ସିଂହଦ୍ୱାରରୁ ତିନି ରଥ ଟଣାହୋଇ ଶରଧାବାଲିରେ ପହଁଚନ୍ତି । ଶରଧାବାଲିରୁ ଆଡପମଣ୍ଡପକୁ ବିଜେ ହୁଅନ୍ତି । ଏଇ ଶରଧାବାଲିକୁ ନେଇ ଭକ୍ତଙ୍କ ମନରେ ଅନେକ କୌତୁହଳ ।  ତ୍ରୟୋଦଶ ଶତାବ୍ଦୀରେ ପୁରୀର ଗଜପତି ଥିଲେ ଭାନୁଦେବ । ଆଉ ତାଙ୍କ ମହାରାଣୀଙ୍କ ନାମ ଥିଲା ଶ୍ରଦ୍ଧାଦେବୀ । ଆଜିର ଶରଧାବାଲିକୁ ସେତେବଳେ ବାଙ୍କି ମୁହାଣ ନାମରେ ସମସ୍ତେ ଜାଣୁଥିଲେ । ବାଙ୍କି ମୁହାଣରେ ଇନ୍ଦ୍ରଦ୍ୟୁମ୍ନରାଜା ପ୍ରଥମେ ସମୁଦ୍ରରୁ ଦାରୁ ସଂଗ୍ରହ କରିଥିଲେ । ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପ୍ରତିମା ନିର୍ମାଣ କରିଥିଲେ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ନିର୍ମାଣ କରାଇ ତିନିଠାକୁରଙ୍କୁ ସିଂହାସନରେ ବସାଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ସେତେବେଳ ପୁରୀ ସହରକୁ ତିନୋଟି ଛୋଟ ଛୋଟ ନଦୀ ଘେରି ରହିଥିଲେ । ସେଥିରୁ ମାଳିନୀ ନାମକ ନଦୀଟି ବାଙ୍କି ମୁହାଣଠାରେ ସମୁଦ୍ରରେ ମିଶିଥିଲା । ତେଣୁ ମାଳିନୀ ନଦୀଦ୍ୱାରା ବଡ଼ଦାଣ୍ଡ ଦୁଇଭାଗରେ ବିଭକ୍ତ ହୋଇଥିଲା । ଫଳରେ ଗୁଣ୍ଡିଚା ମନ୍ଦିରକୁ ଶ୍ରୀମନ୍ଦିର ସହିତ ସିଧା ସଂଯୋଗ ହୋଇ ପାରୁନଥିଲା ।

ଇନ୍ଦ୍ରଦ୍ୟୁମ୍ନ ରାଜା ପ୍ରଥମେ ତିନୋଟି ରଥ ନିର୍ମାଣ କରି ଠାକୁରମାନଙ୍କୁ ନେଇ ମାଳିନୀ ନଦୀକୂଳକୁ ନେଲେ । ନଦୀରେ ତିନୋଟି ବଡ଼ ଡଙ୍ଗାରେ ପ୍ରତିମାମାନଙ୍କୁ ପାରିକରି ଶ୍ରୀମନ୍ଦିର ପାର୍ଶ୍ୱକୁ ନେଲେ । ଏପଟେ ନଦୀକୂଳରୁ ଆଉ ତିନୋଟି ରଥ ନିର୍ମାଣ କରି ଶ୍ରୀମନ୍ଦିରକୁ ନେଇ ପ୍ରତିଷ୍ଠା କରିଥିଲେ । ସେହି ସମୟଠାରୁ ରଥଯାତ୍ରାର ସୃଷ୍ଟି ହୋଇଛି ବୋଲି ଅନେକ ମତ ଦିଅନ୍ତି । ଏହାଥିଲା ଠାକୁରଙ୍କ ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ପ୍ରଥମ ରଥଯାତ୍ରା । ଏହାପରେ ପ୍ରଭୁ ନିଜେ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ କହିଲେ, ସବୁବର୍ଷ ତାଙ୍କର ଜନ୍ମସ୍ଥାନ ବା ଆଡ଼ପ ମଣ୍ଡପକୁ ଯିବାକୁ ଆଷାଢ଼ମାସ ଶୁକ୍ଳ ପକ୍ଷଦ୍ୱିତୀୟାରେ ତାଙ୍କର ରଥଯାତ୍ରା କରିବାକୁ । ଇନ୍ଦ୍ରଦ୍ୟୁମ୍ନଙ୍କ ଶାସନ କାଳରୁ ଆଜିଯାଏ ସେହିପରି ରଥଯାତ୍ରା ଚଳିଆସୁଅଛି । ସେତେବେଳେ ଆଜିଭଳି ରାସ୍ତାଘାଟର ସୁବିଧା ନଥିଲା । ତେଣୁ ବାଲି ମାଟିରେ ରଥ ଟାଣିବା ବହୁତ କଷ୍ଟ ହେଉଥିଲା । ରାଜା ଅଶ୍ୱ, ଗଜ ଓ କଳାବେଠିଆମାନଙ୍କୁ ଲଗାଇ ରଥ ଟାଣୁଥିଲେ । ଛଅଟି ରଥ ତିଆରି କରି ରଥଯାତ୍ରା କରିବା ବହୁତ କଷ୍ଟସାଧ୍ୟ ହେଉଥିଲା । ଏଥିପାଇଁ ନବଦିନାତ୍ମକ ଯାତ୍ରା ଗୋଟିଏ ମାସରୁ ଉର୍ଦ୍ଧ୍ବ ସମୟ ଲାଗୁଥିଲା ।ଥ୧ଧଏହିପରି ଅସୁବିଧାକୁ ଦେଖି ମହାରାଣୀ ଶ୍ରଦ୍ଧାଦେବୀଙ୍କ ଏକ ଉଦ୍ଭଟ ଚିନ୍ତା ଆସିଲା । ସେ ଗଜପତି ମହାରାଜାଙ୍କୁ କହିଲେ

