ସଂଜୟଙ୍କ ଇମୋସନାଲ୍ ଡାଇଲଗ୍ : ସାମାଜିକ ଓ ରାଜନୈତିକ ଜୀବନ ଅସହିଷ୍ଣୁତାର କବଳିତ

43

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ ଚକ୍ରବ୍ୟୁହରେ ଫଶିଲେ । ଚାଲିଲା ଜୋରଦାର ବୟାନବାଜି । ଆସିଗଲେ ରାଜନୈତିକ ପ୍ରତିପକ୍ଷଙ୍କ ଟାର୍ଗେଟକୁ । ଖାଲି ବିରୋଧୀ ନୁହେଁ, ନିଜ ଦଳ ଭିତରୁ ବି ଆହ୍ୱାନର ସାମ୍ନା କଲେ । ହେଲେ ଘଟଣା କମିବା ବଦଳରେ ବଢିବାରେ ଲାଗିଲା । ଶେଷରେ ମନ୍ତ୍ରୀ ବାଛିଲେ ଭାବପ୍ରବଣତାର ରାସ୍ତା । ବିଧାନସଭାରେ ବକ୍ତବ୍ୟ ରଖିଲେ ଆଉ ପ୍ରତିପକ୍ଷଙ୍କୁ ସମାଲୋଚନା କଲେ । ଅଭିମନ୍ୟୁ ସାଜି ପ୍ରତିପକ୍ଷଙ୍କ ଆକ୍ରମଣର ମୁକାବିଲା କଲେ । ଏ କାହାଣୀର ନାୟକ ସଂଜୟ ଦାସବର୍ମା । ସଂଳାପ ଠାରୁ ଆରମ୍ଭ କରି ଡାଇଲଗ ଡେଲିଭରି ଯାଏଁ ସବୁ କିଛି ନିଜର ।

‘ଇତିହାସ ନିଶ୍ଚିତ ଭାବେ ମୋଡ ବଦଳାଇବ । ଯେଉଁ ଅସହିଷ୍ଣୁତାର କଥା ଗୃହରେ ବିଜେପି ବିଧାୟକ କହୁଛନ୍ତି ତାହା ବାସ୍ତବ । ମୁଁ ସବୁବେଳେ ମନ୍ତ୍ରୀ ନଥିବି କି ଆମେ ବିଧାୟକ ନଥିବା । ଏବେ ସବୁ କ୍ଷେତ୍ରରେ ଅସହିଷ୍ଣୁତା ବଢିଚାଲିଛି । ପ୍ରତି ବର୍ଗକୁ ଆଛାଦିତ କରି ରଖିଛି । ଦେଶର ତଥା ରାଜ୍ୟର ସାମାଜିକ ଓ ରାଜନୈତିକ ଜୀବନ ଅସହିଷ୍ଣୁତାର କବଳିତ । ଏହା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି । ଏହା ନିରାଟ ସତ୍ୟ ଯେ ଏହା ବହୁ ମାତ୍ରାରେ କ୍ଷତି ଘଟାଇ ଚାଲିଛି । ଏକ ବିପଦର ସମୟ ଆସିଛି । ଏଭଳି ଏକ ସ୍ଥିତିରେ ଆଗକୁ ସମସ୍ତଙ୍କୁ ଅସହିଷ୍ଣୁତାର ଅଧିକ ଖରାପ ସମୟ ଭୋଗ କରିବାକୁ ପଡିବ ।’
ଗୃହ ଭିତରେ ଏଥିଲା ମନ୍ତ୍ରୀ ସଂଜୟ ଦାସବର୍ମାଙ୍କର ଇମୋସନାଲ ସ୍ପିଚ । ଚିଟଫଣ୍ଡ ଫ୍ରସଙ୍ଗରେ ବିବାଦୀୟ ହୋଇ ଚାରିଆଡୁ ସମାଲୋଚନରା ଶିକାର ହୋଇଥିବା ମନ୍ତ୍ରୀ ଅସହିଷ୍ଣୁ ଶଦ୍ଦକୁ ନେଇ ନିଜ ମନର କଥା କହିଥିବା ନେଇ ଚର୍ଚ୍ଚା ହେଉଛି । ରାଜ୍ୟ ରାଜନୀତିରେ ସେ ଏବେ ବନିଛନ୍ତି ଝଡର ନାୟକ । ଦଳ ଭିତରେ ସମାଲୋଚନା ଆଉ ବିରୋଧୀ ଦଳଙ୍କ ପକ୍ଷରୁ ଷଣ୍ଢୁଆସୀ ଆକ୍ରମଣ । ଏଭଳି ଏକ ଦୋଛକିରେ ଠିଆ ହୋଇଥିବା ମନ୍ତ୍ରୀ ଦାସବର୍ମା ଶେଷରେ ନିଜ ମନର କଥା କହିଛନ୍ତି । ବୁଧବାର ଆଲୋଚନା ବେଳେ କଥା ପ୍ରସଙ୍ଗରେ ଉଠିଥିଲା ଅସହିଷ୍ଣୁତାର ପ୍ରସଙ୍ଗ । ବୋଧହୁଏ ଏଭଳି ସମୟକୁ ହାତଛଡା କରିବାକୁ ଚାହିଁନଥିଲେ ମନ୍ତ୍ରୀ । ଆଉ ଗୃହ ଭିତରେ ଭାବପ୍ରବଣତାର ସହ ରଖିଥିଲେ ବକ୍ତବ୍ୟ ।