ସାବିତ୍ରୀରେ ଆଠଗଡରୁ ଆସିଲା ରୋଚକ ଚିତ୍ର: ସଂଗରୋଧ କେନ୍ଦ୍ରରେ ସାବିତ୍ରୀ ପାଳିବାକୁ ପହଁଞ୍ଚିଲେ ମହିଳା; ସାମାଜିକ ଦୂରତା ରଖି ସ୍ୱାମୀଙ୍କୁ କଲେ ପୂଜାର୍ଚ୍ଚନା

1,685

କନକ ବ୍ୟୁରୋ: ଆଜି ସାବିତ୍ରୀ ବ୍ରତରେ ଆଠଗଡରୁ ଆସିଛି ରୋଚକ ଚିତ୍ର । ସଂଗରୋଧ କେନ୍ଦ୍ର ମହିଳା ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ସମସ୍ତେ ପାଳନ କରିଥିଲେ ସାମାଜିକ ଦୂରତା । ମୁହଁରେ ଥିଲା ମାସ୍କ । ସଂଗରୋଧ କେନ୍ଦ୍ର କୁ ଅନ୍ୟ କାହାକୁ ପ୍ରବେଶ ଅନୁମତି ନଥିବାରୁ ସଂଗରୋଧ କେନ୍ଦ୍ରର ଫାଟକ ନିକଟକୁ ଆସି ଧାଡିରେ ସାମାଜିକ ଦୂରତା ରକ୍ଷା କରି ଠିଆ ହୋଇଥିଲେ ପ୍ରବାସୀ ଓଡିଆମାନେ । ସେହିପରି ଧାଡିରେ ଠିଆ ହୋଇ ସମସ୍ତ ମହିଳା ସ୍ୱାମୀଙ୍କ ପୂଜା କରିଛନ୍ତି । ଆଠଗଡର ଖଣ୍ଡହତା ସଂଗରୋଧ କେନ୍ଦ୍ରରେ ଥିବା ଅନେକ ପ୍ରବାସୀ ଓଡିଆ ଏବେ ରହୁଛନ୍ତି । ବଡନାଉପୁଟ ସରପଂଚ ସସ୍ମୀତା ରାଉତ ସାବିତ୍ରୀ ବ୍ରତର ସମସ୍ତ ବନ୍ଦୋବସ୍ତ କରିଛନ୍ତି ।

ସେପଟେ ଆଜି ସାବିତ୍ରୀ ବ୍ରତ ହୋଇଥିଲେ ମଧ୍ୟ ପୁରୀ ଶ୍ରୀମନ୍ଦିର ଖାଁ ଖାଁ ରହିଛି । ପ୍ରତି ବର୍ଷ ସାବିିତ୍ରୀ ବ୍ରତରେ ଯେଉଁଠି ହଜାର ହଜାର ମହିଳାଙ୍କ ଭିଡ ଲାଗି ଥାଏ ଆଜି ସେହି ଶ୍ରୀମନ୍ଦିରରେ ତାଲାବନ୍ଦ କଟକଣା ଯୋଗୁଁ ଜନଶୂନ୍ୟ ରହିଛି । ତେବେ କିଛି ମହିଳା ଭକ୍ତ ବଡ ଦାଣ୍ଡରେ ପତିତପାବନକୁ ଦର୍ଶନ କରି ଭୋଗ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସାହି ଓ ବସ୍ତିରେ ଥିବା ଛୋଟ ଛୋଟ ମନ୍ଦିରରେ କଟକଣାକୁ ମାନି ମହିଳାମାନେ ମୁହଁରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ପାଳନ କରି ସାବିତ୍ରୀ ବ୍ରତ ପାଳନ କରୁଥିବା ପୁରୀରେ ଦେଖିବାକୁ ମିଳିଛି ।

ସାବିତ୍ରୀ ବ୍ରତ ଉପଲକ୍ଷେ ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକ ଉପରେ କୌଣସି ପ୍ରକାର ପୂଜାର୍ଚନା କରିପାରିବେ ନାହିଁ ବୋଲି ସରକାରଙ୍କ କଟକଣା କାରଣରୁ ମନ୍ଦିରକୁ ଯାଇ କୌଣସି ଲୋକ ପୂଜାର୍ଚ୍ଚନା କରିପାରିବେ ନାହିଁ । ଏନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସାବିତ୍ରୀ ବ୍ରତ ଭିଡକୁ ଦୃଷ୍ଟିରେ ରଖି ଜଗତସିଂହପୁରର ସମସ୍ତ ମନ୍ଦିରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ମନ୍ଦିରରେ ପୂଜା ଉପରେ କଟକଣା ଲଗାଯାଇଛି । ସେହିପରି ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ବନ୍ଦ ରହିବ । ପୂଜା ଉପରେ କଟକଣା ଲଗାଯାଇ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି । କାକଟପୁରର ମନ୍ଦିରରେ ମଧ୍ୟ ଭକ୍ତଙ୍କ ପୂଜା ଉପରେ କଟକଣା ଲଗାଯାଇଛି । ସେପଟେ ଦେବଗଡରେ ମହିଳାଙ୍କୁ ଘରେ ରହି ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା କରିବାକୁ ଏସପି ପରାମର୍ଶ ଦେଇଛନ୍ତି ।