ସ୍ମାର୍ଟ ସିଟିର ବାଇକ ଚାଳକ ସାବଧାନ! ରାଜଧାନୀ ରାସ୍ତା ପାଲଟିଛି ମରଣ ଯନ୍ତା, ବାଲି ଯୋଗୁଁ ଯାଉଛି ଜୀବନ

65

କନକ ବ୍ୟୁରୋ : ସ୍ମାର୍ଟ ହେଉଛି ଭୁବନେଶ୍ୱର । ବଦଳୁଛି ରାଜଧାନୀର ନକ୍ସା । ଭୁବନେଶ୍ୱରକୁ ସ୍ମାର୍ଟସିଟି ତାଲିକାର ଏକ ନମ୍ବର ସ୍ଥାନ ମିଳିବା ପରେ ରାଜଧାନୀର ରୂପରେଖ ପରିବର୍ତ୍ତନ କରିବା ପାଇଁ ସରକାର ପୂରା ତତ୍ପର । ଆଉ ଏଥିପାଇଁ ଗମନାଗମନ ଉପରେ ଫୋକସ କରିଛନ୍ତି ସରକାର । ସ୍ମାର୍ଟ ସିଟି ଓ ସଡ଼କ ସୁରକ୍ଷା ଯୋଜନାରେ ରାଜଧାନୀ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଏପରିକି ଗଳିକନ୍ଦିରୁ ଆରମ୍ଭ କରି ପ୍ରମୁଖ ରାସ୍ତାଗୁଡ଼ିକ ଯେପରି ଦୁର୍ଘଟଣାମୁକ୍ତ ହେବ ସେଥିପାଇଁ ପ୍ରଶସ୍ତ ରାସ୍ତା ନିର୍ମାଣ ହେଉଛି। ବିଡିଏ ବି ଲମ୍ବା ଚଉଡ଼ା ରାସ୍ତାର ନକ୍ସା ପ୍ରସ୍ତୁତ କରୁଛି। ଏବେ ରାସ୍ତାଗୁଡ଼ିକ ଯେପରି ଚକାଚକ୍ ଦେଖାଯାଉଛି। ତାହାକୁ ଆହୁରି ସୁନ୍ଦର କରିବାକୁ ଯୋଜନା ହେଉଛି। କିନ୍ତୁ ଏହି ଚକାଚକ ରାସ୍ତାରେ ମୃତ୍ୟୁର ଜାଲ ବିଛାଯାଇଛି । କାରଣ ରାସ୍ତା ଯେତିକି ଚକାଚକ ହେଉଛି ଦୁର୍ଘଟଣା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଛି । ପ୍ରତିଦିନ ରାଜଧାନୀର ପ୍ରମୁଖ ରାସ୍ତାରେ ଦୁର୍ଘଟଣା ହେଉଥିବା ଖବର ସାମ୍ନାକୁ ଆସୁଛି । ଅନେକ ଗୁରୁତର ଆହତ ହେଉଥିବା ବେଳେ କିଛି ଲୋକ ମୃତାହତ ହେଉଛନ୍ତି । କିନ୍ତୁ ସଡକ ଦୁର୍ଘଟଣାକୁ ନେଇ ପୁଲିସ ଓ ପ୍ରଶାସନ ପୂରା ନିରବ ।

bhubaneswarରାଜଧାନୀ ରାସ୍ତା ଓ ରାଜରାସ୍ତାରେ ମୃତ୍ୟୁର ମାୟାଜାଲ ସାଜିଛି ବାଲି। ରାସ୍ତା କଡ଼ର ବାଲି ରାସ୍ତାକୁ ମାଡ଼ି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି। କେଉଁଠି ରାସ୍ତାର ୫ଫୁଟ ପର୍ୟ୍ୟନ୍ତ ବାଲି ପାଦେ ଉଚ୍ଚର ଜମା ହୋଇଛି ତ କେଉଁଠି ଅଧା ରାସ୍ତା ପର୍ୟ୍ୟନ୍ତ ବାଲି ପୂରା ରାସ୍ତାକୁ ପୋତି ଦେବା ଅବସ୍ଥାରେ ରହିଛି। ଏହି ରାସ୍ତାରେ ଯେଉଁ ଦୁଇ ଚକିଆ ଯାନ ଯାଉଛି ଟିକେ ଅସାବଧନତା ହେଲେ ଗାଡ଼ି ଆପେଆପେ ସ୍ଲିପ୍ କରୁଛି ନଚେତ୍ କୌଣସି କାରଣରୁ ଗାଡ଼ିର ବ୍ରେକ୍ ମାରିଲେ ଗାଡ଼ି ଘୋଷାଡ଼ି ହୋଇ ରାସ୍ତାରେ ପଡ଼ୁଛି। ଭାଗ୍ୟ ଭଲ ଥିଲେ ଗାଡ଼ିରେ ବସିଥିବା ଲୋକ ଖଣ୍ଡିଆ ଖାବରା ହୋଇ ବଞ୍ଚିଯିବ। ଯଦି ଭାଗ୍ୟ ସାଥ୍ ଦେବନି ତେବେ ଗାଡ଼ି ଚଢ଼ି ମୃତ୍ୟୁ ନିଶ୍ଚିତ।

