ଗାଢ ନିଦରେ ଶୋଇଛି ପ୍ରଶାସନ, ଦିନ ଦ୍ୱିପ୍ରହରରେ କୋଟି କୋଟି ଲୁଟ୍ ଟଙ୍କା କରୁଛନ୍ତି ବାଲି ମାଫିଆ । ଚୋରା ବାଲି ଚାଲାଣ ଉପରୁ ପରଦା ଉଠିବ, ଜଗତସିଂହପୁରରୁ ଅଭିଯାନ ଆରମ୍ଭ କଲା କନକ ନ୍ୟୁଜ୍

129

କନକ ବ୍ୟୁରୋ: ପୂର୍ବରୁ ବାଲି ଦୁର୍ନୀତିକୁ ନେଇ ଅନେକଥର ଚର୍ଚ୍ଚାକୁ ଆସିଛି ଓଡିଶା । ବିନା ନିଲାମରେ ବାଲିଘାଟରୁ ବାଲି ଉଠାଇବା ସହ ଦିନ ଦ୍ୱିପ୍ରହରରେ ଏହାର ଚୋରାଚାଲାଣ ହେଉଥିବାର ଅନେକ ଖବର ସାମ୍ନାକୁ ଆସିଛି । ବିନା ନିଲାମରେ ବାଲିଘାଟରୁ ବାଲି ଲୁଟ୍ କାରଣରୁ କୋଟି କୋଟି ଟଙ୍କା ରାଜସ୍ୱ ମଧ୍ୟ ହରାଇଛନ୍ତି ସରକାର । ତେବେ ଏସବୁ ଭିତରେ ପୁଣିଥରେ ସକ୍ରିୟ ହୋଇ ଉଠିଛନ୍ତି ବାଲି ମାଫିଆ ଗ୍ୟାଙ୍ଗ୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଦ୍ୱିନ ଦ୍ୱିପ୍ରହରର ବେଆଇନ ଭାବେ ଲୁଟ୍ ହେଉଛି ବାଲି । ତେବେ ପ୍ରଶାସନର ଅଗୋଚରରେ ଏଭଳି ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବ ତାହାକୁ କେହି ସହଜରେ ବିଶ୍ୱାସ କରୁନାହାନ୍ତି । ଆଉ ଏଭଳି ବାଲି ମାଫିଆଙ୍କ ମୁଖା ଖୋଲିବାକୁ ଆମର ଏହି ଛୋଟ ପ୍ରୟାସ ‘ବାଲି ଦୁର୍ନୀତି’ । ଯାହା ମାଧ୍ୟମରେ ରାଜ୍ୟର ହେଉଥିବା ବାଲି ଦୁର୍ନୀତି ଉପରୁ ପରଦା ଉଠାଇବାକୁ ପ୍ରୟାସ କରିବୁ ।

ବାଲି ଦୁର୍ନୀତିର ଖୋଳତାଡ ପାଇଁ ଜଗତସିଂହପୁରରୁ ଆରମ୍ଭ ହୋଇଛି ଆମ ଅଭିଯାନ । ବେଧଡକ ଚାଲିଛି ବାଲିଲୁଟ୍ । ପ୍ରଶାସନର ସବୁ ନିୟମକୁ ଖାତିର ନକରି ବାଲି ଲୁଟି ନେଉଛନ୍ତି ମାଫିଆ । ଜଗତସିଂହପୁର ଜିଲ୍ଲା ଦେବୀ ଏବଂ ମହାନଦୀ ପଠାରୁ ପ୍ରତିଦିନ ବେଆଇନ୍ ଭାବେ ଶହ ଶହ ଟ୍ରକ୍ ବାଲି, ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।

ବାଲି ମାଫିଆଙ୍କ ଆତଙ୍କରାଜ୍ । ବେଧଡକ୍ ଚାଲିଛି ଚୋରା ଚାଲାଣ । ଖୋଳି, ଖୋଳି ଖୋଳ କରିସାରିଲେଣି । ନା’ ପ୍ରଶାସନକୁ ଭୟ, ନା’ ନିୟମକାନୁନକୁ ଖାତିର୍ । ଜଗତସିଂହପୁର ଜିଲ୍ଲା ଦେବୀ ଏବଂ ମହାନଦୀ ପଠାରୁ ପ୍ରତିଦିନ ବେଆଇନ୍ ଭାବେ ଶହ ଶହ ଟ୍ରକ୍ ବାଲି ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି । ଏପରିକି ବାଲି ଚୋରା ଚାଲାଣ କରିବାକୁ ଦିନରାତି ଏକ କରି ଦେଇଛନ୍ତି ବାଲି ମାଫିଆ ।

