ଜୁନ ୨୫… ଯେବେ ଦେଶରେ ଲାଗୁହେଲା ‘ଇମରଜେନ୍ସି’ ! ସାଂଘାତିକ ଅଭିଯାନ ଚଳାଇଥିଲେ ସରକାର, ୬୦ ଲକ୍ଷ ଲୋକଙ୍କର ହୋଇଥିଲା ବନ୍ଧ୍ୟାକରଣ

92

୨୫ ଜୁନ୍ ।ଏହି ଦିନଟି ଭାରତ ଇତିହାସର ଏକ କଳା ଦିବସ ଭାବେ ଭାରତବାସୀ ମନରେ ରହି ଆସିଛି । ସ୍ୱାଧୀନ ଭାରତ ପାଇଁ ଏହି ଦିନ ପାଲଟି ଯାଇଥିଲା କଳା ଦିବସ । ଆଜକୁ ପ୍ରାୟ ୪୩ ବର୍ଷ ପୂର୍ବେ ଅଥାର୍ତ ୧୯୭୫ ମସିହାରେ ଦେଶରେ ହଠାତ୍ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରିଥିଲେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି । ଯାହା ପୂରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ଜରୁରୀ କାଳୀନ ପରିସ୍ଥିତିର ଘୋଷଣା କରି ଦେଶବାସୀଙ୍କ ମୌଳିକ ଅଧିକାରକୁ ଛଡ଼ାଇ ନେଇଥିଲେ ଇନ୍ଦିରା ଗାନ୍ଧି । ଗଣମାଧ୍ୟମ ଓ ନ୍ୟାୟପାଳିକାର ସ୍ୱାଧୀନତାକୁ ଛଡ଼଼ାଇ ନିଆଯାଇଥିଲା । ସମସ୍ତଙ୍କ ସ୍ୱରକୁ ଗୋଟିଏ ଘୋଷଣା ସହ ଚାପି ଦିଆଯାଇଥିଲା । ଆଉ ଏହି ସମୟରେ ନା କୌଣସି ବ୍ୟକ୍ତି ବା ସଂସ୍ଥା ସରକାରଙ୍କ ବିରୋଧରେ ଲେଖିପାରୁଥିଲେ ନା ପାଟି ଫିଟାଇ ପାରୁଥିଲେ ।

ଜରୁରୀକାଳୀନ ପରିସ୍ଥିତି ରାଜନୈତିକ ଦଳଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଯଥେଷ୍ଟ ପ୍ରଭାବିତ କରିଥିଲା । ଆଉ ଏହି ସମୟରେ ଇନ୍ଦିରା ସରକାରଙ୍କ ଦମନଲୀଳା ଦେଖଥିଲେ ପୂରା ଭାରତବାସୀ । ସବୁ କିଛି ଦେଖୁଥିଲେ ମଧ୍ୟ ପାଟି ଖୋଲିବାର ସୁଯୋଗ ନଥିଲା । ଆଉ ଏହି ସମୟରେ ନିଆଯାଇଥିବା ଆଉ ଏକ ନିଷ୍ପତି ଯାହା ପୂରା ଭାରତବାସୀଙ୍କୁ ଚକିତ କରିଥିଲା ତାହା ଥିଲା, ବନ୍ଧ୍ୟାକରଣ । ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିଥିଲା । ଆଉ ସରକାରଙ୍କ ଏହି ନିୟମ ପ୍ରତ୍ୟେକ ଘରେ ଆତଙ୍କ ଖେଳାଇଥିଲା ।ଜରୁରୀ କାଳୀନ ପରିସ୍ଥିତିରେ ସରକାରଙ୍କ ଏହି ଅଭିଯାନ ସବୁଠୁ ଅଧିକ ଦମନକାରୀ ନିଷ୍ପତି ଥିଲା ।

