ସୁଧୁରୁନି ପାକିସ୍ତାନ,ସୀମାରେ ପୁଣି ଗୁଳି-ବର୍ଷଣ : ବିଏସଏଫ ପୋଷ୍ଟକୁ ଟାର୍ଗେଟ

1

କନକ ବ୍ୟୁରୋ : ପୁଣି ସୀମାରେ ଉତେଜନା । ଚାଲିଛି ଗୁଳି ବର୍ଷଣ । ସୀମାରେ ରେଡ ଆଲର୍ଟ ଜାରି । ଏଲଓସିରେ ତୁଷାରପାତ ପୂର୍ବରୁ ଆତଙ୍କୀ ଭାରତୀୟ ସୀମାରେ ପ୍ରବେଶ କରିବାର ଆଶଙ୍କା କରାଯାଉଛି । ଏହାକୁ ନଜରରେ ରଖି ୩ଦିନ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ଭାରତର ସର୍ଜିକାଲ ଷ୍ଟ୍ରାଇକ ପରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଚାଲିଛି ପାକିସ୍ତାନ । ଏହାର କଡା ଜବାବ ଦେଉଛନ୍ତି ଭାରତୀୟ ସେନା । ଏଲଓସିରେ ଉଭୟ ସେନା ପକ୍ଷରୁ ଗୁଳି ବିନିମୟ ଜାରି ରହିଛି । ଫଳରେ ସୀମାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି ।

ପାକ୍ ସେନାକୁ କଡା ଜବାବ ଦେବାକୁ ନିର୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ଜମ୍ମୁ କଶ୍ମୀର ଆରଏସପୁରା ଓ ଅରନିଆ ସେକ୍ଟରରେ ପାକିସ୍ତାନ ଗୁଳି ଓ ମୋର୍ଟାର ମାଡ଼ କରିଛି । ଗୁଳିମାଡ଼ରେ ଜଣେ ବିଏସଏଫ ଯବାନ ସହିଦ ହୋଇଛନ୍ତି । ସେହିପରି ଆଉ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ପାକିସ୍ତାନ ପକ୍ଷରୁ ଗୁଳି ଓ ମୋର୍ଟାର ମାଡରେ ଗୋଟିଏ ପରିବାରର ୩ଲୋକଙ୍କ ସମେତ ୮ଜଣ ଆହତ ହୋଇଛନ୍ତି । ଗୁଳି ଓ ମୋର୍ଟାର ମାଡ଼ ଦ୍ୱାରା ୨୫ଟି ବିଏସଏଫ କ୍ୟାମ୍ପ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ଏହାସହ ସୀମାର ଟଙ୍ଗଧର, ଅଖନୁର ଓ ମେଣ୍ଡର ଅଂଚଳରେ ଲଗାତାର ଭାବେ ଗୁଳି ବର୍ଷଣ ଚାଲିଛି । ଏଲଓସିର ଅତି ନିକଟରୁ ପାକିସ୍ତାନ ପଟୁ ଭାରତୀୟ ସେନାଙ୍କ ଶିବିରକୁ ଟାର୍ଗେଟ କରାଯାଇ ମୋର୍ଟର ମାଡ କରାଯାଉଛି । ଭାରତୀୟ ଜବାନ ଏହାର ମୁହଁତୋଡ ଜବାବ ଦେଉଛନ୍ତି । ଭାରତୀୟ ସେନାର ପାଲଟା ଆକ୍ରମଣରେ ପାକିସ୍ତାନରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ପାକିସ୍ତାନ ନରେୱାଲର ଶକରଗଡ ଗାଁରେ ନିଆଁ ଲାଗିଯାଇଛି । ଏହାସହ ପାକ୍ ସେନାର ଟାୱାର ମଧ୍ୟ ଧ୍ୱସଂ ହୋଇଯାଇଛି । ପାକ୍ର ଲଗାତାର ଆକ୍ରମଣ ଯୋଗୁଁ ସୀମାବର୍ତି ଅଂଚଳରେ ରହୁଥିବା ଗାଁଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇ ବଙ୍କର ଓ ଶିବିରରେ ରଖାଯିବା ସହ ତାଙ୍କୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଉଛି ।

Comments are closed.