ଜଗତସିଂହପୁରର ଆଳିପିଙ୍ଗଳ ବାଲି ଘାଟରେ ବାର୍ଷିକ ୮ ହଜାର ସି.ଏମ୍ ବାଲି ଉଠାଇବାର ନିର୍ଦ୍ଦେଶ ରହିଛି । ହେଲେ ବାଲି ଉଠୁଛି ୨୦ ହଜାର ସି.ଏମ୍, ଆର୍ଥାତ୍ ପ୍ରାୟ ତିନି ଗୁଣ ଅଧିକା । ଏହାଛଡା ଆଳିପିଙ୍ଗଳ ବାଲି ଘାଟ ୧୭ ଲକ୍ଷ ୭୬ ହଜାର ଟଙ୍କାରେ ନିଲାମରେ ଯାଇଛି । ଅର୍ଥାତ୍ ପ୍ରାୟ ୫୧ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର ।କେବଳ ସେତିକି ନୁହେଁ, ମାତ୍ରାଧିକ ବାଲି ଉଠିବା ଯୋଗୁଁ ରାସ୍ତାଘାଟ ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଛି । ଯେଉଁଥିପାଇଁ ରାସ୍ତା ଗୁଡିକ ଖରାପ ହେବା ସହ ଦୁର୍ଘଟଣା ହେଉଥିବା ନେଇ ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ବାଲି ମାଫିଆ ମାନେ ବେଆଇନ ଭାବେ ମଧ୍ୟ ବାଲି ଉଠାଉଥିବା ଅଭିଯୋଗ ହୋଇଛି । ଜଗତସିଂହପୁରରେ ସରକାରୀ ବାଲିଘାଟ ଯେତିକି ରହିଛି ତାହା ଠାରୁ ଅଧିକ ରହିଛି ବେସରକାରୀ ବାଲିଘାଟ ।

ଜଗତସିଂହପୁର ଜିଲ୍ଲାର ଦେବୀ ଏବଂ ମହାନଦୀରେ ୧୨ଟି ସରକାରୀ ବାଲି ଘାଟ ଏବଂ ପ୍ରାୟ ୨୦ଟି ବେସରକାରୀ ବାଲି ଘାଟ ରହିଛି । ପ୍ରତି ବାଲି ଘାଟର ନିଲାମରୁ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ମିଳେ । କେଉଁ ବାଲି ଘାଟରୁ କେତେ ବାଲି ଉଠିବ ସେ ନେଇ ବିଧିବଦ୍ଧ ନିର୍ଦ୍ଦେଶ ରହିଛି । ହେଲେ ବାଲି ମାଫିଆ ଏହି ସରକାରୀ ନିୟମକୁ ଫୁ କରି ଉଡାଇ ଦେଇଛନ୍ତି । ଗୃହ ଭେଦି ବିଭୀଷଣ ଭଳି କିଛି ପ୍ରଶାସନିକ ଅଧିକାରୀ ଏବଂ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ସରକାର ରାଜସ୍ୱ ହରାଉଥିବା ନେଇ ଅଭିଯୋଗ ହୋଇଛି ।

ଗୋଟିଏ ପଟେ ଦିନ ଦ୍ୱିପ୍ରହରରେ ବାଲି ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ସତେ ଯେମିତି ନିଦାବିଷ୍ଣୁ ପାଲଟଛନ୍ତି । ସବୁକିଛି ଜାଣିଶୁଣି ମଧ୍ୟ ପ୍ରଶାସନ ଚୁପ୍ ରହୁଥିବା ଅଭିଯୋଗ ହେଉଛି । ତେବେ ଏ ସର୍ମ୍ପକରେ ଜଗତସିଂହପୁର ତହସିଲଦାର କହିଛନ୍ତି- ବାଲି ଚୋରା ଚାଲାଣ ଏବଂ ଓଭର ଲୋଡିଂ ନଜରକୁ ଆସିଲେ ଜରିମାନା ଆଦାୟ କରାଯାଉଛି । କିନ୍ତୁ ଅଧିକାଂଶ ସମୟରେ ଏଭଳି ଘଟଣା ଦେଖିବାକୁ ମିଳେନାହିଁ ବୋଲି ସଫେଇ ଦେଇଛନ୍ତି ତହସିଲଦାର । ଯଦି ଏଭଳି ହୋଇଥାଏ ତେବେ ପୁଲିସ ସହାୟତାରେ ଅଧିକ ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି ତହସିଲଦାର ।

ବାଲି ଚୋରା ଚାଲାଣ ଦିଗରେ ପ୍ରଶାସନ ଯଦି ତତ୍ପର ନହୁଏ, ତେବେ ବାଲି ମାଫିଆ ବାଲି ଚୋରି କରି ମାଲେମାଲ ହେବେ ସିନା ସରକାରଙ୍କ ଖାତାକୁ କିଛି ଆସିବ ନାହିଁ ।ତେଣୁ ଆଖିରେ ଆଙ୍ଗୁଠି ଗେଞ୍ଜି ଶୋଇବା ଛାଡି ଯଥାଶୀଘ୍ର ସରକାର ଏହା ଉପରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ପୂରା ଜିଲ୍ଲାରୁ ଦାବି ଉଠିଛି ।