ଦୀପାବଳିରେ ଫୁଟିବନି ଚାଇନା ବାଣ ? ସୀମା ବିବାଦ ପରେ କମୁଛି ଭାରତୀୟଙ୍କ ଆଗ୍ରହ

34

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ପ୍ରସ୍ତୁତି । କିନ୍ତୁ ପ୍ରତିବର୍ଷ ଭଳି ଏଥର ବାଣ ବଜାରରେ ଆଉ ଚାଇନା ବାଣର ଚମକ ନାହିଁ । ଡୋକାଲାମ ବିବାଦ ପରେ ସତେ ଯେମିତି ସତର୍କ ହୋଇଯାଇଛନ୍ତି ସମସ୍ତେ । ପୂର୍ବରୁ କେତେକ ବ୍ୟବସାୟୀ ଚାଇନା ନିର୍ମିତ ଲାଇଟ,ଇଲେକ୍ଟ୍ରୋନିକସ ସାମଗ୍ରୀ ଓ ଖେଳଣା ଆଦିର ବିକ୍ରି ଉପରେ କଟକଣା ଲଗାଇଥିବା ବେଳେ ଏବେ ଚାଇନାବାଣ ବିକ୍ରି ମାନ୍ଦା ଅବସ୍ଥାରେ ରହିଛି । ଏଥର ଦୀପାବଳିରେ ଚୀନ୍ ସାମଗ୍ରୀ ବିକ୍ରି ବହୁତ କମିଯିବାର ଆଶଙ୍କା ରହିଛି ।
ଶିଳ୍ପ ସଂଘ ଆସୋଚାମ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ଚଳିତ ବର୍ଷ ଚୀନ୍ ନିର୍ମିତ ଆଲୋକ ସାମଗ୍ରୀ, ଉପହାର, ଲ୍ୟାମ୍ପ୍ ଏବଂ ଓ୍ଵାଲ୍ ହ୍ୟାଙ୍ଗିଙ୍ଗ୍ ବିକ୍ରି ପାଖାପାଖି ୪୫% କମିବ ବୋଲି ଆକଳନ କରାଯାଉଛି।

ଡୋକଲାମରେ ରାସ୍ତା ନିର୍ମାଣକୁ ନେଇ ଦେଖାଦେଇଥିବା ବିବାଦ ଯୋଗୁ ଭାରତ ଓ ଚୀନ ସମ୍ପର୍କ ଫିକା ପଡିଯାଇଥିଲା । ଭାରତରେ ଚୀନ ବିରୋଧୀ ସ୍ୱର ତୀବ୍ର ହୋଇଥିଲା । ଦେଶର କୋଣ ଅନୁକୋଣରେ ଚୀନ ବିରୋଧରେ ନାରବାଜି ଦେଇ ବିଭିନ୍ନ ସଂଗଠନ ସହ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇଥିଲେ । ଏପରିକି ଚୀନ ପ୍ରସ୍ତୁତ ସାମଗ୍ରୀର ବ୍ୟବହାର ନିଷେଧ ପାଇଁ ବିଭିନ୍ନ ମହଲରୁ ସରକାରଙ୍କ ଉପରେ ଚାପ ପଡିଥିଲା । ଅନେକ ସ୍ଥାନରେ ମଧ୍ୟ ବ୍ୟବସାୟୀ ପ୍ରତିଷ୍ଠାନଗୁଡିକ ଚୀନ ସାମଗ୍ରୀ ବିକ୍ରି ଉପରେ କଟକଣା ଜାରି କରିଥିଲେ ।

ସେତେବେଳେ ବି ଓଡିଶାରେ ବି ଚାଇନା ବିରୋଧୀ ସ୍ୱର ତେଜିବାରେ ଲାଗିଥିଲା । ଆଉ ଆଜି ବି ସେହି ଚାଇନା ବିରୋଧୀ ମନୋଭାବ ଜାରି ରହିଛି । ଦୀପାବଳୀ ପାଇଁ ବାଣ ବଜାରରେ ଗ୍ରାହକଙ୍କ ଭିଡ ଜମିଥିବା ବେଳେ ରେଶମ ସହରରେ ଗ୍ରାହକମାନେ ଚାଇନା ନିର୍ମିତ ବାଣକୁ ବ୍ୟବହାର କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । କେବଳ ଭାରତ ନିର୍ମିତ ବାଣ ବ୍ୟବହାର କରିବେ ବୋଲି କହିଛନ୍ତି ବ୍ରହ୍ମପୁରବାସୀ । ସେହିପରି ବାଣ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜଟଣୀ ସହରରେ ବି ଚାଇନା ବାଣ ଦେଖିବାକୁ ମିଳୁନାହିଁ । ଚାଇନା ବାଣକୁ ଗ୍ରାହକ ଓ ଦୋକାନୀ ଉଭୟ ପ୍ରତ୍ୟାକ୍ଷାନ କରିଛନ୍ତି ।

