବା କର ଜରିମାନ ଭାବେ ବ୍ୟାଙ୍କକୁ ଦେବାକୁ ପଡିବ । ସେହିପରି ଏଟିଏମ ଉଠାଣ ଉପରେ ମଧ୍ୟ କଟକଣା ଲାଗିବ । ଅନ୍ୟ ବ୍ୟାଙ୍କ ଏଟିଏମରୁ ୩ ଥରରୁ ଅଧିକ ଟଙ୍କା ଉଠାଣ ହେଲେ ପ୍ରତିଥର ପାଇଁ ୨୦ ଟଙ୍କା ଓ ନିଜ ବ୍ୟାଙ୍କ ଏଟିଏମରୁ ୫ ଥରରୁ ଅଧିକ ଟଙ୍କା ଉଠାଣ ହେଲେ ପ୍ରତିଥରକୁ ୧୦ ଟଙ୍କା ଜରିମାନା ଦେବାକୁ ପଡିବ ।

ଅନ୍ୟପଟେ ଏସଏମଏସ ଆଲର୍ଟ ପାଇଁ ପ୍ରତି କ୍ୱାଟରରେ ୧୫ ଟଙ୍କା ନେବ ବ୍ୟାଙ୍କ । ସଂଚୟ ଖାତା ପରିଚାଳନା ପାଇଁ ଯେଉଁ ଅର୍ଥ ବ୍ୟାଙ୍କକୁ ବହନ କରିବାକୁ ପଡୁଛି ତାହାର କିଛି ଅଂଶ ଉଠାଇବା ଲାଗି ବ୍ୟାଙ୍କ ଏହି ନିୟମ ଲାଗୁ କରିବ । ପୂର୍ବରୁ ଏସ୍ବିଆଇ ଏହି ନିୟମକୁ କାର୍ଯ୍ୟକାରୀ କରୁଥିଲା । କିନ୍ତୁ ଗ୍ରାହକ ସଂଖ୍ୟା ବୃଦ୍ଧି ଉଦ୍ଦେଶ୍ୟରେ ୨୦୧୨ ଜୁଲାଇରେ ଏହି ନିୟମକୁ ଉଠାଇ ଦେଇଥିଲେ । ଏବେ ପୁଣି ଏହି ନିୟମ କାର୍ଯ୍ୟକାରୀ ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-