ବହୁ ପ୍ରତୀକ୍ଷିତ ସର୍ବକ୍ଷମା ଯୋଜନାକୁ ସରକାରଙ୍କ ଅନୁମୋଦନ! ସରକାରଙ୍କୁ ନିର୍ଦ୍ଧାରିତ ଜୋରିମାନା ଦେଇ ବେଆଇନ କୋଠାକୁ କରିହେବ ବୈଧ 

70

କନକ ବ୍ୟୁରୋ : ସର୍ବକ୍ଷମା ଯୋଜନା ଆଣିଲେ ସରକାର । ଏ ନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହି ଯୋଜନା ଅନ୍ତର୍ଗତ ବିଲ୍ଡିଂ ନିୟମ ଖିଲାପକାରୀଙ୍କୁ କ୍ଷମା ଦେବେ ସରକାର । ନିର୍ଦ୍ଧାରିତ ପରିମାଣର ଜୋରିମାନା ଆଦାୟ କରି ଛାଡିଦେବେ ସରକାର । ସର୍ବକ୍ଷମା ନୀତି ଉପରେ ଦୀର୍ଘ ବର୍ଷ ଧରି ବିଚାରବିମର୍ଷ ପରେ ସରକାର ଏହାକୁ ଅନୁମୋଦନ କରିଛନ୍ତି । ସମସ୍ତ ସହର ଉନ୍ନୟନ କର୍ତୃପକ୍ଷ ଅଂଚଳ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ । ଏଥର ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ସମେତ ୯ଟି ଯାକ ଉନ୍ନୟନ କର୍ତୃପକ୍ଷରେ ସର୍ବକ୍ଷମା ଯୋଜନା ଆଣିବାକୁ ସରକାର ସ୍ଥିର କରିଛନ୍ତି ।

ପ୍ରଥମଥର ପାଇଁ ୨୦୦୭ ମସିହାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷରେ ଲାଗୁ ହୋଇଥିଲା ସର୍ବକ୍ଷମା ଯୋଜନା । ତେବେ ଦ୍ୱିତୀୟଥର ପାଇଁ ଲାଗୁ ହୋଇଥିବା ସର୍ବକ୍ଷମା ଯୋଜନା ବିଡିଏ ସହ ୯ଟି ଉନ୍ନୟନ କର୍ତ୍ତୁପକ୍ଷରେ ଲାଗୁ କରିବାକୁ ସରକାରଙ୍କ ନିଷ୍ପତି । ଏଥିରେ ରହିଛି- କଟକ ଉନ୍ନୟନ କର୍ତ୍ତୁପକ୍ଷ, ସମ୍ବଲପୁର ଉନ୍ନୟନ କର୍ତୃପକ୍ଷ, ତାଳଚେଳ-ଅନୁଗୁଳ-ମୁଣ୍ଡୁଳି ଉନ୍ନୟନ କର୍ତୃପକ୍ଷ , ରାଉରକେଲା ଉନ୍ନୟନ କର୍ତୃପକ୍ଷ, ବ୍ରହ୍ମପୁର ଉନ୍ନୟନ କର୍ତୃପକ୍ଷ , ପୁରୀ-କୋଣାର୍କ ଉନ୍ନୟନ କର୍ତୃପକ୍ଷ , କଳିଙ୍ଗନଗର ଉନ୍ନୟନ କର୍ତ୍ତୁପକ୍ଷ ଏବଂ ପାରାଦ୍ୱୀପ ଉନ୍ନୟନ କର୍ତୃପକ୍ଷ ।

