ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ ଟ୍ୱିନ ସିଟିର ପୋଲିସ କମିଶନର,ସତ୍ୟଜିତ ମହାନ୍ତି ହେଲେ ନୂଆ ପୋଲିସ କମିଶନର

54

କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ଆଉ ଏହାସହ ବଦଳିଛନ୍ତି ଟ୍ୱିନ ସିଟିର ପୋଲିସ କମିଶନର । ଟ୍ୱିନ ସିଟିର ପୋଲିସ କମିଶନର ଦାୟିତ୍ୱରେ ଥିବା ୱାଇ.ବି ଖୁରାନିଆଙ୍କୁ ଅତିରିକ୍ତ ଡିଜି (ପ୍ରୋଭିଜନିଂ)ର ଦାୟିତ୍ୱ ଦିଆଯାଇଛି । ତାଙ୍କ ସ୍ଥାନରେ ଟ୍ୱିନ ସିଟିର ନୂଆ କମିଶନର ଭାବେ ସତ୍ୟଜିତ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ୧୯୮୮ ମସିହା ବ୍ୟାଚର ଏହି ଅଫିସର ପୂର୍ବରୁ ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରୁଥିଲେ । ଗତ ୨୦୧୬ ଜାନୁଆରୀ ମସିହାରେ ୱାଇ ବି ଖୁରାନିଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଥିଲେ । ଏହାଛଡା ଗତ କିଛି ଦିନ ହେବ ସେ ଛୁଟିରେ ମଧ୍ୟ ରହିଥିଲେ । ଟ୍ୱିନସିଟି ସହ କିଛି ଜିଲ୍ଲାରେ ମଧ୍ୟ ନୂଆ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି ।

୧୯୯୪ ମସିହା ବ୍ୟାଚର ଆଇପିଏସ ଅଫିସର ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ନୂଆ ଦାୟିତ୍ୱ ମିଳିଛି । ଏହା ପୂର୍ବରୁ ସେ ପୋଲିସ ଆଇଜି(ସ୍ପେଶାଲ ଆର୍ମଡ ପୋଲିସ)ରେ କାମ କରୁଥିଲେ ।ସେହିଭଳି ୧୯୯୮ ମସିହା ବ୍ୟାଚର ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ସ୍ପେଶାଲ ଆର୍ମଡ ପୋଲିସର ଅତିରିକ୍ତ ଦାୟିତ୍ୱ ମିଳିଛି । ଏହାଛଡା ରାଜେଶ ପଣ୍ଡିତଙ୍କୁ ଭଦ୍ରକ ଏସପି, ବି ଗଙ୍ଗାଧରଙ୍କୁ କଳାହାଣ୍ଡି ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ କ୍ରାଇମବ୍ରାଞ୍ଜ ଓ ସିଆଇଡିର ଏସପି ଭାବେ ଏମ. ସନ୍ଦୀପ ସମ୍ପତଙ୍କୁ ନୂଆ ଦାୟିତ୍ୱ ମିଳିଛି । ଦେବୀ ପ୍ରସାଦ ଦାସଙ୍କୁ ସୋନପୁର, ଶଶୀଭୂଷଣ ଶତପଥୀଙ୍କୁ ନୟାଗଡ ଏସପି ଭାବେ ନୂଆ ଦାୟିତ୍ୱ ମିଳିଛି ।