ରାଜ୍ୟ ସରକାରଙ୍କୁ ଶଙ୍କରାଚାର୍ଯ୍ୟଙ୍କ ଚେତାବନୀ, ରଥଯାତ୍ରା ପୂର୍ବରୁ ଗୋବର୍ଦ୍ଧନ ମଠ ଜମି ନ ଫେରାଇଲେ ଦେବାଦେବୀଙ୍କ ଉଗ୍ରରୂପ ଦେଖିବେ ସରକାର

36

କନକ ବ୍ୟୁରୋ : ଗୋବର୍ଦ୍ଧନ ମଠ ଜମିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଗୋବର୍ଦ୍ଧନ ପୀଠ ମଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଏପରିକି ଶଙ୍କରାଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ଗୋବର୍ଦ୍ଧନ ମଠ ଜମିକୁ ଶ୍ରୀଜଗନ୍ନାଥ ପରିଚାଳନା କମିଟି ନାଁରେ କରିବା ପାଇଁ ପୁୁରୀ ତହସିଲଦାରଙ୍କ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଅନ୍ୟାୟ ନାଁ ମୁସଲମାନ ସମ୍ପ୍ରଦାୟରେ ନାଁ ଖ୍ରଷ୍ଟିଆନ ସମ୍ପ୍ରଦାୟର ଲୋକ କେବେ କରିଛନ୍ତି । ଯେଉଁ ମଠ ଭାରତ ଏବଂ ହିନ୍ଦୁ ଧର୍ମକୁ ବୈଦିକ ତଥ୍ୟ ଜଗନ୍ନାଥ ସଂସ୍କୃତି ଏବଂ ଅନେକ କିଛି ପରିଚୟ ଭାରତକୁ ଦେବାରେ ପ୍ରମୂଖ ଭୂମିକା ଗ୍ରହଣ କରିଛି । ଆଜି ସେହି ମଠ ପ୍ରତି ଅନ୍ୟାୟ କରିଛନ୍ତି ରାଜ୍ୟ ସରକାର । ତେଣୁ ଓଡିଶା ସରକାରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ଯାହାଦ୍ୱାରା ନିଜ ଶାସନକାଳ କଳଙ୍କିତ ନ କରନ୍ତୁ ।

ମଠ ପ୍ରତି କରିଥିବା ଅନ୍ୟାୟକୁ ତୁରନ୍ତ ସମାଧାନ କରି ମଠକୁ ରାଜ୍ୟ ସରକାର ସୁରକ୍ଷା ଦିଅନ୍ତୁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ଖୋଲାଖୋଲିଭାବେ ରାଜ୍ୟସରକାରଙ୍କୁ ଚେତାବନୀ ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ରଥଯାତ୍ରା ପର୍ଯ୍ୟନ୍ତ ରାଜ୍ୟସରକାରଙ୍କ ପାଖରେ ସମୟ ଅଛି । ଯେଉଁ ୫ ଏକର ଜମିକୁ ଜଗନ୍ନାଥ ପରିଚାଳନା କମିଟି ନାଁରେ କରିଛନ୍ତି ତୁରନ୍ତ ମଠ ନାଁରେ ହସ୍ତାନ୍ତର କରନ୍ତୁ । ନଚେତ୍ ଦେବାଦେବୀଙ୍କ କୋପର ପ୍ରଭାବରେ କିଛି ବି ହୋଇ ପାରେ ବୋଲି ରୋକ ଠୋକ କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

ତେବେ ଶଙ୍କରାଚାର୍ଯ୍ୟ ଆଉ ଏକ ପ୍ରସଙ୍ଗ ଉପରେ ଗରୁତ୍ୱାରୋପ କରିଛନ୍ତି ଯେ ନବକଳେବର ପରଠାରୁ ମତେ ଶ୍ରୀମନ୍ଦୀର କିମ୍ବା ଅନ୍ୟ କୌଣସି ବାବଦରେ ପଚରା ଯାଉ ନାହିଁ । ରାଜ୍ୟ ସରକାର ଶ୍ରୀମନ୍ଦିରକୁ ନେଇ ମନମୁଖୀ ଶାସନ କରୁଛନ୍ତି । ସେହିପରି ଛତିଶଗଡ ଓ ଓଡିଶା ମଧ୍ୟରେ ଚାଲିଥିବା ମହାନଦୀ ବିବାଦରେ ମଧ୍ୟ ମୁହଁ ଖୋଲିଛନ୍ତି ଶଙ୍କରାଚାଯ୍ୟ । ମହାନଦୀ ହେଉଛି ପବିତ୍ର ଜଳ ଶାଖା , ଯାହା ଉପରେ ଅନ୍ୟାୟ ନହେଉ । ମହାନଦୀ ଉପରେ ଉଭୟ ରାଜ୍ୟର ଅଧିକାର ଅଛି ତେଣୁ ଉଭୟ ରାଜ୍ୟଙ୍କୁ ନ୍ୟାୟ ମିଳୁ । ଯେଉଁ ରାଜ୍ୟର ଯେତିକି ଯୋଜନା କାର୍ଯ୍ୟକାରୀ କରୁଛି କି ଆଗକୁ ଯାହା କାର୍ଯ୍ୟକାରୀ କରିବ ତାହା ଦେଶ ପାଇଁ ମଙ୍ଗଳ ହେଉ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । କିନ୍ତୁ ରାଜ୍ୟ ରାଜ୍ୟ ମଧ୍ୟରେ ବିଭାଜନ ସୃଷ୍ଟ ନ ହେଉ ବରଂ ରାମରାଜ୍ୟ ଗଠନ କରିବା ସମସ୍ତଙ୍କ ପ୍ରୟାସ ରହୁ ବୋଲି କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।