ତେବେ ସର୍ବକ୍ଷମା ଯୋଜନାେ ଅଗ୍ନି ନିର୍ବାପନ ସମ୍ବନ୍ଧୀୟ ସମସ୍ତ ନିୟମାବଳୀ ଅନୁସାରେ ଅନୁମୋଦିତ ଧାରା ସହିତ ଓଡିଶା ଅଗ୍ନି ନିର୍ବାପକ ସୁରକ୍ଷା ନିୟମ ୨୦୧୭ର ସମସ୍ତ ଧାରାକୁ ପାଳନ କରିବା । ସମସ୍ତ ଉନ୍ନୟନ କର୍ତୃପକ୍ଷ ଅଧିନରେ ପୂର୍ବରୁ ହୋଇଥିବା ବେଆଇନ ନିର୍ମାଣ ଯଥା ପ୍ଲାନ ଅନୁମୋଦନ ବାହାରେ କୋଠା ନିର୍ମାଣକୁ ବୈଧୀକରଣ ପାଇଁ ସର୍ବକ୍ଷମା ଯୋଜନା ଆରମ୍ଭ ହୋଇଛି । ବିନା ଅନୁମୋଦନରେ ନିର୍ମାଣ କରିଥିବା କୌଣସି ନାଗରିକ ସର୍ବକ୍ଷମା ଯୋଜନାରେ ଅନୁମୋଦନ କରିବା ପାଇଁ ସମ୍ପୃକ୍ତ ଉନ୍ନୟନ କର୍ତୃପକ୍ଷଙ୍କ ପାଖରେ ଉଦ୍ଦିଷ୍ଟ ଫର୍ମରେ ଅର୍ଥ ପୈଠ କରି ଦରଖାସ୍ତ ଆବେଦନ କରିପାରିବେ ।

କିଭଳି କାର୍ଯ୍ୟକାରୀ ହେବ ସର୍ବକ୍ଷମା ଯୋଜନା:
ଏହି ଯୋଜନାଭୁକ୍ତ ହେବା ପାଇଁ ଗୃହନିର୍ମାଣ ପ୍ଲାନର ଚାରିକିତା ନକଲ, ନିର୍ମାଣ କାର୍ଯ୍ୟବଳୀର ବିବରଣୀ ସହ ଦାଖଲ କରିବାକୁ ହେବ । ଏହାସହ ଆପତ୍ତି ବିହୀନ ପ୍ରମାଣପତ୍ର( ଏନ-ଓ-ସି), ଯଥା- ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ଯାହାକି ପ୍ଲାନିଙ୍ଗ ଏବଂ ବିଲ୍ଡିଂ ଷ୍ଟାଣ୍ଡାର୍ଡସ ରେଗୁଲେସନ ଦ୍ୱାରା ଆଧାରିତ, ଦାଖଲ କରିବାକୁ ହେବ । ତେବେ ଏଣିକି ବିଭିନ୍ନ ଉନ୍ନୟନ କର୍ତୃପକ୍ଷ ଅଧିନରେ ଯଦି କୌଣସି ବ୍ୟକ୍ତି ପ୍ଲାନ ଅନୁମୋଦନ ବାହାରେ କୋଠା ନିର୍ମାଣକାରୀଙ୍କୁ ବର୍ଗଫୁଟ ହିସାବରେ ଜରିମାନା ଦେବାକୁ ପଡିବ । ୩୦୦ ବର୍ଗମିଟର ପ୍ଲଟର ନିୟମିତିକରଣ ପାଇଁ ପଡୋଶୀଙ୍କ ଏନ-ଓ-ସି ନଥିଲେ ମଧ୍ୟ ବିଚାରକୁ ନେବେ ରାଜ୍ୟ ସରକାର । ଉଚ୍ଚ ଓ ଅନୁଚ୍ଚ ଅଟ୍ଟାଳିକା, ଯେଉଁଥିରେ ପ୍ଲଟ ସାଇଜ ୩୦୦ ବର୍ଗମିଟର ଭିତରେ ହୋଇଥିବା ସେଥିରେ କ୍ରାଉଣ୍ଡ କଭରେଜ ୧୦୦ ପ୍ରତିଶତ ହେଲେ ମଧ୍ୟ ପାର୍କିଂ ଆଦିରେ କିଛି ତାରତମ୍ୟ ଥିଲେ ଏହିପରି ମାମଲାରେ ଦେୟ ପୈଠକରି ନିୟମିତ କରାଯାଇ ପାରିବ ।