ଗତବର୍ଷ ଦୀପାବଳିରେ ୬୫୦୦ କୋଟି ଟଙ୍କାର ଚୀନ୍ ସାମଗ୍ରୀ ବିକ୍ରି ହୋଇଥିଲା। ସେଥି ମଧ୍ୟରୁ ଦୀପାବଳିରେ ଲୋକମାନେ କେବଳ ବ୍ୟବହାର ହେଉଥିବା ଖେଳନା, ଫେନସି ଲାଇଟ୍, ଉପହାର ସାମଗ୍ରୀ, ପ୍ଲାଷ୍ଟିକ୍ ତାର ଏବଂ ସାଜ୍ଜସଜା ସାମଗ୍ରୀ ୪୦୦୦ କୋଟି ଟଙ୍କାରେ ଖରିଦ କରିଥିଲେ।
ଚଳିତ ବର୍ଷ ଦେଶର ଲୋକମାନେ ଚୀନ୍ରେ ପ୍ରସ୍ତୁତ ଆକର୍ଷଣୀୟ ସାମଗ୍ରୀ ବଦଳରେ ଦେଶ ଭିତରେ ନିର୍ମାଣ କରାଯାଇଥିବା ଉତ୍ପାଦକୁ ଅଧିକ ପସନ୍ଦ କରିବେ। ମାଟି ଦୀପର ଚାହିଦା ଅଧିକ ରହିବ ବୋଲି ଆସୋଚାମ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି।

ବିଭିନ୍ନ ସହରରେ ଗ୍ରାହକମାନଙ୍କୁ ନେଇ ଆସୋଚାମ୍ ପକ୍ଷରୁ ସର୍ଭେ କରାଯାଇଥିଲା। ଅଧିକାଂଶ ରାଜ୍ୟରେ ଚୀନ୍ ସାମଗ୍ରୀର ବିକ୍ରି ୩୦% କମିବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଦୀପାବଳିରେ ଚୀନ୍ ସାମଗ୍ରୀ ଉପରେ ଭାରି ପଡ଼ିବ ସ୍ୱଦେଶୀ ସାମଗ୍ରୀ। ପ୍ରତିବର୍ଷ ଏହି ଉତ୍ସବ ସମୟରେ ଚୀନ୍ରେ ନିର୍ମାଣ କରାଯାଇଥିବା ଫେନ୍ସି ଲାଇଟ୍, ଲ୍ୟାମ୍ପ୍ସେଡ୍, ଗଣେଶ ଏବଂ ଲକ୍ଷ୍ମୀ ପ୍ରତିମା, ରଙ୍ଗୋଲି ଏବଂ ବାଣର ବହୁତ ଚାହିଦା ରହିଥାଏ।
ଆସୋଚାମ୍ର ସେକ୍ରେଟାରି ଜେନେରାଲ୍ ଡି ଏସ୍ ରାଓ୍ଵତ୍ କହିଛନ୍ତି ଯେ ଚୀନ୍ର ସାଜ୍ଜସଜା ସାମଗ୍ରୀ ବିକ୍ରି ଏଥର ୪୦-୪୫% କମିଯିବ। ମାତ୍ର ଚୀନ୍ର ମୋବାଇଲ୍ ଫୋନ୍ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି ସାମାନ୍ୟ ପ୍ରଭାବିତ ହେବ। ଚୀନ୍ରେ ନିର୍ମାଣ କରାଯାଇଥିବା ଏଲ୍ସିଡି, ମୋବାଇଲ୍ ଫୋନ୍ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣଗୁଡ଼ିକର ଚାହିଦା ୧୫-୨୦% କମ୍ ରହିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

ସର୍ଭେରେ ଭାଗ ନେଇଥିବା ଦୋକାନୀମାନେ କହିଛନ୍ତି ଯେ ଗ୍ରାହକମାନେ ମାଟି ଦୀପ ମାଗୁଛନ୍ତି। ସେମାନେ ଚୀନ୍ ସାମଗ୍ରୀ କିଣିବା ପାଇଁ ଏତେଟା ଆଗ୍ରହ ଦେଖାଉନାହାନ୍ତି। ଲୋକମାନେ ଏଥର ଦେଶ ଭିତରେ ତିଆରି ହୋଇଥିବା ବାଣକୁ ଅଧିକ ପସନ୍ଦ କରିବେ ବୋଲି ସର୍ଭେରୁ ଜଣାପଡ଼ିଛି।
ଆସୋଚାମ୍ ପକ୍ଷରୁ ଏହି ସର୍ଭେ ପାଇଁ ଅହମ୍ମଦାବାଦ, ବାଙ୍ଗାଲୋର, ଭୋପାଳ, ଚେନ୍ନାଇ, ଡେରାଡୁନ୍, ଦିଲ୍ଲୀ, ହାଇଦ୍ରାବାଦ, ଜୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇରେ ଥିବା ପାଇକାରୀ ବିକ୍ରେତା, ରିଟେଲର ଏବଂ ବ୍ୟବସାୟୀମାନଙ୍କ ସହ ଆଲୋଚନା କରାଯାଇଥିଲା।

ପୂର୍ବରୁ ଭାରତ –ଚାଇାନା ସମ୍ପର୍କ ସୁସ୍ଥ ଥିବା ବେଳେ ଭାରତ ବଜାରରେ ଚୀନ ସାମଗ୍ରୀର ସର୍ବାଧିକ ଆଦୃତ ଥିଲା । ଭାରତୀୟ ବଜାରରେ ଚୀନ ନିର୍ମିତ ସାମଗ୍ରୀ ଛାଇ ହୋଇଯାଇଥିଲା । ପତ୍ୟୋଖ ଘରେ ଘରେ ଦେଖିବାକୁ ମିଳୁଥିଲା ଚାଇନା ସାମଗ୍ରୀ । ଏବେ କିନ୍ତୁ ଲୋକେ ସଚେତନ ହୋଇଛନ୍ତି । ଚାଇନା ସାମଗ୍ରୀକୁ ସହ ଚାଇନା ବାଣକୁ ଇଚ୍ଛାକୃତ ଭାବେ ବର୍ଜନ କରିଛନ୍ତି ଭାରତବାସୀ ।