ମୋଦିଙ୍କୁ ବିଜେଡିର କଡା ଜବାବ । ଆବଶ୍ୟକ ବେଳେ ଉପେକ୍ଷା, ଭୋଟ ବେଳେ ମିଳୁଛି ଦେଖା ।

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ଭାଷଣ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ ।

206

କନକ ବ୍ୟୁରୋ: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ଭାଷଣ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ନିର୍ବାଚନ ଆସିଲେ କିଛି ନେତା ଓଡ଼ିଶାକୁ ପର୍ଯ୍ୟଟନ ଭ୍ରମଣରେ ଆସନ୍ତି । ସେହି ଧାରାରେ ବିଜେପିର କିଛି ନେତା ଓଡ଼ିଶାରେ ଏବେ ଭ୍ରମଣ କରୁଛନ୍ତି । ଓଡ଼ିଶାର ବିକାଶ ପ୍ରସଙ୍ଗରେ କେବେ ସେମାନଙ୍କର ଦେଖା ମିଳୁ ନ ଥିବା ବେଳେ ଏବେ ଭୋଟ ଓ କ୍ଷମତା ପାଇଁ ସେମାନଙ୍କ ଦେଖା ମିଳୁଛି ବୋଲି କହିଛନ୍ତି ଦଳର ମୁଖପାତ୍ର ସସ୍ମିତ୍ ପାତ୍ର ।

ସସ୍ମିତ ପାତ୍ର କହିଛନ୍ତି, ନିର୍ବାଚନ ବେଳେ ଓଡ଼ିଶାକୁ ଆସି ବଡ଼ ବଡ଼ କଥା କହୁଥିବା ବିଜେପି ନେତାମାନେ ୫ ବର୍ଷ ଧରି ଶୋଇଥିଲେ କେଉଁଠି? ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ହେଉ କି ମହାନଦୀ ପାଣିକୁ ଛତିଶଗଡ ଚୋରି କରିବା ପ୍ରସଙ୍ଗ ହେଉ, ଏହି ବିଜେପି ନେତାମାନେ ଥିଲେ କେଉଁଠି? ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ରାଉରକେଲାରେ ଇସ୍ପାତ ମେଡ଼ିକାଲ୍ କଲେଜ ସ୍ଥାପନ ପାଇଁ ସେମାନଙ୍କ ପ୍ରତିଶ୍ରୁତି କୁଆଡେ ଗଲା ତାହାର ଜବାବ ଦିଅନ୍ତୁ । ସେ ଆହୁରି କହିଛନ୍ତି କି ନିର୍ବାଚନୀ ପର୍ଯ୍ୟଟନ ଭ୍ରମଣରେ ଆସି ବଡ଼ ବଡ କଥା କହୁଥିବା ବିଜେପି ନେତାଙ୍କର ଓଡ଼ିଶାର ବିକାଶ ପ୍ରତି ସାମାନ୍ୟତମ ଅବଦାନ ନାହିଁ । ଅଥଚ ନବୀନ ପଟ୍ଟନାୟକ କଠୋର ପରିଶ୍ରମ ଓ ଉଦ୍ୟମ ଦେଇ ଓଡ଼ିଶାକୁ ଗତ ୧୯ ବର୍ଷ ଭିତରେ ଏକ ଆଦର୍ଶ ରାଜ୍ୟରେ ପରିଣତ କରିଛନ୍ତି । ଓଡିଶାବାସୀ ଏହା ବୁଝିସାରିଥିବାରୁ ଏହି ନିର୍ବାଚନରେ ସେମାନେ କାହାରିକୁ ସମର୍ଥନ ଦେବେ ତାହା ସ୍ପଷ୍ଟ ହୋଇଯାଇଛି । ଓଡିଶାରେ ଗୋଟେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ଗଢ଼ିବାକୁ ରାଜ୍ୟବାସୀ କେବେ ବି ଚାହିଁବେ ନାହିଁ । ବରଂ ବିଜୁ ଜନତା ଦଳ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁଣି ଏକ ସ୍ଥିର ଏବଂ ସଚ୍ଚୋଟ ସରକାର ଗଠନ ପାଇଁ ଭୋଟ ଦେବେ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାବାସୀଙ୍କୁ କେତୋଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ ବୋଲି ଶ୍ରୀ ପାତ୍ର କହିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କଣ ପାଇଁ ହୋଇନାହିଁ ? ‘କାଳିଆ’ ଯୋଜନାକୁ ବିଜେପି କଣ ପାଇଁ ବନ୍ଦ କରିଛି ? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ସହାୟତା ବ୍ୟବସ୍ଥା ଥିବା ବେଳେ ଆୟୁଷ୍ମାନ ଯୋଜନାରେ କମ୍ କାହିଁକି? ଓଡିଶାବାସୀ ଏହି ପ୍ରଶ୍ନ ବାରମ୍ବାର ପଚାରୁଥିଲେ ମଧ୍ୟ ବିଜେପି ପାଖରୁ ଏହାର ଉତ୍ତର ମିଳୁନାହିଁ । ନିଜ ବିଫଳତା ପଛରେ ବିଜେପି ଲୁଚିଜିବାକୁ ଚାହୁଁଛି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କଡା ଭାଷାରେ ବିଜେପିକୁ ଜବାବ ଦେଇଛନ୍ତି ।