ଆଜି ସରସ୍ଵତୀ ପୂଜା ! ବାଗଦେବୀଙ୍କ ଆରାଧନା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଉତ୍ସବ ମୁଖର

224

କନକ ବ୍ୟୁରୋ : ପବିତ୍ର ଶ୍ରୀପଞ୍ଚମୀରେ ଧରାବତରଣ କରିବେ ମା’ସରସ୍ୱତୀ । ସରସ୍ଵତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ଵତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ମନୋରମ ଭାବେ ସଜାଇ ଥାଆନ୍ତି । ମାତା ସରସ୍ଵତୀଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି । ଏଇ ଦିନ ପିଲାମାନେ ଦେବୀ ସରସ୍ଵତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି । ମା ସରସ୍ଵତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ଵେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ମା ସରସ୍ଵତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି ।

ଅନ୍ୟ ଦେବାଦେବୀଙ୍କ ପୂଜାର୍ଚନ ପାଇଁ ସ୍ୱତନ୍ତ୍ର ମନ୍ଦିର ନଥିବାରୁ ମା’ ସରସ୍ୱତୀଙ୍କ ଆଗମନ ପାଇଁ ଏହି ଦିନଟିକୁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ମୂର୍ତ୍ତିକାର ସମସ୍ତେ ଆଗମନ କରିଥାନ୍ତି । ତେଣୁ ଚଳଚଞ୍ଚଳ ହୋଇଉଠି ରାଜଧାନୀ । ଶିକ୍ଷାନୁଷ୍ଠାନ, ଘର, କୋଚିଂ ସେଣ୍ଟର ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରଦ୍ଧାଳୁଙ୍କ ଚାହିଦାକୁ ଦୃଷ୍ଟିରେ ରଖି କାରିଗର ମୂର୍ତିରେ ଶେଷ ସ୍ପର୍ଶ ଦେଉଥିବାବେଳେ ପୂଜା ମଣ୍ଡପଗୁଡ଼ିକ ସଜେଇ ହେଉଛି ।

ୟୁନିଟ୍‌-୧ ହାଟର ମୂର୍ତ୍ତି ବେପାରୀ ଭରତ ବେହେରା କହିବା ଅନୁଯାୟୀ ଗଣେଶ ଓ ବିଶ୍ୱକର୍ମା ପୂଜା ଭଳି ସରସ୍ୱତୀ ପୂଜା ବଡ଼ ଆକାରରେ ହୋଇନଥାଏ। ଆଜିକାଲି ଛାତ୍ରଛାତ୍ରୀମାନେ ବଙ୍ଗାଳି ମୂର୍ତ୍ତିକୁ ବେଶି ପସନ୍ଦ କରୁଛନ୍ତି। ଏହାର ଫିନିସିଙ୍ଗ୍‌ ଭଲ ଓ ଧରିବାକୁ ହାଲୁକା। ବିଭିନ୍ନ ରଙ୍ଗର ଶାଢ଼ିରେ ଓ ଖୁବ୍‌ ନିଖୁଣ ଭାବେ କାମ ହୋଇଥିବାରୁ ଏହାର ଆଦର ବେଶି। କିନ୍ତୁ ଓଡ଼ିଶାର ମୂର୍ତ୍ତି ସମ୍ପୂର୍ଣ୍ଣ ମାଟିରେ ତିଆରି ହୁଏ। ସେଥିପାଇଁ ଓଜନ ଅଧିକ। ୫ଫୁଟରୁ ନେଇ ୧୦ଫୁଟ ପର୍ଯ୍ୟନ୍ତ ମୂର୍ତ୍ତି ମିଳୁଛି। ଯାହାର ଦାମ୍‌ ୧୦୦ଟଙ୍କାରୁ ଆରମ୍ଭ କରି ୭୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି। କଟକ, ଆଠଗଡ଼ ଓ କଲିକତାରୁ ଏହି ମୂର୍ତ୍ତି ଆଣାଯାଉଛି।

ହଂସ ଉପରେ ବସିଥିବା ମୂର୍ତିଠୁ ନେଇ ପଦ୍ମ ଉପରେ ଉପବିଷ୍ଟ ମୂର୍ତ୍ତି । ଲୋକଙ୍କ ରକମ ରକମର ଚାହିଦାକୁ ଗୁରୁତ୍ୱ ଦେଇ କାରିଗରମାନେ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି । ସବୁ ପ୍ରକାର ମୂର୍ତ୍ତିର ଦର ଭିନ୍ନଭିନ୍ନ ରହିଛି। ବାଣୀବିହାର ନିକଟରେ ମୂର୍ତ୍ତି ତିଆରି କରୁଥିବା କାରିଗର ପିନୁ ବେହେରାଙ୍କ କହିବା ଅନୁଯାୟୀ ମହାନଦୀରୁ ମାଟି ଆଣି ମୂର୍ତ୍ତି ତିଆରି ପାଇଁ ତାଙ୍କୁ ପ୍ରାୟ ୪ଦିନ ସମୟ ଲାଗେ । ମୂର୍ତିଗୁଡ଼ିକର ଦାମ୍‌ ପ୍ରାୟ ୧୦୦୦ଟଙ୍କାରୁ ନେଇ ୮୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି ।

ପବିତ୍ର ଶ୍ରୀପଂଚମୀ ଅବସରରେ ଆଜି ସଂଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ରଥକାଠ ପୂଜା କରାଯିବ । ପୂଜା ସରିବା ପରେ ଅନୁଷ୍ଠାନିକ ଭାବେ ରଥଖଳା ପ୍ରସ୍ତୁତ ହେବ ଓ ସେଠାକୁ ରଥ କାଠ ଆସିିବ । ୩ଟି ଧଉରା କାଠକୁ ରାଜଗୁରୁ ଆଜି ସଂଧ୍ୟାରେ ପୂଜାର୍ଚ୍ଚନା କରିବେ । ସେହିପରି ରାମ ନବମୀରେ ରଥକାଠ ଚିରଟ ପାଇଁ କଟକ ସରକାରୀ କରତକଳକୁ ଯିବ ବୋଲି ସୂଚନା ମିଳିଛି । ସେପଟେ ଆଜି ସଂଧ୍ୟାରେ ବସିବ ଛତିଶାନିଯୋଗ ବୈଠକ । ଏଥିରେ ନାଟମଣ୍ଡପ ମରାମତି ଓ ଚନ୍ଦ୍ରଗ୍ରହଣ ସମୟରେ ଶ୍ରୀଜିଉଙ୍କ ନୀତି ନିର୍ଘଂଟ କରାଯିବ । ଏହାସହ ଶ୍ରୀମନ୍ଦିରରେ ସେବାୟତଙ୍କ ମୋବାଇଲ ବ୍ୟବହାର ଉରରେ ଲାଗି ଥିବା କଟକଣାକୁ ନେଇ ସରଗରମ ଆଲୋଚନା ହୋଇପାରେ ବୋଲି ସମ୍ଭାବନା ରହିଛି ।