ସାତକୋଶିଆରେ ସୁନ୍ଦରୀ ଆତଙ୍କ : ପିସିସିଏଫ୍ କହିଲେ ଘୋଷଣା ହେବନି ନରଖାଦକ, ଟ୍ରାଙ୍କୁଲାଇଜ୍ କରି ବାଘୁଣୀକୁ ନିଆଯିବ ରାଇଗୁଡା ଏନକ୍ଲୋଜର

48

କନକ ବ୍ୟୁରୋ : ସାତକୋଶିଆରେ ଆତଙ୍କ ଖେଳାଇଛି ସୁନ୍ଦରୀ । ସୁନ୍ଦରୀକୁ ନିଶ୍ଚେତକ ଦେଇ ଅଚେତ କରି ଧରିବା ପାଇଁ ଯାଇଛନ୍ତି ନିଶ୍ଚେତକ ଦଳ । ଏହା ଭିତରେ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ଏକ ବଡ ବୟାନ ଦେଇଛନ୍ତି । କହିଛନ୍ତି ବାଘୁଣୀ ସୁନ୍ଦରୀକୁ ନରଖାଦକ ଘୋଷଣା କରାଯିବନି । ଦୁଇଟି ଯାକ ଘଟଣାରେ ବାଘ ଆକ୍ରମଣ କଥା ଜଣାପଡିଥିଲେ ମଧ୍ୟ ପ୍ରମାଣିତ ହୋଇନି । ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆମର ନିଶ୍ଚେତକ ଟିମ୍ ଅନୁଗୁଳରେ ଅଛନ୍ତି । କିନ୍ତୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ସେମାନେ ଭିତରକୁ ଯାଇପାରୁନାହାଁନ୍ତି ।

ତେଣୁ ନିଶ୍ଚେତକ ଦଳକୁ ଘଟଣାସ୍ଥଳକୁ ଛାଡିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ରାଇଗୁଡା ଏନକ୍ଲୋଜରକୁ ନିଆଯିବ । ଏନକ୍ଲୋଜରରେ ରଖାଯିବା ପରେ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଏନଟିସିଏର ପରାମର୍ଶ ପରେ ପରବର୍ତି ପଦକ୍ଷେପ ନିଆଯିବ । ବନବିଭାଗର ୪କର୍ମଚାରୀ ନିଖୋଜ ଅଛନ୍ତି । ଗାଁ ପାଖରେ ବାଘ ବୁଲୁଥିବା ନେଇ ଲୋକମାନଙ୍କୁ ସଚେତନା କରାଯାଇଥିଲା । ତା’ସତ୍ୱେ ମଧ୍ୟ ଲୋକେ ଜଙ୍ଗଲ ଭିତରକୁ ମାଛ ମାରିବାକୁ ଯିବାରୁ ଏଭଳି ଅଘଟଣ ଘଟିଲା ।

ସାତକୋଶିଆ ଅଂଚଳରେ ସେପଟେ ବାଘୁଣୀକୁ ଧରିବା ପାଇଁ ସେଠାରେ ପହଁଚିଛନ୍ତି ଭୁବନେଶ୍ୱରରୁ ଯାଇଥିବା ସ୍ପେଶାଲ ଟ୍ରାଙ୍କୁଲାଇଜ୍ ଟିମ୍ । ଶିମିଳିପାଳରୁ ମଧ୍ୟ ଏକ ଟ୍ରାଙ୍କୁଲାଇଜ୍ ଟିମ୍ ଆସି ସାତକୋଶିଆରେ ପହଁଚିଛି । ସେମାନେ ଆଜି ବାଘକୁ ଟ୍ରାଙ୍କୁଲାଇଜ୍ କରିପାରନ୍ତି । ଟ୍ରାଙ୍କୁଲାଇଜ୍ ଟିମ୍ରେ ପଶୁ ବିଶେଷଜ୍ଞ ସାମିଲ ହୋଇଛନ୍ତି । ଡେରାଡୁନର ମଧ୍ୟ ବନ୍ୟଜନ୍ତ୍ୁ ବିଶେଷଜ୍ଞ ଆସିଛନ୍ତି ।