ୟୁପିକୁ ଚୋରା ବାଲି ଚାଲାଣ ! ଟ୍ରେନ୍ ଜବତ, ଖସିଗଲେ ଦୁର୍ବୃତ୍ତ

47

କନକ ବ୍ୟୁରୋ: ଅନ୍ତରାଜ୍ୟ ବାଲି ମାଫିଆଙ୍କ ଚାଞ୍ଚଲ୍ୟକର କାରନାମା ଶୁକ୍ରବାର ଧରା ପଡ଼ିଯାଇଛି । କଟକର କାଠଯୋଡି ବାଲି ଟ୍ରେନରେ ଉତ୍ତର ପ୍ରଦେଶ ଚାଲାଣ ହେବାକୁ ବଗିରେ ବୋଝେଇ ହେଉଥିବା ବେଳେ ଚୌଦ୍ୱାର ଏସଡିପିଓ ସତ୍ୟନାରାୟଣ ଦାଶ ଓ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଡକ୍ଟର ଅବିନାଶ ରାଉତ ଅତର୍କିତ ଚଢଉ କରି ତାହାକୁ ଜବତ କରିଛନ୍ତି । ୬ ହଜାର ମେଟ୍ରିକ ଟନରୁ ଅଧିକ ବାଲି ଚାଲାଣ ହେଉଥିବା ବେଳେ ପୁଲିସ ଓ ପ୍ରଶାସନ ପକ୍ଷରୁ ଟ୍ରେନକୁ ଜବତ କରାଯାଇଛି । ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଚାଲିଥିବା ଏଭଳି କାରବାର ପର୍ଦ୍ଦାଫାସ ହେବା ପରେ ଦୀର୍ଘ ଦିନରୁ ଚାଲିଥିବା ଏଭଳି ବାଲି ଚୋରା ଚାଲାଣ କାରବାର ଅନେକଙ୍କୁ ଚକିତ କରି ଦେଇଛି ।

ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢେ ଆଠଟା ବେଳେ ନିର୍ଗୁଣ୍ଡି ଷ୍ଟେସନରେ ୫୮ଟି ବଗିରେ ବାଲି ବୋଝେଇ କରାଯାଉଥିବା ସଂପର୍କରେ ସୂଚନା ମିଳିଥିଲା । ସୂଚନା ପାଇ ଏସଡିପିଓ ଶ୍ରୀ ଦାଶ ଓ ତହସିଲଦାର ଡକ୍ଟର ରାଉତ ତୁରନ୍ତ ଚଢଉ କରିଥିଲେ । ଚଢଉ ବେଳେ ବାଲି ବୋଝେଇ କରିବାକୁ ଆସିଥିବା ୪ଟି ଟ୍ରକ, ୩ଟି ୧୦ ଚକିଆ ଗାଡ଼ି ଓ ୧୫ରୁ ଅଧିକ ଯୁବକ ସେଠାରୁ ପଳାଇ ଯାଇଥିଲେ । ୬ଟି ବଗିରେ ବାଲି ଭର୍ତ୍ତି ସରିଥିବା ବେଳେ ଅନ୍ୟ ବଗି ଗୁଡିକରେ ବାଲି ଭର୍ତ୍ତି ଚାଲିଥିଲା । ଟ୍ରେନରେ ବାଲି ଚାଲାଣ ସଂପୂର୍ଣ୍ଣ ବେଆଇନ ହୋଇଥିବା ବେଳେ ବାହାର ରାଜ୍ୟକୁ ଏଭଳି ଢଙ୍ଗରେ ବାଲି ଚାଲାଣ ପାଇଁ କିଏ ଅନୁମତି ଦେଇଥିଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ନିର୍ଗୁଣ୍ଡି ଷ୍ଟେସନ ମ୍ୟାନେଜର ଏ ସଂପର୍କରେ କିଛି ଜାଣି ନଥିବା ସଫେଇ ଦେଉଛନ୍ତି ।

କଟକର ସିଡିଏ ଅଞ୍ଚଳରୁ ଏହି ବାଲି ଉଠାଯାଇ ଟାଙ୍ଗୀର ବିଲତରୁଆଁ ଅଞ୍ଚଳରେ ଗଚ୍ଛିତ ରଖାଯାଉଥିଲା । ଏବଂ ଯୋଜନାବଦ୍ଧ ଭାବେ ସମୟ ସୁଯୋଗ ଦେଖି ନିର୍ଗୁଣ୍ଡି ନିକଟରେ ଟ୍ରେନରେ ବାଲି ବୋଝେଇ କରି ତାହାକୁ ଉତ୍ତରପ୍ରଦେଶ ପଠାଯାଉଥିଲା । ଯେଉଁ ବାଲିର ଦର ଏଠି ୪ରୁ ୫ ହଜାର ଟଙ୍କା, ସେହି ବାଲି ଉତ୍ତର ପ୍ରଦେଶରେ ୧୫ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହୋଇଥାଏ । ତେଣୁ କଟକର ଏକ ବଡ଼ ଗ୍ୟାଙ୍ଗ ଏହି କାରବାର ପଛରେ ରହି ଦୀର୍ଘ ଦିନରୁ ରାକେଟ ଚଳାଇଥିବା କୁହାଯାଉଛି । ସ୍ଥାନୀୟ ପୁଲିସ ଓ ପ୍ରଶାସନ ନଜରରେ କିଭଳି ଏହି କାରବାର ଧରା ପଡୁ ନଥିଲା, ତାହା ବି ଅନେକଙ୍କୁ ଚକିତ କରିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଏହି କାରବାରରେ ସଂପୃକ୍ତ ପୁଲିସ, ପ୍ରଶାସନ ଏବଂ ରେଳବାଇର ଅଧିକାରୀଙ୍କ ମୁଖା ଖୋଲିବ ବୋଲି ମତ ପ୍ରକାଶ ପାଇଛି । ଏଭଳି ଏକ ଚାଞ୍ଚଲ୍ୟକର କାରବାର ଧରା ପଡିବା ପରେ ଜିଲ୍ଲାପାଳ, ଏଡିଏମ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି ।

୨୦୧୬ରେ ଧଳସାମନ୍ତ ଭାଇଙ୍କ ଗ୍ୟାଙ୍ଗ ଉପରେ କମିସନରେଟ ପୁଲିସ ଚଢଉ କରିବା ବେଳେ ବାଲି ଘାଟକୁ ନେଇ ଚାଲିଥିବା ଟେଣ୍ଡର ଫିକ୍ସିଂ ସାମନାକୁ ଆସିଥିଲା । ବାଲିଘାଟ ନିୟନ୍ତ୍ରଣ କରି ବାହାର ରାଜ୍ୟକୁ ପଠାଇ କୋଟିକୋଟି ଟଙ୍କା ରୋଜଗାର କରିବା ଯୋଜନରେ ଟେଣ୍ଡର ଫିକ୍ସିଂ ହେଉଥିବା ଏବେ ସନ୍ଦେହ କରାଯାଉଛି ।