ସାରଥୀଙ୍କ ଭାଇ ଦେବେନ୍ଦ୍ର ରାଉଳଙ୍କୁ ଇଡିର ମାରାଥନ୍ ଜେରା

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିବାଦୀୟ ସାରଥୀ ବାବାଙ୍କ ଅର୍ଥ କାରବାରର ପର୍ଦ୍ଦାଫାଶ କରିବାକୁ ଅଂଟା ଭିଡିଲା ଇଡି । ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଭାଇ ଦେବେନ୍ଦ୍ର ରାଉଳଙ୍କୁ ଘଂଟା ଘଂଟା ଧରି ଜେରା କରିଛି ପ୍ରବର୍ତନ ନିର୍ଦେଶାଳୟ । ପାଖାପାଖି ୩ ଘଂଟା ଧରି ଜେରା ହୋଇଛି । ସତ୍ୟମ ଟ୍ରଷ୍ଟ ଜରିଆରେ ସାରଥୀ ସଂଗ୍ରହ କରୁଥିବା ଅର୍ଥକୁ ଭାଇ ଦେବେନ୍ଦ୍ର ରାଉଳ କେଉଁଠାରେ ବିନିଯୋଗ କରିଛନ୍ତି ତାର ଚାଲିଛି ଖୋଳତାଡ । ତେବେ ନିର୍ଦ୍ଦିଷ୍ଟ କେଉଁ ଦିଗକୁ ନେଇ ଜେରା କରାଯାଉଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ସୂଚନା ଅନୁସାରେ, ଦେବେନ୍ଦ୍ରଙ୍କ ବ୍ୟାଙ୍କ ଆକାଉଂଟରୁ ମିଳିଥିବା ୩୨ ଲକ୍ଷ ଟଙ୍କାର ହିସାବ ଖୋଜୁଛି ଇଡି । ସେହିଭଳି ଦାନ ଆକାରରେ ସାରଥୀ ପାଉଥିବା ଟଙ୍କା ସାରଥୀଙ୍କ ସଂପର୍କୀୟ ରଖିଥିବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଥିଲା । ଆଉ ଏହା ଉପରେ ମଧ୍ୟ ଇଡି ଆଖି ରଖିଥିବା ଅନୁମାନ କରାଯାଉଛି । ପୂର୍ବରୁ ସାରଥୀଙ୍କୁ ପ୍ରବର୍ତନ ନିର୍ଦେଶାଳୟର ଅଧିକାରୀ ଚୈାଦ୍ୱାର ଜେଲରେ ଜେରା କରିଥିବା ବେଳେ ଆସନ୍ତା ୪ ତାରିଖରେ ସାରଥୀଙ୍କୁ ପୁଅ ସତ୍ୟମଙ୍କୁ ଜେରା କରିବାର ସମ୍ଭାବନା ରହିଛି । ସେପଟେ ସାରଥୀଙ୍କ ପୂର୍ବତନ ସହଯୋଗୀ ଖଗାଙ୍କୁ ମଧ୍ୟ ଆଜି ଇଡି ଜେରା କରୁଛି ।

ସୂଚନା ଅନୁସାରେ, ଦେବେନ୍ଦ୍ର ରାଉଳଙ୍କ ବ୍ୟବସାୟିକ ଦିଗ ପ୍ରତି ମଧ୍ୟ ପଡିଛି ଇଡିର ଆଖି । ସତ୍ୟମ ଟ୍ରଷ୍ଟର ଟଙ୍କା ଦେବେନ୍ଦ୍ର ରାଉଳ ବେପାର ବଣିଜରେ ଲଗାଇଥିଲେ କି? ତିଆରି ହେଉଥିବା ମ୍ୟୁଜିକ କ୍ୟାସେଟ, ଷ୍ଟୁଡିଓ, ଅଭିନୟ କରୁଥିବା ଅଭିନେତାଙ୍କୁ କେଉଁଠୁ ଦିଆଯାଉଥିଲା ଟଙ୍କା? ଏହାର ମୁଳ ଖୋଜୁଛି ପ୍ରବର୍ତନ ନିର୍ଦେଶାଳୟ । ବିକ୍ରି ହେଉଥିବା କ୍ୟାସେଟର ଅର୍ଥ କାହା ଆକଉଂଟକୁ ଯାଉଥିଲା ତାର ମଧ୍ୟ ହୋଇଛି ଅନୁଧ୍ୟାନ । ଏପରିକି ଟେଣ୍ଡର କାରବାର ଉପରେ ମଧ୍ୟ ପଡିଛି ଇଡିର ଆଖି ।