ବାଲୁକା କଳାର ଆହୁରି ନିକଟତର ହେବେ ଛାତ୍ରଛାତ୍ରୀ !୨୦୧୮ମାର୍ଚ୍ଚରୁ ଆରମ୍ଭ ହେବ ଅନଲାଇନରେ ପାଠ୍ୟକ୍ରମ ।

163

ଅନଲାଇନ ପାଠ୍ୟକ୍ରମରେ ସାମିଲ ହୋଇଛି ବାଲୁକା କଳା । ଆଉ ବିଶ୍ୱରେ ପ୍ରଥମେ ଇଗ୍ନୋ ବା ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବାଲୁକା କଳାକୁ ଏକ ସାର୍ଟିଫିକେଟ କୋର୍ସ ଭାବେ ଅନୁମତି ଦେଇଛି । ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ମାନବସମ୍ବଳ ମନ୍ତ୍ରାଳୟ ଦ୍ୱାରା ଏହି ପାଠ୍ୟକ୍ରମର ପ୍ରଚଳନ କରାଯିବ । ଏହା ଦ୍ୱାରା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୱପ୍ନକୁ ଖୁବ ଶୀଘ୍ର ବାସ୍ତବତାରେ ପରିଣତ ହେବ ।
ତାଙ୍କୁ ବାଲି ଦିଅ, ସେ ଅକ୍ଲାନ୍ତ ପରିଶ୍ରମ କରି ସବୁ କିଛି କରିପାରିବେ । ଏଭଳି ବ୍ୟକ୍ତିତ୍ୱ ଆଉ କେହି ନୁହନ୍ତି ଓଡିଆ ପୁଅ ତଥା ଅନ୍ତର୍ଜାତୀୟ ବାଲୁୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତାଙ୍କୁ ମିଳିଛି ଆଉ ଏକ ସଫଳତା । ଏହି ମହାନ ବ୍ୟକ୍ତିଙ୍କ ଆଉ ଏକ ସ୍ୱପ୍ନ ପୂରଣ ହୋଇଛି ।

୨୦୧୮ ମାର୍ଚ୍ଚ ୩୧ ପୂର୍ବରୁ ବାଲୁକା କଳା ପାଠ୍ୟକ୍ରମର ଆରମ୍ଭ ହେବ । ଏଥିପାଇଁ ସମସ୍ତ କାମ ଆରମ୍ଭ ହୋଇଯାଇଛି । ଅଧ୍ୟାପକ ଓ ଭିଡିଓ ମଧ୍ୟ ଠିକ ହୋଇସାରିଛି । ଅନଲାଇନ ପାଠ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ବୋଲି ଭୁବନେଶ୍ୱର ସ୍ଥିତ ଇଗ୍ନୋ କାର୍ଯ୍ୟାଳୟର ବରିଷ୍ଠ ଆଂଚଳିକ ନିର୍ଦ୍ଦେଶକ ଶ୍ରୀକାନ୍ତ ମହାପାତ୍ର କହିଛନ୍ତି ।

ବାଲୁକା କଳାରେ ରୁଚି ରଖୁଥିବା ପିଲାଙ୍କୁ ଏହା ଦ୍ୱାରା ଗୋଟିଏ ଭଲ ସୁଯୋଗ ମିଳିପାରିବ । ମୁଁ ପାଠ୍ୟକ୍ରମର ସମସ୍ତ ପ୍ରସ୍ତୁତି ସହ ସିଲାବସ ମଧ୍ୟ କରିସାରିଛି କେବଳ ଚୂଡାନ୍ତ ରୂପରେଖ ପାଇଁ ବାକି ରହିଛି । ମୋତେ ଏଥିପାଇଁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିଥିଲା ଏବଂ ୨୦୧୮ ମାର୍ଚରୁ ପାଠପଢା ଆରମ୍ଭ ହେବ ବୋଲି କହିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ବାଲୁକା ଶିଳ୍ପୀ ସୁଦର୍ଶନ ପୁରୀରେ ଏୟାର ଗୋଲଡେନ ସ୍ୟାଣ୍ଡ ଆର୍ଟ ନାଁ ରେ ଏକ ଇନିଷ୍ଟିଚ୍ୟୁଟ ଖୋଲି ପିଲାମାନଙ୍କୁ ଟ୍ରେନିଂ ଦେଉଛନ୍ତି । ତା ସହ ଅନଲାଇନ କୋର୍ସ ଛାତ୍ରଛାତ୍ରୀଙ୍କୁ ଅଧିକ ଜ୍ଞାନ ଦେବାରେ ସାହାଯ୍ୟ ହେବ ବୋଲି ସେ କବିଛନ୍ତି । ବାଲୁକା କଳା ଏପରି ଏକ କୋର୍ସ ଯିଏ ଯେତେ ଅଭ୍ୟାସ କରିବ ସେ ସେତେ ଅଧିକ ଲାଭବାନ ହେବ । ଏବଂ ଭିଡିଓରେ ଟିକିନିଖି ଭାବେ ସମସ୍ତ ପ୍ରୋସିଡ୍ୟୁଓର କୁହାଯାଇଛି । ଫଳରେ ପିଲାମାନେ ଏଥିରୁ ଅଧିକ ମାତ୍ରାରେ ଉପକୃତ ହେବେ ।

କୌଣସି ନୀତିଗତ ପାଠ୍ୟକ୍ରମ ନଥିବାରୁ ଅନେକ କୃତି ଛାତ୍ରଛାତ୍ରୀ ବାଲୁକା କଳା ଶିଖି ବି ପଛରେ ରହିଯାଉଛନ୍ତି । ଏହି କୋର୍ସ ସେହି ଛାତ୍ରଛାତ୍ରୀଙ୍କ ଆଶା ପୂରଣକରିବ ବୋଲି କହିଛନ୍ତି ପଦ୍ମ ପୁରସ୍କାର ବିଜେତା ବାଲୁକା ଶିଳ୍ପୀ ।

ଅନେକ ଘରୋଇ ଅନୁଷ୍ଠାନ ଏହି କୋର୍ସ ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ବି ସେ ଇଗ୍ନୋରେ ଆରମ୍ଭ କରିବାକୁ ଚାହୁଁଥିଲେ । କାରଣ ଏହି ସଂସ୍ଥା ଅନେକ ପିଲାଙ୍କ ପାଖରେ ପହଂଚିପାରିଛି ବୋଲି କହିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳା କୋର୍ସ ପାଇଁ ବିଦେଶରୁ ଅନେକ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।