ଶ୍ରୀମନ୍ଦିରକୁ କରାନଯାଉ ଗାନ୍ଧିଙ୍କ ସମାଧି ପରି ବ୍ୟବହାର । ଅଣହିନ୍ଦୁ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ରଖିଲେ ବଡ ମତ

60

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି ମହାତ୍ମା ଗାନ୍ଧିଙ୍କ ସମାଧି ପୀଠ ସହ ଶ୍ରୀମନ୍ଦିରର ତୁଳନା କରାନଯାଉ । ଆସ୍ଥା ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିରକୁ ଗାନ୍ଧିଙ୍କ ସମାଧି ପରି ବ୍ୟବହାର କରାଯିବା ଅନୁଚିତ । ଏଥିସହ ଶ୍ରୀମନ୍ଦିରରେ ସେବାୟତଙ୍କ ବଂଶାନୁକ୍ରମିକ ସେବାକୁ ବି ସମର୍ଥନ କରିଛନ୍ତି ଶଙ୍କରାଚାର୍ଯ୍ୟ ।

ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କୌଣସି ଫ୍ୟାକଟ୍ରି କି ଗାନ୍ଧିଙ୍କ ସମାଧୀ ପୀଠ ଧାରଣ କରିବା ପୂର୍ବରୁ ସେଥିପ୍ରତି ଧ୍ୟାନ ଦେବା ଜରୁରୀ । ଅର୍ଥାତ୍, ଗାନ୍ଧିଙ୍କ ସମାଧୀ ପୀଠକୁ ଯେପରି ସବୁ ଧର୍ମର ଲୋକ ଯାଆନ୍ତି , ସେଭଳି ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନକରନ୍ତୁ । ଏଥପ୍ରତି ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ ।

ଗୋଟିଏ ପଟେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ, ଅନ୍ୟପଟେ ସେବାୟତଙ୍କ ବଂଶାନୁକ୍ରମିକ ସେବା । ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଆଦେଶ ପ୍ରସଙ୍ଗରେ ଗୋବର୍ଦ୍ଧନ ପୀଠରେ ବସିଥିଲା ବୈଠକ । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶରଣ ପଶିଥିଲେ ପରିଚାଳନା କମିଟି ସଦସ୍ୟ ଓ ବିଭିନ୍ନ ନିଯୋଗର ସେବାୟତ । ଏବଂ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡିଥିଲେ । ଆଉ ଏହି ଆଲୋଚନା ସମୟରେ ସେବାୟତ ମାନଙ୍କୁ ମଧ୍ୟ ନିଜର କର୍ତ୍ତବ୍ୟ ପାଳନ କରିବାକୁ କହିଛନ୍ତି ଶଙ୍କରାଚାର୍ଯ୍ୟ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର ଗଠନ କରିଥିବା ବିଚାର ବିଭାଗୀୟ ତଦନ୍ତ କମିଶନ ଆସନ୍ତା ୩୦ ତାରିଖରେ ପୁରୀ ଆସୁଛନ୍ତି । ସେପଟେ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ବନ୍ଦ ଓ ଅଣହିନ୍ଦୁ ପ୍ରବେଶ ଓ ଦାନ ଦକ୍ଷିଣା ଆଦାୟ ବନ୍ଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରି ମଧ୍ୟ ପୁରୀ ଆସୁଛନ୍ତି । ସେବାୟତଙ୍କ ପାଇଁ ଏହା ବିପତି ଆଣିଦେଇଥିବା ବେଳେ ଏବେ ଶଙ୍କରାଚାର୍ଯ୍ୟଙ୍କ ଶରଣ ପଶିଛନ୍ତି ସେବାୟତ ।