ଏମିତି ଭୟଙ୍କର ଧୂଳିଝଡ ପୂର୍ବରୁ ହୁଏତ କେବେ ଦେଖିନଥିବେ । ସୁନାମୀ ଭଳି ମାଡି ଆସିଲା ଆକାଶ ଉଚ୍ଚର ଧୂଳିଝଡ, ଅଷ୍ଟ୍ରେଲିଆକୁ କିଛି ସମୟ କରିଦେଲା ଅନ୍ଧକାର ।

821

ନିଆଁର ଆଁରୁ ଅଷ୍ଟ୍ରେଲିଆ ମୁକୁଳିନଥିବା ବେଳେ ଏବେ ପୁଣି ଏକ ବିପଦ ମାଡି ଆସିଛି । ନିଆଁର ତାଣ୍ଡବ ପରେ ଏବେ ଧୂଳି ଝଡ ଅଷ୍ଟ୍ରେଲିଆବାସୀଙ୍କ ନିଦ ହଜାଇ ଦେଇଛି । ଧୂଳି ଝଡର ଏଭଳି ଭୟଙ୍କର ଚିତ୍ର ହୁଏତ ଆପଣ ପୂର୍ବରୁ କେବେ ଦେଖିନଥିବେ । ଆକାଶ ଉଚ୍ଚର ଏହି ଧୂଳି ଝଡ ଲୋକଙ୍କ ମନରେ କିଛି ସମୟ ପାଇଁ କୋକୁଆ ଭୟ ସୃ୍ଷ୍ଟି କରିଥିଲା ।

ଗତ କିଛି ଦିନ ହେବ ଅଷ୍ଟ୍ରେଲିଆର ବିଭିନ୍ନ ପ୍ରାନ୍ତରେ ଏଭଳି ଭୟଙ୍କର ଧୂଳି ଝଡ ଦେଖିବାକୁ ମିଳିଛି । କେହି କିଛି ଭାବିବା ପୂର୍ବରୁ ମୃତ୍ୟୁର ତାଣ୍ଡବ ରଚିବାକୁ ଦ୍ରୁତ ଗତିରେ ମାଡି ଆସୁଛି ଆକାଶ ଉଚ୍ଚର ଧୂଳି ଝଡ । ଚାରିଆଡେ ଅନ୍ଧାର ହୋଇଯାଉଛି, ଧୂଳିର ଚାଦରରେ ଘୋଡାଇ ହୋଇ ଯାଉଛି ଗାଁ ଠାରୁ ସହର । ଲାଗୁଛି ସତେ ଯେପରି ଦୁନିଆ ଏଇଠି ହିଁ ଶେଷ ହୋଇଯିବ । କାରଣ ଏହି ଧୂଳି ଝଡର ପ୍ରକୋପ ଏତେ ସାଂଘାତିକ ଯେ, ଯାହାକୁ ସାମ୍ନା କରିବା ସମ୍ଭବପର ନୁହେଁ । କାରଣ ଘଣ୍ଟାପ୍ରତି ୧୦୭ କିଲୋମିଟର ବେଗରେ ମାଡି ଆସୁଥିଲା ରାକ୍ଷସରୂପ ଧୂଳି ଝଡ ।

ସମୁଦ୍ରରେ ସୁନାମୀ ଆସିବା ଭଳି ଅଷ୍ଟ୍ରେଲିଆରେ ଏବେ ଧୂଳି ଝଡ ସାଂଘାତିକ ରୂପ ଧାରଣ କରି କାୟା ମେଲାଇ ଚାଲିଛି । ଯାହାର ପ୍ରଭାବରେ ଅଷ୍ଟ୍ରେଲିଆରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି । ଏହାପୂର୍ବରୁ ପ୍ରବଳ ଧୂଳି ଝଡର ଅନୁମାନ କରି ଲୋକଙ୍କୁ ସତର୍କ କରିଥିଲା ଅଷ୍ଟ୍ରେଲିଆ ପାଣିପାଗ ବିଭାଗ । ତେଣୁ ଧୂଳି ଝଡ ଆସିବା ପୂର୍ବରୁ ଲୋକେ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ । ଯେଉଁଥିପାଇଁ ବହୁ ଧନଜୀବନ ରକ୍ଷା ପାଇ ଯାଇଥିଲା । ତେବେ ନ୍ୟୁ ସାଉଥ ୱେଲ୍ସ ଓ ଭିକ୍ଟୋରିଆ ଉପରେ ଏବେ ମଧ୍ୟ ବିପଦ ଘୂରି ବୁଲୁଛି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏଠାରେ ବନ୍ୟା ଓ ଧୂଳି ଝଡ ଦେଖିବାକୁ ମିଳିପାରେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତେଣୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।