ବାଲୁକାକଳାରେ ମଣିଷଖିଆ ବାଘୁଣୀ । କଳାହାଣ୍ଡି କର୍ଲାମୁଣ୍ଡାରେ ପ୍ରତିମୂର୍ତ୍ତି ଗଢିଲେ ଯୁବ ବାଲୁକାଶିଳ୍ପୀ । ବାଲୁକାକଳା ମାଧ୍ୟମରେ ସୁନ୍ଦରୀର ସ୍ଥାନାନ୍ତର ଦାବି

31

କନକ ବ୍ୟୁରୋ: ବାଲୁକା କଳାରେ ମଣିଷଖିଆ ବାଘୁଣୀ ସୁନ୍ଦରୀ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡାରେ ହୋଇଛି ଏପରି ବାଲୁକାକୃତି । ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ବାଘୁଣୀର ପ୍ରତିମୂର୍ତି ତିଆରି କରିଛନ୍ତି । ଗଜବାହାଲ ପଂଚାୟତ ଡଙ୍ଗରମୁଣ୍ଡା ଗାଁର ଯୁବ ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ପେଶାରେ ଜଣେ ଶିକ୍ଷକ । ତେବେ ଏହି ବାଲୁକା କଳା ମାଧ୍ୟମରେ ରକ୍ତମୁଖା ସୁନ୍ଦରୀର ସ୍ଥାନାନ୍ତର ଦାବି କରିଛନ୍ତି ବାଲୁକାଶିଳ୍ପୀ । ଆଉ ବାଲିରେ ତିଆରି ହୋଇଥିବା ବାଘୁଣୀର ପ୍ରତିମୂର୍ତି ଦେଖିବାକୁ ସ୍ଥାନୀୟ ଅଂଚଳର ଅନେକ ଲୋକ ଆସୁଛନ୍ତି ।

ସେପଟେ, ଧରା ଦେଉନି ସୁନ୍ଦରୀ । ତୃତୀୟ ଦିନରେ ବାଘୁଣୀକୁ ଧରିବାକୁ ପୁଣି ଅପରେସନ୍ ଆରମ୍ଭ ହୋଇଛି । ରେଡିଓ କଲାର ଜରିଆରେ ସୁନ୍ଦରୀର ଗତିବିଧି ଉପରେ ନଜର ରଖାଯାଇଛି । ଅନ୍ୟପଟେ ସୁନ୍ଦରୀ ପାଇଁ ମଧ୍ୟପ୍ରଦେଶରୁ ଆସୁଛନ୍ତି ସ୍ୱତନ୍ତ୍ର ଟିମ୍ । ବାଘୁଣୀକୁ ଟ୍ରାଙ୍କୁଲାଇଜ କରି ଧରିବା ପାଇଁ ଏହି ଟିମ୍ ସାତକୋଶିଆ ଆସୁଛନ୍ତି । ସେପଟେ ସୁନ୍ଦରୀର ଆସିଛି ନୂଆ ଭିଡିଓ । ଜଙ୍ଗଲ ଭିତରେ ବାଘୁଣୀ ସୁନ୍ଦରୀ ବେଶ୍ ସ୍ୱଚ୍ଛନ୍ଦରେ ବିଚରଣ କରୁଥିବା ଦେଖିବାକୁ ମିଳିଛି ।

ଗତକାଲି ସୁନ୍ଦରୀକୁ କାବୁ କରିବାକୁ ଉଦ୍ୟମ ହୋଇଥିଲେ ବି ଏହା ସଫଳ ହୋଇନଥିଲା । ରାତି ଅନିଦ୍ରା ହୋଇ ସାତକୋଶିଆରେ ସୁନ୍ଦରୀକୁ କାବୁ କରିବା ପାଇଁ ଡେରା ପକାଇଥିବା ବନବିଭାଗ କର୍ମଚାରୀଙ୍କୁ ନିରାଶ ହେବାକୁ ପଡ଼ିଥିଲା । କାରଣ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଯେଉଁ ନିଶ୍ଚେତକ ଗୁଳି ବାଘୁଣୀକୁ ମରାଯାଇଥିଲା, ତାହା ଲକ୍ଷ୍ୟଚ୍ୟୁତ ହୋଇଛି । ଏପରିକି ମଂଚା ତଳେ ଛେଳି ବାନ୍ଧି ସୁନ୍ଦରୀକୁ କାବୁ କରିବା ପାଇଁ ଉଦ୍ୟମ ମଧ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ବନବିଭାଗର ସବୁ ପ୍ରକାର ଉଦ୍ୟମକୁ ମାତ୍ ଦେଇ କୁମୁରୀ ଗାଁରୁ ନୂଆସାହି ଅଂଚଳକୁ ଡିଆଁ ମାରିଥିଲା ବାଘୁଣୀ ।