ଦଳର ନମ୍ବର ୨ ନେତାଙ୍କ ଟିକେଟ କାଟିଲେ ନବୀନ । ଅର୍ଥମନ୍ତ୍ରୀଙ୍କୁ ବିଦା କଲେ, ଅରବିନ୍ଦଙ୍କୁ ମୈଦାନକୁ ଆଣିଲେ ।

782

କନକ ବ୍ୟୁରୋ : ଅର୍ଥମନ୍ତ୍ରୀଙ୍କ ଟିକେଟ କାଟିଲେ ନବୀନ । ନବୀନ ସରକାରରେ ଦୁଇ ନମ୍ବର ମନ୍ତ୍ରୀ କୁହାଯାଉଥିବା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଟିକେଟ କଟିବାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଜୟଦେବ ଆସନରୁ ଅର୍ଥମନ୍ତ୍ରୀ ଶଶୀଭୂଷଣଙ୍କ ବଦଳରେ ପୂର୍ବତନ ବିଧାୟକ ଅରବିନ୍ଦ ଢାଲିଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ତେବେ ଅରବିନ୍ଦଙ୍କ ଟିକେଟ ପାଇବାକୁ ନେଇ ଯେତିକି ଚର୍ଚ୍ଚା ହେଉନାହିଁ ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ଶଶୀଭୂଷଣଙ୍କ ଟିକେଟ କଟିବାକୁ ନେଇ ।

ଶଶୀଭୂଷଣ ବେହେରା । ନବୀନଙ୍କ ଚତୁର୍ଥ ପାଳିର ହେଭିୱେଟ ନେତାଙ୍କ ମଧ୍ୟରେ ଜଣାଶୁଣା । ନିର୍ବାଚନ ତାରିଖ ଘୋଷଣା ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଭଳି ଗୁରୁଦାୟିତ୍ୱ ତୁଲାଇ ଆସିଥିଲେ ଶଶୀଭୂଷଣ । ତେବେ ଏହି ନମ୍ବର ୨ ମନ୍ତ୍ରୀଙ୍କ ଟିକେଟ ଦଳ କାଟିଦେବ ତାହା କେହି କେବେ ଭାବନଥିଲେ । ତେବେ ଅପ୍ରତ୍ୟାଶିତ ଭାବେ ଶଶୀଭୂଷଣଙ୍କ ଟିକେଟ ପରେ ବଳକା ଆସନରେ ଘୋଷଣା ହେବାକୁ ଥିବା ପ୍ରାର୍ଥୀଙ୍କ ମନରେ ଛନକା ପଶିଛି ।

ତେବେ ଶଶୀଭୂଷଣଙ୍କ ଟିକେଟ କଟିବା ପଛରେ ଏକ ବଡ କାରଣ ରହିଛି । ଜୟଦେବ ଆସନରୁ ନିର୍ବାଚିତ ହୋଇଥିବା ଶଶୀଭୂଷଣଙ୍କ ବିରୋଧରେ ଏବେ ନିର୍ବାଚନମଣ୍ଡଳୀରେ ପ୍ରବଳ ଜନ ଅସନ୍ତୋଷ ରହିଛି । ତେଣୁ ଏହି ଆସନରେ ଶଶୀଙ୍କୁ ପୁଣିଥରେ ପ୍ରାର୍ଥୀ କରି ଦଳ ରିସ୍କ ନେବାକୁ ଚାହୁଁନଥିବା ଟିକେଟ ଘୋଷଣା ହେବା ପରେ ସ୍ପଷ୍ଟ ହୋଇଛି । ଶଶୀଙ୍କୁ ନିର୍ବାଚନ ନ ଲଢାଇ ପୂର୍ବଭଳି ପୁଣିଥରେ ରାଜ୍ୟସଭାକୁ ଦଳ ପଠାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ପୂର୍ବରୁ ୨୦୦୪ରୁ ୨୦୦୯ ଯାଏଁ ବିଧାୟକ ଥିବା ଶଶୀଭୂଷଣଙ୍କୁ ୨୦୦୯ରେ ଦଳ ଟିକେଟ ଦେଇନଥିଲା । ବରଂ ଏହି ଆସନରୁ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରିଥିଲା ଦଳ । କିନ୍ତୁ ଶଶୀଭୂଷଣଙ୍କୁ ନିରାଶ କରିନଥିଲା ଦଳ । ପରେ ରାଜ୍ୟସଭାକୁ ପଠାଇ ଶଶୀଙ୍କୁ ସନ୍ତୁଷ୍ଟ କରିଥିଲେ ବିଜେଡି ସୁପ୍ରିମୋ । କିନ୍ତୁ ୨୦୧୪ରେ ପୁଣିଥରେ ଚମକିଥିଲା ଶଶୀଙ୍କ ଭାଗ୍ୟ । ଅରବିନ୍ଦଙ୍କ ବଦଳରେ ଶଶୀଙ୍କୁ ମୈଦାନକୁ ଓହ୍ଲାଇଥିଲା ଦଳ । ଆଉ ବିପୁଳ ଭୋଟରେ ବିଜୟୀ ହୋଇ ବିଜେଡିର ବିଜୟ ବାନା ଉଡାଇଥିଲେ ଶଶୀ । ତେବେ ଗତ ୫ ବର୍ଷ ମଧ୍ୟରେ ଶଶୀଙ୍କ ବିରୋଧରେ ନିର୍ବାଚନମଣ୍ଡଳୀରେ ଅସନ୍ତୋଷ ଦାନା ବାନ୍ଧିଥିବା ବେଳେ ଦଳ ଅରବିନ୍ଦଙ୍କୁ ପୁଣିଥରେ ମୈଦାନକୁ ଓହ୍ଳାଇବାକୁ ନିଷ୍ପତି ନେଇଛି । ତେବେ ଏହି ପ୍ରାର୍ଥୀ ପରିବର୍ତ୍ତନ ରଣନୀତିରେ ଦଳ କେତେ ସଫଳତା ପାଉଛି ତାହା ଦେଖିବା ବାକି ରହିଲା ।