ବନ୍ଧ୍ୟାକରଣ ଅଭିଯାନର ନିଷ୍ପତି ଇନ୍ଦିରା ସରକାର ନେଇଥିଲେ ସତ କିନ୍ତୁ ଏହାକୁ ସଫଳତାର ସହ ସର୍ମ୍ପନ୍ନ କରିବାକୁ ଗୁରୁଦାୟିତ୍ୱ ସଞ୍ଜୟ ଗାନ୍ଧିଙ୍କ ମୁଣ୍ଡ ଉପରେ ଥିଲା । ସେତେବେଳେ ରାଜନୀତିରେ ଏଣ୍ଟ୍ରି ମାରୁଥିବା ସଞ୍ଜୟଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା । ଫାୟାରବ୍ରାଣ୍ଡ ନିଷ୍ପତି ନେଉଥିବା ସଞ୍ଜୟଙ୍କ ପାଇଁ ବନ୍ଧ୍ୟାକରଣ ଦାୟିତ୍ୱ ଲଞ୍ଚ ପ୍ୟାଡ଼ ପରି ଥିଲା । ପୂର୍ବରୁ ରାଜନୀତିରେ ଅଭିଜ୍ଞତା ହାସଲ କରିନଥିବା ସଞ୍ଜୟ ବନ୍ଧ୍ୟାକରଣ ଲାଗୁ କରିବାକୁ ଯେଉଁଭଳି ନିଷ୍ପତି ନେଲେ ତାହାକୁ ନେଇ ଦେଶର କୋଣ ଅନୁକୋଣରେ ଚର୍ଚ୍ଚା ଆରମ୍ଭ ହେଲା । ରାଜନୀତି କ୍ଷେତ୍ରରେ ନିଜକୁ ପ୍ରମାଣିତ କରିବାକୁ ବନ୍ଧ୍ୟାକରଣ ନିଷ୍ପତିକୁ ଯେଣେତେଣେ ପ୍ରକାର ସଫଳ କରିବାକୁ ଫୁଲ ଦମରେ ଲାଗି ପଡ଼ିଥିଲେ ସଞ୍ଜୟ ।

ଆଉ ସଞ୍ଜୟ ନିଜର ରାଜନୈତିକ ଉତଥାନ ପାଇଁ ଏତେ ବ୍ୟଗ୍ର ଥିଲେ ଯେ, ବନ୍ଧ୍ୟାକରଣ ନାଁରେ ଲୋକଙ୍କ ଉପରେ ଆରମ୍ଭ ହେଲା ଜୁଲୁମ । ବନ୍ଧ୍ୟାକରଣ ଯୋଜନାକୁ ସଫଳ କରିବାକୁ ନିର୍ମମ ପାଲଟିଯାଇଥିଲେ ସଞ୍ଜୟ । ଜରୁରୀ କାଳୀନ ପରିସ୍ଥିତିରେ ଲୋକଙ୍କ ଘରକୁ ଜୋର ଜବରଦସ୍ତି ପଶି ବନ୍ଧ୍ୟାକରଣ କରାଯାଉଥିଲା । ଏପରିକି ବସରେ ଯାଉଥିବା ଲୋକଙ୍କୁ ଓହ୍ଲାଇ ଓ କାହାକୁ ଲୋଭ ଦେଖାଇ ବନ୍ଧ୍ୟାକରଣ ଅଭିଯାନ ଜାରି ରଖିଥିଲେ ସଞ୍ଜୟ ।

