ଅଲୋଡା ନୁହଁ କନ୍ୟାରତ୍ନ ! ଏବେ ଶିଶୁକନ୍ୟା ଜନ୍ମ କଲେ ମିଳିବ ୧୧ ହଜାର ଟଙ୍କାର ଏଫ୍ଡି ।

97

ଲିଙ୍ଗଗତ ବୈଷମ୍ୟ ଦୂର କରିବା ପାଇଁ ଦେଶର ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କମ୍ପାନି ଅକ୍ସି ଏବେ ଅଣ୍ଟା ଭିଡ଼ିଛି। ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବାକୁ ଯାଇ କମ୍ପାନି ପ୍ରତ୍ୟେକ ନବଜାତ ଶିଶୁକନ୍ୟାଙ୍କ ନାମରେ ୧୧ ହଜାର ଟଙ୍କା ଜମା ରଖିବ। ଏହି ଅର୍ଥକୁ ଝିଅ ୧୮ ବର୍ଷ ହେବା ଉପରେ ଉଠାଇ ପାରିବ। ଅକ୍ସି କନ୍ୟା ଶିଶୁ ବିକାଶ କାର୍ୟ୍ୟକ୍ରମ ମାଧ୍ୟମରେ ଏହି ଅର୍ଥ ପ୍ରଦାନ କରାଯିବ। ତେବେ ଏଥିପାଇଁ ପିତାମାତାଙ୍କୁ ନାମ ପଞ୍ଜୀକରଣ କରାଇବାକୁ ହେବ। ଗର୍ଭବତୀ ଥିବା ସମୟରେ ମାଆ ମାନେ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଥିବା ଅକ୍ସି ହେଲଥ ଆପରେ ନାମ ପଞ୍ଜୀକରଣ କରାଇ ପାରିବେ। ସବୁ ଧର୍ମ, ସାମାଜିକ ମର୍ୟ୍ୟାଦା ବା ଭୌଗୋଳିକ ଅଞ୍ଚଳ ପାଇଁ ଏହା କାର୍ୟ୍ୟକାରୀ ହେବ। ଝିଅମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ଲାଗି ଏହି ଯୋଜନା କମ୍ପାନି ଆରମ୍ଭ କରିଛି। ଝିଅ ସାବାଳିକା ହେବା ପରେ ଏହି ଅର୍ଥକୁ ଉଠାଇ ତାଙ୍କ ପାଠ ପଢ଼ା, ବୃତ୍ତିଗତ ଲକ୍ଷ୍ୟ ହାସଲ ଆଦି କାର୍ୟ୍ୟରେ ବିନିଯୋଗ କରିପାରିବେ। ଏହି ଅର୍ଥ ଉପରେ ଅନ୍ୟ କାହାରି ଅଧିକାର ରହିବ ନାହିଁ ବୋଲି କମ୍ପାନି କହିଛି। ମହିଳାମାନେ ଗର୍ଭବତୀ ହେବାର ୩ ମାସ ମଧ୍ୟରେ ଏଥିପାଇଁ ପଞ୍ଜୀକରଣ କରିବେ। ଗର୍ଭସ୍ଥ ଶିଶୁଟି କିଭଳି ସ୍ୱାସ୍ଥ୍ୟବାନ ହୋଇ ଜନ୍ମ ହେବ ଏବଂ ମା’ର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ସେଥିପାଇଁ କମ୍ପାନି ପକ୍ଷରୁ ପରାମର୍ଶ ଯୋଗାଇ ଦିଆଯିବ। ଯଦି ଝିଅ ଜନ୍ମ ହେଲା ତା’ହେଲେ ସେହି ଶିଶୁଙ୍କ ନାମରେ ୧୧ ହଜାର ଟଙ୍କା ଜମା ରଖାଯିବ। ଦେଶର ୧୫ ଶହ ସହରରେ ଅକ୍ସିର ୨ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟସେବା କେନ୍ଦ୍ର ରହିଛି। ଏହି ଆର୍ଥିକ ବୋଝକୁ କମ୍ପାନି ଏବଂ ଏହାର ନେଟଓ୍ଵାର୍କରେ ଥିବା ସହଯୋଗୀମାନେ ବହନ କରିବେ ବୋଲି ଅକ୍ସିର ପ୍ରତିଷ୍ଠାତା ପଙ୍କଜ ଗୁପ୍ତା କହିଛନ୍ତି। ଏତଦବ୍ୟତୀତ ଉଭୟ ପୁଅ ଓ ଝିଅଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ମାଗଣା ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମର ପ୍ରସ୍ତାବ ରଖିଛି। ପୁଅଝିଅମାନଙ୍କୁ ଏଥିପାଇଁ କମ୍ପାନିର ଆଜୀବନ ସଦସ୍ୟତା ଯୋଜନାରେ ସାମିଲ କରାଯିବ।