ସିବିଆଇ ନୋଟିସ୍ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ସଂଜୟ ଦାସ ବର୍ମା

41

ଭୁବନେଶ୍ୱର : ସିବିଆଇର ନୋଟିସ୍ ଏବଂ ଓକିଲ ମାଧ୍ୟମରେ ଜବାବ୍ ଦାଖଲ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସଂଜୟ ଦାସବର୍ମା । ପାଜେରୋ ବିବାଦରେ ଛନ୍ଦି ହୋଇଥିବା ନବୀନଙ୍କ ମନ୍ତ୍ରୀମଣ୍ଡଳର ହେଭିୱେଟ ମନ୍ତ୍ରୀ ସଂଜୟ ଦାସବର୍ମା ଆଜି ନବୀନଙ୍କୁ ଭେଟିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ଆଜି ଅନେକ ସମୟ ଧରି ଆଲୋଚନା କରିଛନ୍ତି ସଂଜୟ ଦାସବର୍ମା । ତାଙ୍କ ସହ ଆଇନ ମନ୍ତ୍ରୀ ଅରୁଣ ସାହୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ନବୀନଙ୍କୁ ସାକ୍ଷାତ କରିଛନ୍ତି । ନବୀନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଏହାକୁ ସୌଜନ୍ୟମୂଳତ ସାକ୍ଷାତକାର ବୋଲି କୁହାଯାଉଥିଲେ ମଧ୍ୟ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ବିଶେଷ କରି ଏଟି ଗ୍ର୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କଠାରୁ ମନ୍ତ୍ରୀ ସଂଜୟ ଦାସବର୍ମା ଏକ ପାଜେରୋ ଗାଡି ନେଇଥିବା ଅଭିଯୋଗ ହେବା ଏବଂ ଏହି ପ୍ରସଙ୍ଗରେ ସିବିଆଇ ତାଙ୍କୁ ସମନ କରିବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି ମନ୍ତ୍ରୀ ସଂଜୟ ଦାସବର୍ମା । ଗତକାଲି ଏନେଇ ବିଜେଡି ତାର ଆଭିମୁଖ୍ୟ ରଖି କହିଥିଲା- ସଂଜୟ ଦାସବର୍ମାକୁ ରାଜନୈତିକ ଆକ୍ରୋସ ରଖି ଏଭଳି ପ୍ରୟାସ କରାଯାଇଛି । ମାତ୍ର ଆଜି ସଂଜୟ ଦାସବର୍ମା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୁଣି ପାଜେରୋ ପ୍ରସଙ୍ଗ ଜୋର ଧରିଛି ।