‘ଷ୍ଟାଚ୍ୟୁ ଅଫ୍ ୟୁନିଟି ’ଭଳି ବିଶ୍ୱର ସାତଟି ବିଶାଳକାୟ ପ୍ରତିମା ! ଚୀନରେ ରହିଛି ସର୍ବାଧିକ କଳାକୃତି ।

197

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୩୭ ତମ ଜୟନ୍ତୀ ଅବସରରେ ଗୁଜୁରାଟର ରାଜପିପଲା ନିକଟ ସାଧୁ ବେତ୍ ଦ୍ୱୀପ ନର୍ମଦା ନଦୀରେ ପ୍ରତିଷ୍ଠା ହୋଇଛି ତାଙ୍କର ୧୮୨ ମିଟର ଉଚ୍ଚ ବିଶିଷ୍ଟ ଏକ ଭବ୍ୟ ପ୍ରତିମୂର୍ତ୍ତି । ଭାରତ ନୁହଁ ସମ୍ପୁର୍ଣ୍ଣ ବିଶ୍ୱରେ ଏହି ମୂର୍ତ୍ତି ହେଉଛି ସବୁଠାରୁ ବିଶାଳ । ଯାହାକୁ ‘ ଷ୍ଟାଚ୍ୟୁ ଅଫ୍ ୟୁନିଟି ’ ନାମକରଣ କରାଯାଇଛି । ଆମେରିକାର‘ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ’ ଠାରୁ ପାଞ୍ଚଗୁଣା ବଡ ଏହି ପ୍ରତିମା ନିର୍ମାଣରେ ଖର୍ଚ୍ଚ ହୋଇଛି ୨ ହଜାର ୯ ଶହ ୭୯ କୋଟି ଟଙ୍କା । ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ, ଏହା ପୂର୍ବରୁ ଭାରତରେ ସବୁଠାରୁ ବଡ ପ୍ରତିମା ବଜରଙ୍ଗ ବାଲି ହନୁମାନଙ୍କ ବିଜୟୱାଡା ଆନ୍ଧ୍ରପ୍ରଦେଶରେ ଥିଲା । ଯାହାର ଉଚ୍ଚତା ୪୧ ମିଟର ତଥା ୧୩୫ ଫୁଟ ଥିଲା । ଯାହାକୁ ୨୦୦୩ ମସିହାରେ ନିର୍ମାଣ କରାଯାଇଥିଲା । ତେବେ ଆସନ୍ତୁ ବିଶ୍ୱର ଏଭଳି କିଛି ବିଶାଳ ପ୍ରତିମାଙ୍କ ବିଷୟରେ ଜାଣିବା ।

୧ . ସ୍ପ୍ରିଙ୍ଗ୍ ଟେମ୍ପଲ୍ ବୁଦ୍ଧ : ଚୀନରେ ସ୍ପ୍ରିଙ୍ଗ୍ ଟେମ୍ପଲ୍ ନାମରେ ବିଶ୍ୱବିଖ୍ୟାତ ଥିବା ଭଗବାନ ଗୌତମ ବୁଦ୍ଧଙ୍କ ପ୍ରତିମାକୁ ୨୦୦୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା ଯାହାର ଉଚ୍ଚତା ୧୨୮ ମିଟର ଏବଂ ୪୨୦ ଫୁଟ୍ ।

୨ . ଲେୟକ୍ୟୁନ୍ ସେଟକ୍ୟାର୍ : ୨୦୦୮ ମସିହାରେ ସ୍ଥାପିତ ହୋଇଥିବା ଭଗବାନ ବୁଦ୍ଧଙ୍କ ୧୧୬ ମିଟର ଏବଂ ୩୮୧ ଫୁଟର ଏହି ମୂର୍ତ୍ତିର ନାମ ଲେୟକ୍ୟୁନ୍ ସେଟକ୍ୟାର୍ ରହିଛି । ଏହି ମୂର୍ତ୍ତିକୁ ୧୩.୫ ମିଟର ଉଚ୍ଚତା ଉପରେ ରଖାଯାଇଛି ତେଣୁ ଏହାର ମୋଟ ଉଚ୍ଚତା ହେଉଛି ୧୩୦ ମିଟର ।

୩ . ଅଶିକୁ ଦାୟବୁସ୍ତୁ : ଜାପାନର ଅଶିକୁ ଦାୟବୁସ୍ତୁ ହେଉଛି ଭଗବାନ ବୁଦ୍ଧଙ୍କ ୧୧୦ ମିଟର ତଥା ୩୬୦ ଫୁଟରେ ନିର୍ମିତ ହୋଇଥିବା ଏକ ପ୍ରତିମା । ଏହି ମୂର୍ତ୍ତି ଏକ ସିଂହାସନ ଉପରେ ସ୍ଥାପନ କରାଯାଇଛି ଯାହାର ଉଚ୍ଚତା ୧୦ ମିଟର । ଅର୍ଥାତ୍ ମୂର୍ତ୍ତିର ମୋଟ ଉଚ୍ଚତା ୧୨୦ ମିଟର । ଏହି ପ୍ରତିମାକୁ ୧୯୯୫ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।

୪ . ଗ୍ୟୁଆନିନ୍ ଅଫ୍ ନାନସାନ୍ : ୨୦୦୫ ମସିହାରେ ଚୀନରେ ପ୍ରତିଷ୍ଟିତ ହୋଇଥିବା ମୂର୍ତ୍ତି ଗ୍ୟୁଆନିନ୍ ଅଫ୍ ନାନସାନ୍ ର ଉଚ୍ଚତା ୧୦୮ ମିଟର । ଏହି ମୂର୍ତ୍ତି ଭଗବାନ ବୁଦ୍ଧଙ୍କ ମନ୍ଦିରରେ ରହିଛି ।

୫ . ଏମ୍ପର ୟାନ୍ ଆଣ୍ଡ୍ ହୁଆଙ୍ଗ୍ : ୨୦୦୭ ମସିହାରେ ରାଜା ୟାନ୍ ଏବଂ ହୁଆଙ୍ଗଙ୍କ ମୂର୍ତ୍ତି ପ୍ରସ୍ତୁତ କରାଯାଇଥିଲା । ଏହି ମୂର୍ତ୍ତି ମଧ୍ୟ ଚୀନ୍ ର ହେନାନରେ ପ୍ରସ୍ତୁତ ହୋଇଥିଲା । ଯାହାର ଉଚ୍ଚତା ୧୦୬ ମିଟର ୩୪୮ ଫୁଟ୍ ରହିଛି ।

୬ . ସେନ୍ଦଇ ଡାଇକାନୋନ୍ : ୧୯୯୧ ମସିହାରେ ଜାପାନରେ ପ୍ରତିଷ୍ଠିତ ହୋଇଥିବା ସେନ୍ଦଇ ଡାଇକାନୋନ୍ ପ୍ରତିମା ସେନ୍ଦଇ ନାମକ ସ୍ଥାନରେ ପ୍ରସ୍ତୁତ କରାଯାଇଥିଲା । ଯାହାର ଉଚ୍ଚତା ୧୦୦ ମିଟର ଏବଂ ୩୩୦ ଫୁଟ ।

୭ . ପିଟର ଦି ଗ୍ରେଟ୍ : ଋଷ୍ ର ମସ୍କୋ ସହରରେ ପିଟର ଦି ଗ୍ରେଟ୍ ମୂର୍ତ୍ତିର ସ୍ଥାପନା ୧୯୯୭ ରେ ହୋଇଥିଲା । ଏହି ପ୍ରତିମାର ଉଚ୍ଚତା ହେଲା ୯୬ ମିଟର ।