୨୦୧୬ରେ ଜାନୁଆରି ଅଗଷ୍ଟ ମଧ୍ୟରେ ଭୁବନେଶ୍ୱରରେ ୫୫୬ଟି ଦୁର୍ଘଟଣା ହୋଇଥିବାବେଳେ ଏହି ସମୟରେ ୨୦୧୭ରେ ୫୯୪ଟି ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ପ୍ରତିବର୍ଷ ୧୦୦ରୁ ଅଧିକ ଲୋକ ମରୁଛନ୍ତି। ଯେତିକି ମରୁଛନ୍ତି ତାହାର ଢେରଗୁଣା ଗୁରୁତର ହେଉଛନ୍ତି। ନଚେତ୍ ପଙ୍ଗୁ ହୋଇ ଘରେ ପଡ଼ୁଛନ୍ତି। ବାଲି ହିଁ ରାଜରାସ୍ତାରେ ଘଟୁଥିବା ଦୁର୍ଘଟଣାର ପ୍ରମୁଖ କାରଣ ତାହା ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବିଏମ୍ସି କମିସନର, ପୁଲିସ କମିସନର, ଆରଟିଓ ସମସ୍ତେ ଜାଣିଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ନିରବତା ଯୋଗୁଁ ପ୍ରତିଦିନ ସଡକ ଦୁର୍ଘଟଣା ହେଉଥିବା ଘଟଣା ସାମ୍ନାକୁ ଆସୁଛି ।

ଜାତୀୟ ରାଜପଥରେ ବାଲି ଜମା ହେଉଥିବାବେଳେ ଏହାକୁ ନିୟମିତ ବ୍ୟବଧାନରେ ସଫା କରିବା ଦାୟିତ୍ୱ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର। ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଏହା ଉପରେ ନଜର ପଡ଼ୁନି। ଆଇନ ଅନୁଯାୟୀ, ଜାତୀୟ ରାଜପଥ କର୍ତ୍ତୁପକ୍ଷ ଯଦି ବାଲି ସଫା ନକରିବେ ତେବେ ତାଙ୍କ ଠାରୁ ଜରିମାନା ଆଦାୟ କରିବା ସହ ବାଲି ସଫା କରିବା ବିଏମସିର ଦାୟିତ୍ୱ । ରାସ୍ତାରେ ବାଲି, ଗୋଡ଼ି, ଇଟା ଗଦାଇଲେ ୫ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ବିଏମସି ନିୟମ କରିଛି। କିନ୍ତୁ ଏହି ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ। ସରକାରୀ ପ୍ରକଳ୍ପ ଯେଉଁଠି ହେଉଛି ସେଠାରେ ମାସମାସ ଧରି ବାଲି, ଚିପ୍ସ ଗଦା ହୋଇ ରହୁଛି। ହେଲେ ଏସବୁ ଦେଖି ମଧ୍ୟ ନିଦା ବିର୍ଷ୍ଣୁ ସାଜିଛି ବିଏମସି । ଯାହାଫଳର ପ୍ରତିଦିନ କେଉଁଠି ନା କେଉଁଠି ରାଜରାସ୍ତା ମୁ୍ଣ୍ଡ ନେଉଛି ।

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀ ରାସ୍ତାରେ ବାଲି ଜମା ହେବାର କାରଣ ହେଲା ବାଲି ଟ୍ରକ୍। କୁଆଖାଇ ନଦୀରୁ ଦୈନିକ ଶହ ଶହ ଗାଡ଼ି ବାଲି ଉଠାଉଥିବାବେଳେ ସେଗୁଡ଼ିକ ରସୁଲଗଡ଼ ଓଭରବ୍ରିଜ୍ ଚଢ଼ିବା ପୂର୍ବରୁ ମଝି ରାସ୍ତାରେ ବହୁତ ବାଲି ଖସୁଛି। ବାଲି ସଫା ହେଉ ନଥିବାରୁ ଏହା ବାଇକ୍ ଚାଳକଙ୍କ ପାଇଁ ଦୁର୍ଘଟଣାର କାରଣ ପାଲଟୁଛି। ହଂସପାଳ ଛକରୁ ରସୁଲଗଡ଼ ମଧ୍ୟରେ ଅଧିକ ଦୁର୍ଘଟଣା ଘଟୁଛି। ସମାନସ୍ଥିତି ଦୟା ବ୍ରିଜ୍ ନିକଟରେ। ଏହାବାଦ୍ ଜାତୀୟ ରାଜପଥ ଉପରେ ନିର୍ମାଣ ହୋଇଥିବା ଓଭରବ୍ରିଜ୍ ଉପରୁ ବାଲି ସଫା ହେଉନଥିବାରୁ ଏହା ମୃତ୍ୟୁର କାରଣ ସାଜୁଛି। ସେହିପରି ଭୁବନେଶ୍ୱର ଦେଇ ଜାତୀୟ ରାଜପଥ କଡ଼ରେ ବିଭିନ୍ନ ସ୍ଥାନରେ ୨୬ଟି ବେଆଇନ୍ କଟ୍ ରହିଛି। ଏହାକୁ ବନ୍ଦ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ବାରମ୍ବାର କୁହାଯାଉଥିଲେ ହେଁ ସେମାନେ ଶୁଣୁନାହାନ୍ତି। ଯାହା ଦୁର୍ଘଟଣା ବଢ଼ିବାର ଅନ୍ୟତମ ପ୍ରମୁଖ କାରଣ।