ସୋ’ ଛାଡିଲେ ସତ୍ୟଜିତ୍ ! ସାରେଗାମାପା ଲିଟିଲ୍ ଚ୍ୟାମ୍ପରୁ ସ୍ୱଇଚ୍ଛାରେ ଓହରି ଗଲେ ଓଡିଶାର ଗୌରବ

167

ସାରେଗାମାପା ଲିଟିଲ୍ ଚ୍ୟାମ୍ପରୁ ଓହରି ଯାଇଛନ୍ତି ସତ୍ୟଜିତ୍ ଜେନା । ନିଜ ରେଶମୀ ଭଏସର ଯାଦୁରେ ଦର୍ଶକଙ୍କ ହୃଦୟ ଜିତିପାରିଥିବା ସତ୍ୟଜିତ୍ ନିଜ ଆଡୁ ପ୍ରତିଯୋଗୀତାରୁ ଓହରି ଯାଇଛନ୍ତି । ତାଙ୍କ ସ୍ୱରରେ ପରିବର୍ତ୍ତନ ହେଉଥିବାରୁ ଗୀତ ଗାଇବା ଯୋଗୁଁ ଗଳା ଉପରେ ଚାପ ପଡୁଛି । ତେଣୁ ସ୍ୱର ନଷ୍ଟ ହୋଇଯିବା ସମ୍ଭାବନା ଥିବାରୁ ସ୍ୱଇଚ୍ଛାରେ ସୋ’ରୁ ବିଦାୟ ନେଇଛନ୍ତି ।

ତେବେ ସବୁଥର ପରି ଆଜି ମଧ୍ୟ ସର୍ବାଧିକ ଭୋଟ୍ ପାଇଥିଲେ ସତ୍ୟଜିତ୍ । ହେଲେ ସୋ’ର ଅନ୍ତିମ ପର୍ଯ୍ୟାୟରେ ସତ୍ୟଜିତଙ୍କ ବାପା ନିଜ ଆଡୁ ଓହରି ଯିବାକୁ କହିଥିଲେ । କାରଣ ପରିବର୍ତ୍ତିତ ସ୍ୱର ଯୋଗୁଁ ସତ୍ୟଜିତ୍ ଅନେକ ସମୟରେ କଷ୍ଟ ଅନୁଭବ କରୁଥିଲେ । ତେବେ ବର୍ଷେ ଦୁଇ ବର୍ଷ ପରେ ପୁଣି ଥରେ ଗୀତ ବୋଲିବା ଜାରି ରଖିବେ ବୋଲି କହିଛନ୍ତି ସତ୍ୟଜିତଙ୍କ ବାପା । ଏହି ନିଷ୍ପତି ପରେ ଜଜ୍ ମାନେ ଦୁଃଖପ୍ରକାଶ କରିବା ସହ ସତ୍ୟଜିତଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । ତେବେ ଅଡିସନ୍ ବେଳେ ଗାଇଥିବା ଗୀତଟିକୁ ବୋଲି ସୋରୁ ବିଦାୟ ନେଇଛନ୍ତି ସତ୍ୟଜିତ୍ ।

ଜି ଟିଭିରେ ପ୍ରସାରିତ ହେଉଥିବା ମ୍ୟୁଜିକ୍ ରିୟାଲିଟି ସୋ’ ସାରେଗାମାପା ଲିଟିଲ୍ ଚାମ୍ପ୍ସର ସ୍ୱରର ମହାସଂଗ୍ରାମରେ ସାମିଲ୍ ହୋଇ ନିଜକୁ ଜଣେ ପ୍ରତିଭାବାନ୍ କଣ୍ଠଶିଳ୍ପୀ ଭାବେ ପ୍ରମାଣିତ କରିପାରିଥିଲେ ସତ୍ୟଜିତ୍ । ଅନେକ ବଛା ବଛା ସିଙ୍ଗରଙ୍କୁ ପଛରେ ପକାଇ ନିଜ ଟ୍ୟାଲେଂଟ୍ ବଳରେ ସତ୍ୟଜିତ୍ ସୃଷ୍ଟି କରିଥିଲେ ସ୍ୱତନ୍ତ୍ର ପରିଚୟ । ସୁମଧୁର ସ୍ୱରରେ ସାଧାରଣ ଜନତାଙ୍କ ସମେତ ବିଚାରକ ହିମେଶ ରେଶମିୟା, ନେହା କକ୍କର ଏବଂ ଜାଭେଦ ଅଲ୍ଲୀଙ୍କର ମଧ୍ୟ ହୃଦୟ ଜିତି ପାରିଛନ୍ତି ସତ୍ୟଜିତ୍ । ଏହା ସହ ଓସ୍କାର ପୁରସ୍କାର ବିଜେତା ତଥା ପ୍ରସିଦ୍ଧ ସଙ୍ଗୀତକାର ଏ.ଆର.ରେହମାନଙ୍କ ପକ୍ଷରୁ ସତ୍ୟଜିତଙ୍କୁ ମିଳିଛି ନୂଆ ସୁଯୋଗ । ସତ୍ୟଜିତଙ୍କ ପରଫରମାନ୍ସରେ ଖୁସି ପ୍ରକାଶ କରି ରେହେମାନ ତାଙ୍କ ଷ୍ଟୁଡିଓରେ ସତ୍ୟଜିତଙ୍କୁ ୭ ଦିନିଆ ଇଂଟର୍ଣ୍ଣସିପର ଅଫର ଦେଇଛନ୍ତି । ଏହି ସମୟରେ ସେ ରେହମାନଙ୍କଠାରୁ ସଙ୍ଗୀତ ବାବଦରେ ତାଲିମ୍ ନେବେ । ନିଜ ନିଜ ଗାୟିକିର କମାଲ୍ ଦେଖାଇ ସତ୍ୟଜିତ୍ ଅଧିକାଂଶ ସମୟ ବିଚାରକମଣ୍ଡଳୀରୁ ୯୯ ପ୍ରତିଶତ ଭୋଟ ପାଇ ଆସୁଥିଲେ ।

ତେବେ ଆନନ୍ଦପୁର ଅନ୍ତର୍ଗତ ଏକ ଛୋଟ ଗାଁ ତୁରାରୁ ମହାନଗରୀ ମୁମ୍ବାଇର ଯାତ୍ରା ଯେତିକି ରୋଚକ ସେତିକି ଅଧ୍ୟବସାୟପୂର୍ଣ୍ଣ । ବାପା ଗୁମାନ ଚରଣ ଜେନାଙ୍କର ଏକ ଅର୍କେଷ୍ଟ୍ରା ପାର୍ଟି ରହିଛି । ତେଣୁ ପିଲାଦିନୁ ଘରେ ସାଙ୍ଗୀତିକ ପରିବେଶ ଭିତରେ ବଢିଛନ୍ତି ସତ୍ୟଜିତ ।