ଆମର ରଥଯାତ୍ରା କରିବାକୁ ଏତେ ଅସୁବିଧା ହେଉଛି । ତେଣୁ ତୁମେ ଯଦି ମାଳିନୀ ନଦୀକୁ ପୋତି ଦିଅନ୍ତ ତେବେ ତିନୋଟି ରଥ ସିଧା ଗୁଣ୍ଡିଚା ମନ୍ଦିରକୁ ଯାଇ ପାରନ୍ତା । ଭାନୁଦେବ ଏକଥା ଶୁଣି ହସିକରି କହିଲେ, ତୁମର ମୁଣ୍ଡ ଖରାପ ହେଲାଣି ନା କ’ଣ ? ନଦୀ ପୋତିବା କ’ଣ ଏତେ ସହଜ ? ରାଣୀ କହିଲେ ଭଣ୍ଡାରରୁ ମୋତେ କିଛି ଅର୍ଥ ଦିଅନ୍ତୁ ମୁଁ ଯାଇ ବାଲି ପକାଇ ନଦୀ ପୋତା କାର୍ୟ୍ୟ ଆରମ୍ଭ କରିବି । ତଥାପି ରାଜା ମହାରାଣୀଙ୍କ କଥାକୁ ବିଶ୍ୱାସ କରିପାରିଲେ ନାହିଁ । ଶେଷରେ ରାଣୀ କହିଲେ ଆମେ ପୋତିବା କାର୍ୟ୍ୟ ଆରମ୍ଭ କରିଦେଲେ ଆମର ପରପିଢ଼ି କେହି କେବେ ତ ଏ କାର୍ଯ୍ୟ ସଂପାଦନ କରିପାରିବେ । ତେଣୁ ଏହି କାର୍ୟ୍ୟଟି କରିବା ଦାୟିତ୍ୱ ମୋତେ ଦିଅନ୍ତୁ । ଶେଷରେ ରାଣୀଙ୍କ କଥାରେ ଗଜପତି ସମ୍ମତ ହୋଇ ବାଲି ପକାଇ ନଦୀ ପୋତା କାର୍ଯ୍ୟ ଆରମ୍ଭ କରିଦେଲେ । ଭଗବାନଙ୍କର ଏ ଥିଲା ଏକ ବିଚିତ୍ର ଲୀଳା । ଚାହୁଁ ଚାହୁଁ ସେହି ବର୍ଷ ରଥଯାତ୍ରା ପୂର୍ବରୁ ମାଳିନୀ ନଦୀଟି ବାଲିରେ ପୋତି ହୋଇଗଲା ।

ଗଜପତି ଆଶ୍ଚର୍ଯ୍ୟ ହୋଇଗଲେ । ଫଳରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରଯାଏ ଗୋଟିଏ ବଡ଼ଦାଣ୍ଡ ହୋଇପାରିଲା । ଛଅଟି ରଥ ପରିବର୍ତ୍ତେ ତିନୋଟି ରଥରେ ଠାକୁରଙ୍କର ଘୋଷଯାତ୍ରା ହୋଇପାରିଲା । ଗଜପତି ବହୁତ ଖୁସି ହୋଇଗଲେ । ମହାରାଣୀ ଶ୍ରଦ୍ଧାଦେବୀଙ୍କଦ୍ୱାରା ବାଲି ପୋତାଯାଇ ଏଭଳି ଏକ ଅସମ୍ଭବ କାର୍ୟ୍ୟ ହୋଇ ପାରିଥିବାରୁ, ଗଜପତି ଖୁସିହୋଇ ମହାରାଣୀଙ୍କ ନାମ ଶ୍ରଦ୍ଧା ସହିତ ବାଲିକୁ ଯୋଡ଼ି ଦେଇ ସେହି ସ୍ଥାନଟିର ନାମ ରଖିଲେ ‘ଶ୍ରଦ୍ଧାବାଲି’ । ହେଲେ କାଳକ୍ରମେ ଶ୍ରଦ୍ଧା ଶବ୍ଦର ଉଚ୍ଚାରଣ ଶରଧା ହୋଇ ନାମ ହୋଇଗଲା ‘ଶରଧାବାଲି’ ଯାହାକି ଆଜି ଏକ କାହାଣୀ ହୋଇଯାଇଛି ।