ପାଟଣାଗଡ ଥାନାରେ ସରୋଜ ମେହେର ! କଡ଼ା ସୁରକ୍ଷା ବଳରେ ଏସପିଙ୍କ ସହ ପହଞ୍ଚିଲେ ବିଧାୟକ, ଥାନାରେ ହେବ ସ୍ୱାସ୍ଥ୍ୟପରୀକ୍ଷା

188

କନକ ବ୍ୟୁରୋ : ପାଟଣାଗଡ଼ ଥାନାରେ ହାଜର ହେଲେ ବିଧାୟକ ସରୋଜ ମେହେର । ଜେଇଙ୍କୁ ଉଠବସ ଘଟଣାରେ ପାଟଣାଗଡ ବିଧାୟକ ସରୋଜ ମେହେର ଅଟକ ରଖାଯାଇଛି  । ଗତକାଲି ରାତିରେ ସରୋଜଙ୍କୁ ନୂଆପଡାରୁ ବଲାଙ୍ଗୀର ଆଣିଥିଲା ପୋଲିସ । ଏହା ପରେ ବଲାଙ୍ଗିର ରିଜର୍ଭ ପୋଲିସ ବାରକରେ ପଚରା ଉଚରା କରାଯାଇଥିଲା । ପଚରାଉଚରା ପରେ ବିଧାୟକଙ୍କୁ ପାଟଣାଗଡ ଥାନା ଅଣାଯାଇଛି । ପାଟଣାଗଡ ଥାନାରେ ବଲାଙ୍ଗୀର ଏସପିଙ୍କ ସହ ପହଚିଂଛନ୍ତି ବିଧାୟକ । କିନ୍ତୁ ଏକଥା ମଧ୍ୟ ଚର୍ଚ୍ଚା ହେଉଛି ଯେ ସେ ଆତ୍ମସମର୍ପଣ କରିଛନ୍ତି । ଏ ସଂପର୍କରେ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଥାନାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଥାନାରେ ସରୋଜ ମେହେରଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହେବ । ନିମ୍ନମାନର କାମ ଅଭିଯୋଗରେ ଜେଇଙ୍କୁ ଉଠବସ କରିଥିଲେ ବିଧାୟକ ।

ଜୁନ୍ ୫ତାରିଖରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜେଇଙ୍କୁ ଉଠବସ୍ କରାଇଥିଲେ ସରୋଜ । ମଂଡନରୁ ବେଲପଡାକୁ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ଦେଖିବା ପରେ ତାତି ଉଠିଥିଲେ ବିଧାୟକ । ରାସ୍ତା ନିର୍ମାଣ କାମ ଦେଖିବା ପରେ, ପାଟଣାଗଡ ବିଧାୟକ, ଏହି ରାସ୍ତା କାମର ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ତେବେ ବିବାଦ ବଢ଼ିବା ପରେ କ୍ଷମା ମାଗିଥିଲେ ସରୋଜ । ଏହାକୁ ନେଇ ଜୁନ୍ ୬ ରେ ଜେଇଙ୍କ ପତ୍ନୀ ଥାନାରେ ମାମଲା ରୁଜୁ କରିଥିଲେ ।

କନିଷ୍ଠ ଯନ୍ତ୍ରୀ ଜଣଙ୍କ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ବିଧାୟକଙ୍କ କାର୍ଯ୍ୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ଆଦିବାସୀ ସଂଗଠନ । ଏବଂ ସରୋଜଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ । ଏପରିକି ଗିରଫ ନକଲେ ୨୬ ତାରିଖରେ ବିଧାନସଭା ଘେରାଉ କରିବାକୁ ଧମକ ଦେଇଥିଲେ ଆଦିବାସୀ ମହାସଂଘ ।