ଶେଷ ହେଲା ମହାପ୍ରଭୁଙ୍କ ସାନ୍ଧ୍ୟଦର୍ଶନ

26

ଶେଷ ହେଲା ମହାପ୍ରଭୁଙ୍କ ସାନ୍ଧ୍ୟଦର୍ଶନ । ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଲକ୍ଷାଧିକ ଭକ୍ତ। ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ଜମିଛି ଭିଡ। ଭକ୍ତଙ୍କ ସୁରୁଖୁରୁରେ ଦର୍ଶନ ଲାଗି ବ୍ୟାପକ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ। ମନ୍ଦିର ସମ୍ମୁଖରେ ବ୍ୟାରିକେଡ୍ କରାଯାଇଛି। ସନ୍ଧ୍ୟା ୭ଟା ଯାଏଁ ନବମୀ ଦର୍ଶନ ବ୍ୟବସ୍ଥା ରହିଛି। ପରେ ବାହୁଡା ଯାତ୍ରା ପାଇଁ ଅନ୍ୟାନ୍ୟ ନୀତିକାନ୍ତି କରାଯାଉଛି। ସେପଟେ ଆଜ୍ଞାମାଳ ପ୍ରଦାନ ପରେ ତିନି ରଥର ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ୱାରରେ ରଖାଯାଇଛି। ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡା ଯାତ୍ରା। ଜନ୍ମବେଦୀରୁ ପୁଣି ରତ୍ନବେଦୀକୁ ଫେରିବେ ମହାପ୍ରଭୁ।

ସେପଟେ ବାହୁଡା ପାଇଁ ପୋଲିସ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୪୪ ପ୍ଲାଟୁନ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ, ଏସଆଇ, କନେଷ୍ଟବଳ, ହୋମଗାର୍ଡ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ। ସେହିପରି ଟ୍ରାଫିକ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର, ବଡଦାଣ୍ଡ, ସିହଂଦ୍ୱାର, ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ବେଳାଭୂଇଁ ଓ ପାର୍କିଂ ସ୍ଥଳରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।