ହରହର ମହାଦେବଙ୍କ ଶ୍ରାବଣୀ ଲିଙ୍ଗରେ ପାଣି ଢାଳିଲେ କାଉଡିଆ : ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍

136

କନକ ବ୍ୟୁରୋ : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରାବଣ ସୋମବାରରେ କଟକ ଜିଲ୍ଲା ଆଠଗଡ ବାବା ଧବଳେଶ୍ୱରଙ୍କ ପୀଠରେ କାଉଡିଆମାନେ ଜଳାଭିଷେକ କରିଛନ୍ତି । ପ୍ରାତଃ ସକାଳ ପୂଜକ ସମାଜ ପକ୍ଷରୁ ମହାଦେବଙ୍କର ସମସ୍ତ ନୀତିକାନ୍ତି କରାଯିବା ପରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟା ଯାଇଥିଲା । ଏହାପରେ କାଉଡିଆମାନେ ମନ୍ଦିର ବେଢା ଭିତରେ ଥିବା ଶିବ ଲିଙ୍ଗରେ ଜଳ ଲାଗି କରିଥିଲେ । ଶାନ୍ତି ଶୃଙ୍ଖଳାର ସହ ଜଳାଭିଷେକ ଓ ଦର୍ଶନ ପାଇଁ ଦେବତୋର ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା ।

ଢେଙ୍କାନାଳ ଜିଲ୍ଲାର ପବିତ୍ର ଚନ୍ଦ୍ରଶେଖରଙ୍କ ପୀଠରେ ଶ୍ରାବଣ ମାସରେ ବୋଲବମ୍ କାଉଡିଆଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କାଉଡିଆ ଭକ୍ତ ମାନେ ରୀତି ଅନୁସାରେ ପୂଜା କରି ନୂତନ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କାଉଡ଼ି ଧରି ମନ୍ଦିରରେ ପହଂଚିଥିଲେ । ଏହାପରେ କପିଳାଶ ପାହାଡ ଚନ୍ଦ୍ରଶେଖରଙ୍କ ପୀଠରେ ପହଂଚି ମହାଦେବଙ୍କ ଲିଙ୍ଗରେ ଜଳଲାଗି କରିଛନ୍ତି ।

ଶ୍ରାବଣ ସୋମବାରରେ ଭଦ୍ରକର ବାବା ଆଖଣ୍ଡଳମଣୀଙ୍କ ପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ପାଣି ଭାର ଆଣିି ଆସିଥିବା କାଉଡିଆ ହରହର ମହାଦେବଙ୍କ ଶ୍ରାବଣୀ ଲିଙ୍ଗରେ ଜଳାଭିଷେକ କରିଛନ୍ତି । ଭୋର ୫ଟାରେ ବାବାଙ୍କ ପହଡ଼ ଖୋଲିବା ପରେ ବାବାଙ୍କର ନୀତିଦିନ ନୀତି କରାଯିବା ପରେ ବାବାଙ୍କୁ ବେଶଲାଗି କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିଥିଲା । ଏହାପରେ କାଉଡିଆମାନେ ଶ୍ରବଣୀ ମହାଦେବଙ୍କୁ ଜଳଲାଗି କରିଥିଲେ । ହଜାର ହଜାର କାଉଡ଼ିଆଙ୍କ ଭିଡ଼କୁ ଦେଖି ଜିଳ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଶ୍ରାବଣ ସୋମବାର ପାଇଁ ଉତ୍ସବ ମୁଖର ସୁବର୍ଣ୍ଣପୁର ସହର । ସହରର ତେଲନଦୀ, ମହାନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଙ୍ଗମରୁ ହଜାର ହଜାର ଶ୍ରଦ୍ଧାଳୁ ପାଣି ନେଇ ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ଜଳାଭିଷେକ କରିଛନ୍ତି । କାଉଡିଆମାନେ ଧାଡିିରେ ଯାଇ ବାବା ରାମେଶ୍ୱର, ଚନ୍ଦ୍ରଶେଖର, ସୁବର୍ଣ୍ଣମେରୁ, ଗୋକୁନେଶ୍ୱର, ପଶ୍ଚିମ ସୋମନାଥଙ୍କ ଉପରେ ପାଣି ଢାଳିଛନ୍ତି । ସେହିପରି ତ୍ରୀବେଣୀ ସଙ୍ଗମରୁ କାଉଡିଆମାନେ ପାଣି ନେଇ ଜିଲ୍ଲାର ଚରଦା କପିଳେଶ୍ୱର, ବୈଦନାଥ କୋଶଳେଶ୍ୱର, ଚମ୍ପାମାଳ ଚମ୍ପେଶ୍ୱର ଓ ଗୋଧନେଶ୍ୱ ପ୍ରାଚୀନ ଶୈବପୀଠ ହରହର ମହାଦେବଙ୍କ ଲିଙ୍ଗରେ ଢାଳିଛନ୍ତି ।

ମୁମ୍ବାଇର ବାବୁଲନାଥ ମନ୍ଦିରରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । କାହିଁ କେତେ ଦୂରରୁ ଭକ୍ତମାନେ ମହାଦେବଙ୍କ ଜଳାଭିଷେକ କରିବା ପାଇଁ ଆସିଛନ୍ତି । ତେବେ ଶୃଙ୍ଖଳିତ ଭାବେ ମନ୍ଦିରରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ମଧ୍ୟ ଘଂଟା ଘଂଟା ଧରି ଲାଇନରେ ଠିଆ ହୋଇ ମହାଦେବଙ୍କୁ ଜଳାଭିଷେକ କରିବା ସହ ଭଗବାଙ୍କୁ ନିଜର ମନସ୍କାମନା ଜଣାଇଥିଲେ । ଶ୍ରାବଣ ମାସରେ ହିଁ ଭଗବାନ ଶିବ ବିଷ ପାନ କରିଥିଲେ । ବିଷର ପ୍ରଭାବକୁ ଦୂର କରିବା ପାଇଁ କୋଟି କୋଟି ଦେବତା ତାଙ୍କର ଜଳାଭିଷେକ କରିଥିଲେ । ସେହିଦିନ ଠାରୁ ଶିବଙ୍କୁ ଜଳାଭିଷେକ କରାଯାଇଥାଏ ବୋଲି ମାନ୍ୟତା ରହିଛି ।

ସେହିପରି ଉତରପ୍ରଦେଶରେ ବିଭିନ୍ନ ସହରର ଶିବାଳୟରେ ଶ୍ରଦ୍ଧାଳୁଙ୍କ ସମାଗମ । ଶ୍ରାବଣ ବଣର ଦ୍ୱିତୀୟ ସୋମବାରରେ କାନପୁର, ଆଗ୍ରା, ଗୋରଖପୁର ଓ ଆହ୍ଲାବାଦର ଶିବ ମନ୍ଦିରରେ ଭକ୍ତମାନେ ମହାଦେବଙ୍କୁ ଜଳାଭିଷେକ କରିିଛନ୍ତି । ଭକ୍ତମାନେ ମହାଦେବଙ୍କୁ ପଂଚାମୃତରେ ଜଳାଭିଷେକ କରିବା ସହ ଦୁଦୁରରା ଫୁଲ ଓ ବେଲପତ୍ର ଦେଇ ପୂଜାର୍ଚ୍ଚନା କରିଛନ୍ତି । ଶ୍ରାବଣ ମାସରେ ଜଳାଭିଷେକ କଲେ ଲୋକଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।