ବାଘ ପାଇଁ ଆସୁଛି ବାଘୁଣୀ ! ଆଜି ପହଞ୍ଚିବ ସାତକୋଶିଆ ଅଭୟାରଣ୍ୟକୁ। 

48

କନକ ବ୍ୟୁରୋ : ଓଡିଶାର ସାତକୋଶିଆ ଅଭୟାରଣ୍ୟକୁ ମଧ୍ୟପ୍ରଦେଶରୁ ଆଉ ଗୋଟିଏ ବାଘୁଣୀ ଆସିବାର ବ୍ୟବସ୍ଥା କରାଯାଉଛି । ପୂର୍ବରୁ ଆସିଥିବା ଏକ ମହାବଳ ବାଘ ନିଜକୁ ଏହି ଅଭୟାରଣ୍ୟ ସହ ଖାପଖୁଆଇବା ପରେ ବନବିଭାଗ ପକ୍ଷରୁ ଆଉ ଏକ ବାଘୁଣୀକୁ ଆଣିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ତେବେ ସାତକୋଶିଆକୁ ଆସିବାକୁ ଥିବା ବାଘୁଣୀ ମଧ୍ୟପ୍ରଦେଶର କାଂହା ବ୍ୟାଘ୍ର ପ୍ରକଳ୍ପରୁ ଆସିବ ବୋଲି ଜଣାପଡିଛି ।

ପୂର୍ବରୁ ଆସି ଥିବା ମହାବଳ ବାଘ ଉପରେ ସାତକୋଶିଆ ବନବିଭାଗ ପକ୍ଷରୁ ୨୪ ଘଣ୍ଟିଆ ନଜର ରଖାଯାଇଛି । ବନ୍ୟବିଭାଗ ପକ୍ଷରୁ କୁହାଯାଇଛି ଯେ, ମହାବଳ ବାଘଟି ନିଜକୁ ଏଠାରେ ଭଲ ଭାବରେ ଖାପ ଖୁଆଇ ସାରିଲାଣି । ତେଣୁ ଆଉ ନୂତନ ବାଘ ଆସିଲେ କୌଣସି ପ୍ରକାରର ଅସୁବିଧା ହେବନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ପୂର୍ବରୁ ଆସିଥିବା ବାଘଟି ବାରହା ଶିକାର କରିସାରିଛି । ତେଣୁ ବାଘକୁ ଖୁବ କମ୍ ଦିନ ମଧ୍ୟରେ ଜଙ୍ଗଲ ମଧ୍ୟକୁ ଛଡାଯିବ ।

ତେବେ ଆସିବାକୁ ଥିବା ବାଘୁଣିକୁ ମଧ୍ୟ ସମାନ ଭାବରେ ଅଢେଇ ଏକର ପରିମିତ ସ୍ଥାନରେ ତିଆରି ହୋଇଥିବା ଏନକ୍ଲୋଜର ମଧ୍ୟରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଆମର ବିଶ୍ୱାସ କି ବାଘ ଭଳି ବାଘୁଣି ମଧ୍ୟ ଏଠାକାର ଜଳବାୟୁ ସାଙ୍ଗେ ନିଜକୁ ଖାପଖୁଆଇ ପାରିବ ବୋଲି ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି ।