ବାଲିଆପାଳରେ ମାତିଛନ୍ତି ବାଲିଚୋର: ଦିନ ଦ୍ୱିପ୍ରହରେ ଖୋଳି ଖୋଳି କରୁଛନ୍ତି ନଦୀପଠାକୁ ଖୋଳ ।

ବିନା ନିଲାମରେ ବାଲିଘାଟରୁ ବାଲି ଉଠାଇବା ସହ ଦିନ ଦ୍ୱିପ୍ରହରରେ ଏହାର ଚୋରାଚାଲାଣ ହେଉଥିବାର ଅନେକ ଖବର ସାମ୍ନାକୁ ଆସିଛି ।

183

କନକ ବ୍ୟୁରୋ: ଖୋଳି ଖୋଳି ଖୋଳ କଣେଣି ନଦୀ ପଠା । ଦିନ ଦ୍ୱିପ୍ରହରେ ଚାଲିଛି ଚୋରାବାଲି ଚାଲାଣ । ବୋଲଡଜର, ଟ୍ରାକ୍ଟର, ଡମ୍ପର, ବାଲି ଚୋରା ଚାଲାଣ ପାଇଁ ଏମିତି କୌଣସି ସାଧନ ଛାଡି ନାହାଁନ୍ତି ବାଲି ମାଫିଆ । ଦିନରାତି ଏକ୍ କରି ଖୁଲମଖୁଲା କରିଚାଲିଛନ୍ତି ବାଲି ଚାଲାଣ । ପୂର୍ବରୁ ବାଲି ଦୁର୍ନୀତିକୁ ନେଇ ଅନେକଥର ଚର୍ଚ୍ଚାକୁ ଆସିଛି ଓଡିଶା । ବିନା ନିଲାମରେ ବାଲିଘାଟରୁ ବାଲି ଉଠାଇବା ସହ ଦିନ ଦ୍ୱିପ୍ରହରରେ ଏହାର ଚୋରାଚାଲାଣ ହେଉଥିବାର ଅନେକ ଖବର ସାମ୍ନାକୁ ଆସିଛି । ବିନା ନିଲାମରେ ବାଲିଘାଟରୁ ବାଲି ଲୁଟ୍ କାରଣରୁ କୋଟି କୋଟି ଟଙ୍କା ରାଜସ୍ୱ ମଧ୍ୟ ହରାଇଛନ୍ତି ସରକାର । ତେବେ ଏସବୁ ଭିତରେ ପୁଣିଥରେ ସକ୍ରିୟ ହୋଇ ଉଠିଛନ୍ତି ବାଲି ମାଫିଆ ଗ୍ୟାଙ୍ଗ୍ ।

ଏଭଳି କିଛି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ବାଲେଶ୍ୱର-ଜଳେଶ୍ୱର ମଧ୍ୟଦେଇ ପ୍ରଭାବିତ ହେଉଥିବା ସୁବର୍ଣ୍ଣରେଖା ନଦୀ ପଠାର ଚିତ୍ର ସତେ ଯେମିତି କରୁଣ ଅବସ୍ଥାର ଗାଥା ଗାଉଛି । କାରଣ ଏଠୁ ବାଲି ଚାଲାଣ ହୋଇ ଓଡ଼ିଶାର ବିଭିନ୍ନ ଅଂଚଳ ସହ ପଶ୍ଚିମବଙ୍ଗ ଯାଏଁ ବାଲି ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି ।

  • ଜଳେଶ୍ୱର ତହସିଲର ଶିଖରପୁର, ଶେଖଶରାଇ, ମାଙ୍କଡିଆ, ଚାଲନ୍ତି, ଗୁରୁଦାସପୁର, କଂଟାପାଳ ଅଂଚଳରେ କାର୍ଯ୍ୟକ୍ଷମ ଅଛି ପ୍ରାୟ ୪୦ଟି ବାଲି ଘାଟ
  • ଏହି ସବୁ ବାଲି ଘାଟ ଅଂଚଳରୁ ନିୟମିତ ଚାଲାଣ ହେଉଛି ଶହ ଶହ ଟ୍ରକ୍ ବାଲି ଚାଲାଣ
  • ବିନା ଟ୍ରାନ୍ଜିଟ୍ ପାସ, ବିନା ରୟାଲିଟିରେ ବାଲି ଚାଲଣ ହେଉଛି ପଶ୍ଚିମବଙ୍ଗ

କେବଳ ଏତିକିରେ ସରିନି ବାଲି ମାଫିଆଙ୍କୁ କଳାକରାନାମା, ନଦୀକୂଳରୁ ପମ୍ପ ସହାୟତାରେ ୪୦ ଫୁଟ୍ ଯାଏଁ ବାଲି ଖୋଳି ବାହାର କରାଯାଉଥିବା ଅଭିଯୋଗ ହୋଇଛି । ସ୍ଥିତି ଏମିତି ହେଉଛି ଯେ, ପାଖପାଖ ଗାଁର ଲୋକ କମ୍ପନର ପ୍ରଭାବରେ ରହିବସି ପାରୁନାହାଁନ୍ତି । ଆଉ ଏହାକୁ ବିରୋଧ କରି ଏକାଧିକ ଥର ବିଭିନ୍ନ ବାଲିଘାଟ ସାମ୍ନାରେ ସ୍ଥାନୀୟ ଲୋକ ଆନ୍ଦୋଳନ କରୁଥିବାର ମଧ୍ୟ ନଜରକୁ ଆସିଛି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି ପ୍ରଶାସନର ଜାଣତରେ ଚାଲିଛି ବାଲି ଚାଲାଣ । ଏପଟେ ପ୍ରଶାସନ କହୁଛି ତଦନ୍ତ କରି ଏଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ହେଲେ ଏପଟେ ବାଲି ମାଫିଆଙ୍କ ଆତଙ୍କରାଜ ଯୋଗୁଁ କେବଳ ଯେ ସ୍ଥାନୀୟ ଲୋକ ପ୍ରଭାବିତ ହେଉଛନ୍ତି ତାହା ନୁହେଁ ବରଂ ରାଜ୍ୟ ସରକାର ହରାଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ।