ଇମରାନ୍ ଖାନଙ୍କ ପୋଲ୍ ଖୋଲିଦେଲା ପାକ୍ ମିଡିଆ ! ସଂଯୁକ୍ତ ରାଷ୍ଟ୍ର ଗସ୍ତ ସମୟରେ ବିମାନ ହୋଇନଥିଲା ଖରାପ , ଅଧାବାଟରୁ ବିମାନ ବାହୁଡାଇବାକୁ ସାଉଦି ଯୁବରାଜ ଦେଇଥିଲେ ନିର୍ଦ୍ଦେଶ

1,644

ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ସଂଯୁକ୍ତ ରାଷ୍ଟ୍ର ଗସ୍ତ କରିଥିଲେ ଏବଂ ତାଙ୍କ ଫେରିବା ବାଟରେ ବିମାନ ଅଧରାସ୍ତାରୁ ଖରାପ ହେବା କାରଣରୁ ସେ ସାଧାରଣ ବିମାନରେ ପାକିସ୍ତାନ ଫେରିଥିଲେ । ଘଟଣାଟି ସେତେବେଳେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ବର୍ତ୍ତମାନ ଏହି ଘଟଣାକୁ ନେଇ ପାକିସ୍ତାନର ଏକ ସାପ୍ତାହିକ ମ୍ୟାଗାଜିନ୍ ଫ୍ରାଇଡ଼େ ଟାଇମ୍ସରେ ଚକିତ କଲା ଭଳି ଖବର ଜାଣିବାକୁ ମିଳୁଛି । ମ୍ୟାଗାଜିନରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ସଂଯୁକ୍ତ ରାଷ୍ଟ୍ର ଗସ୍ତ ସମୟର କିଛି ଅଜଣା କଥା ବିଷୟରେ କୁହାଯାଇଛି ।

ସଂଯୁକ୍ତ ରାଷ୍ଟ୍ର ଗସ୍ତ ସମୟରେ ସାଉଦି ଆରବ୍ କ୍ରାଉନ୍ ଯୁବରାଜ ମହମ୍ମଦ ବିନ୍ ସଲମାନ୍ (ଏମବିଏସ୍) ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବ୍ୟବହାରରେ ଏତେ କ୍ରୋଧିତ ହୋଇଥିଲେ ଯେ ସେ ଇମରାନ୍ ବସିଥିବା ବିମାନକୁ ଅଧରାସ୍ତାରୁ ହିଁ ଫେରିବା ପାଇଁ ଆଦେଶ ଦେଇଥିଲେ । ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସମ୍ମିଳିତ ହେବା ପାଇଁ ଆମେରିକା ଯାତ୍ରା ପୂର୍ବରୁ ଇମରାନ୍ ପ୍ରଥମେ ସାଉଦି ଆରବ ଯାଇଥିଲେ । ସେ ସାଉଦି ଆରବରୁ ବାଣିଜ୍ୟିକ ବିମାନ ଯୋଗେ ଆମେରିକା ଯିବାକୁ ଚାହୁଁଥିଲେ । କିନ୍ତୁ ବିନ୍ ସଲମାନ୍ ଇମରାନଙ୍କୁ ନିଜ ଭଲ ବନ୍ଧୁ ହେବା କହି ନିଜ ବ୍ୟକ୍ତିଗତ ବିମାନରେ ଆମେରିକା ଯିବାକୁ କହିଥିଲେ । ଫ୍ରାଇଡେ ଟାଇମ୍ସ ମ୍ୟାଗାଜିନ୍ ରେ ଏମବିଏସ୍ ବିମାନର ଅସନ୍ତୁଷ୍ଟତା କାରଣରୁ ବିମାନକୁ ଅଧାବାଟରୁ ହିଁ ବାହୁଡିବାକୁ ପଡିଥିଲା ବୋଲି କୁହାଯାଇଛି । ତେବେ ପାକ୍ ସରକାରର ପ୍ରବକ୍ତା ଏହି ରିପୋର୍ଟକୁ ଖଣ୍ଡନ କରିଥିବା ବେଳେ ଇମରାନ୍ ଙ୍କ ଯାତ୍ରାକୁ ସଫଳ ଯାତ୍ରା ବୋଲି କୁହାଯାଇଛି । କିନ୍ତୁ ଫ୍ରାଇଡେ ଟାଇମ୍ସ ମୁତାବକ , ସାଉଦି କ୍ରାଉନ୍ ଯୁବରାଜ ମହମ୍ମଦ ବିନ୍ ସଲମାନ୍ ନ୍ୟୁୟର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଟନୀତିକୁ ଏତେ ନାପସନ୍ଦ କଲେ ଯେ ତାଙ୍କ ବ୍ୟକ୍ତିଗତ ବିମାନକୁ ହିଁ ଅଧାରୁ ବାହୁଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।