ବାସସ୍ଥାନଭିତ୍ତିକ ଗୃହ, ଯାହାକି ଉଚ୍ଚ ଅଟ୍ଟାଳିକା ନୁହେଁ ମାତ୍ର, ୩୦୦ ବର୍ଗମିଟରରୁ ଅଧିକ ଓ ଗ୍ରାଉଣ୍ଡ କଭରେଜ ୭୫ ପ୍ରତିଶତ ପର୍ଯ୍ୟନ୍ତ ଥିବ , ସେ କ୍ଷେତ୍ରରେ ସେଟ୍ ବ୍ୟାକ ଓ ପାର୍କିଂ ନିୟମାବଳୀକୁ କୋହଳକରି ନିୟମିତିକରଣ କରାଯାଇପାରିବ । ବାସସ୍ଥାନ ପାଇଁ (ଅନୁଚ୍ଚ ଅଟ୍ଟାଳିକା) କ୍ଷେତ୍ରରେ ସିଡିଘର ଏବଂ ବାରଣ୍ଡା ଚଉଡା ସଂକ୍ରାନ୍ତୀୟ ନିୟମ ସଂପୂର୍ଣ୍ଣ କୋହଳ କରାଯାଇଛି । ଅଗ୍ନିଶମ ସମ୍ପର୍କିତ ସ୍ଥାପନା ଯଥା, ଭୂତଳ ଜଳ ଟାଙ୍କି ଏବଂ ଛାତ ଉପରେ ଟାଙ୍କି ରଖିବା ଆଇନ ଅନୁସାରେ ନିର୍ମାଣ ହେବା ବାଧ୍ୟତାମୂଳକ । ଆବେଦନକାରୀ ଦରଖାସ୍ତ ସହିତ ନିଜେ କରାଇଥିବା ଆକଳନ ଏବଂ ରଫାଯୋଗ୍ୟ ସମ୍ପୃକ୍ତ ଉନ୍ନୟନ କର୍ତୃପକ୍ଷଙ୍କ ଠାରେ ଏକ କିସ୍ତିରେ ଦାଖଲ କରିବେ । ଆବେଦନକାରୀ ଧାର୍ଯ୍ୟ ଦେୟ ଠାରୁ ଅଧିକ ଦେୟ ପ୍ରଦାନ କରିଥିଲେ ଏହା ବିନା ସୁଧରେ ଫେରସ୍ତ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ଆଦାୟ ହୋଇଥିବା ଅର୍ଥ ସିଆଇଡିଏଫରେ ଜମାହୋଇ ରହିବା ସହ ଉନ୍ନୟନ କର୍ତ୍ତୁପକ୍ଷ ଅଧିନରେ ଥିବା ଅଞ୍ଚଳରେ ପାର୍କି ଭିତ୍ତିଭୂମି ପାଇଁ ଖର୍ଚ୍ଚ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ଅନ୍ୟ କେଉଁଥିରେ ଲାଗୁ ହେବ ସର୍ବକ୍ଷମା:

-୨୦୦ ବର୍ଗମିଟରରୁ ୧୦୦୦ ବର୍ଗମିଟର ପ୍ଲଟ ସାଇଜ ଥିବା ଅନୁଷ୍ଠାନ ପାଇଁ ଆପ୍ରୋଚ ରୋଡ ୬ ମିଟର ଚଉଡା ହେବା ଦରକାର ।

  • ଯେଉଁ ଅନୁଷ୍ଠାନରେ ଆପ୍ରୋଚ ରୋଡ ୬ ମିଟର ଚଉଡା ସାଧାରଣ ସଡକର ସୁବିଧା ଅଛି ସେ କ୍ଷେତ୍ରରେ କୌଣସି ବାଧ୍ୟକତା ରହିବ ନାହିଁ ।
  • ଉଚ୍ଚ ଅଟ୍ଟାଳିକା ହୋଇନଥାଇ ପ୍ଲଟର ଆକାର ୧୦୦୦ ବର୍ଗମିଟରରୁ ଅଧିକ ଥିଲେ ଗୋଟିଏ ପାଶ୍ୱର୍ରେ ସାଧାରଣ ରାସ୍ତା ଅତିକମରେ ୪.୫ ମିଟର ଚଉଡା ହୋଇଥିବା ସହ ପଛ ପାଶ୍ୱର୍ରେ ୬ ମିଟର ଚଉଡାଥିଲେ ତାହା ଖୋଲା ଜାଗା ହିସାବରେ ଏର୍ମଜେନ୍ସି ବ୍ୟବହାର ପାଇଁ କୋହଳ କରାଯାଇ ପାରିବ ।
  • ୧୮ ମିଟର ଉଚ୍ଚ ଅଟ୍ଟାଳିକାରେ ଥିବା ଅନୁଷ୍ଠାନ ପାଇଁ ସଂଶ୍ଳିଷ୍ଟ ରାସ୍ତା ୨ ମିଟର ଚଉଡା ହେବା ଉଚିତ ଏବଂ ୧୮ ମିଟରରୁ ଅଧିକ ଉଚ୍ଚ ଅନୁଷ୍ଠାନ ପାଇଁ ୧୨ ମିଟର ହେବା ଆବଶ୍ୟକ ।