ଏକ ରିପୋର୍ଟ ଅନୁଯାୟୀ, ଜରୁରୀ କାଳୀନ ପରିସ୍ଥିତିର ଗୋଟିଏ ବର୍ଷ ମଧ୍ୟରେ ଦେଶର ୬୦ ଲକ୍ଷରୁ ଅଧିକ ଲୋକଙ୍କର ବନ୍ଧ୍ୟାକରଣ କରାଯାଇଥିଲା । ୧୬ ବର୍ଷର କିଶୋରଙ୍କ ଠାରୁ ଆରମ୍ଭ କରି ୭୦ ବର୍ଷର ବୃଦ୍ଧ କାହାକୁ ଛଡ଼ା ଯାଇନଥିଲା । ଏପରିକି ଭୁଲ ଅପରେସନ ଓ ଚିକିତ୍ସା ଯୋଗୁଁ ପ୍ରାୟ ଦୁଇ ହଜାର ଲୋକଙ୍କୁ ଜୀବନ ହାରିବାକୁ ପଡ଼ିଥିଲା । ସଞ୍ଜୟ ଗାନ୍ଧିଙ୍କ ଏହି ମିଶନ ଜର୍ମାନୀର ହିଟଲରଙ୍କ ବନ୍ଧ୍ୟାକରଣ ମିଶନ ଠାରୁ ମଧ୍ୟ ଆହୁରି ସାଘାଂତିକ ଥିଲା । ସଞ୍ଜୟ ଗାନ୍ଧି ଏହି ଅଭିଯାନକୁ ଯୁଦ୍ଧ କାଳୀନ ଭିତ୍ତିରେ ଲାଗୁ କରିବାକୁ ଚାହୁଁଥିଲେ । ଆଉ ଏଥିପାଇଁ ସରକାରୀ କର୍ମଚାରୀଙ୍କୁ ବନ୍ଧ୍ୟାକରଣ କରିବାକୁ ଟାର୍ଗେଟ ଦିଆଯାଇଥିଲା । ଏପରିକି ଟାର୍ଗେଟ ପୂରଣ ନ କଲେ ଦରମା ମିଳିବ ନାହିଁ ବୋଲି ରୋକଠୋକ ଶୁଣାଯାଇଥିଲା । ଦରକାର ପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଥିଲା । ଏହି ଅଭିଯାନର ସମସ୍ତ ତଥ୍ୟ ଉପରେ ନଜର ରଖୁଥିଲେ ନିଜେ ସଞ୍ଜୟ । ଆଉ ଏହାରି ଡ଼ରରେ ବନ୍ଧ୍ୟାକରଣ ଟାର୍ଗେଟ ପୂରଣ କରିବା ପାଇଁ ଦିନରାତି ଏକ କରି ଦେଇଥିଲେ ସରକାରୀ କର୍ମଚାରୀ ।

ଦୀର୍ଘ ୨୧ ମାସ ପରେ ୨୧ ମାର୍ଚ୍ଚ ୧୯୭୭ରେ ଦେଶରୁ ଜରୁରୀକାଳୀନ ପରିସ୍ଥିତି ଉଠାଇ ଦିଆଯାଇଥିଲା । ଆଉ ଏହି ୨୧ ମାସ ମଧ୍ୟରେ ସରକାର ଯେଉଁ ସବୁ ନିଷ୍ପତି ନେଇଥିଲେ ତାହା ମଧ୍ୟରୁ ବନ୍ଧ୍ୟାକରଣ ଅଭିଯାନକୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା । ଏହା ସେହି ସମୟରେ ସବୁଠୁ ଅଧିକ ଦମନକାରୀ ଅଭିଯାନ ଥିଲା । ଏପରିକି ସଞ୍ଜୟ ଗାନ୍ଧି ଚାହୁଁଥିଲେ ଦେଶରେ ପାଖାପାଖି ୩୫ ବର୍ଷ ଯାଏଁ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିବାକୁ । କିନ୍ତୁ ବିରୋଧୀଙ୍କ ବିଦ୍ରୋହ ଯୋଗୁଁ ୨ ବର୍ଷ ପରେ ନିର୍ବାଚନ କରିବାକୁ ନିଷ୍ପତି ନେଇଥିଲେ ଇନ୍ଦିରା । କିନ୍ତୁ ସଞ୍ଜୟଙ୍କ ବନ୍ଧ୍ୟାକରଣ ଅଭିଯାନ, ଯେଉଁଥିପାଇଁ ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଦେଶରେ ଅଣ କଂଗ୍ରେସ ସରକାର ଗଠନ ହୋଇଥିଲା । ଏବେ ମଧ୍ୟ ସଞ୍ଜୟଙ୍କ ସେହି ବନ୍ଧ୍ୟାକରଣ ଅଭିଯାନ କଥା ମନେ ପଡ଼ିଲେ ଦେହରେ ଶିହରଣ ଖେଳି ଉଠେ ।