ବାହୁବଳୀ ବିଧାୟକଙ୍କ ଏୟାର କଣ୍ଡିସନ ଗୁହାଳ

31

କେନ୍ଦୁଝରର ବାହୁବଳି ତଥା ବିତଶାଳୀ ବିଧାୟକ ସନାତନ ମହାକୁଡଙ୍କ ଗୁହାଳରେ ଏସି । ଅଶ୍ଚର୍ଯ୍ୟ ଲାଗିଲେ ବି ସତ । ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ଏସି ଓ କୁଲର ଲାଗିଛି ସନାତନ ମହାକୁଡଙ୍କ ଗୁହାଳ ଘରେ । ଖରା ତାତିରେ  ସିଝୁଛି ସାରା ଓଡିଶା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ତ୍ରାହିତ୍ରାହି ଡାକୁଛନ୍ତି ଲୋକ । ଅନେକଙ୍କ ଭାଗ୍ୟରେ ଫ୍ୟାନଟିଏ ବି ଜୁଟୁନି । ହାତ ବିଂଚଣାକୁ ଭରସା କରି ଝାଳ ମାରିବାକୁ ପଡୁଛି । ହେଲେ ଏହାରି ଭିତରେ ଗୁହାଳରେ ଏସି ଚିତ୍ର ସାମ୍ନାକୁ ଆସିଛି । ଏହି ଦୃଶ୍ୟ ପ୍ରମାଣ କରୁଛି ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ପ୍ରତିପତି । ଏପେଟେ ଚାଲିଛି ବିଧାୟକଙ୍କ ବେଆଇନ ନିର୍ମାଣ ଭଙ୍ଗା । ୫ ଏକର ସରକାରୀ ଜମି ଉପରେ ବିଧାୟକ ବେଆଇନ ଭାବେ ବିଶାଳ ଅଟ୍ଟାଳିକା ଓ ପାଚେରୀ ନିର୍ମାଣ କରିଥିବା ଅଭିଯୋଗ ହେବା ପରେ ଆଜି ଏହା ଉପରେ ଚାଲିଛି ପ୍ରଶାସନର ବୁଲଡୋଜର । ଏସବୁ ବେଆଇନ ନିର୍ମାଣ କରିନଥିବା ସଫେଇ ରଖିଛନ୍ତି ବିଧାୟକ ସନାତନ ମହାକୁଡ । କହୁଛନ୍ତି ଏସବୁ ଗାଁ ଲୋକ କରିଛନ୍ତି । ହେଲେ ବିଧାୟକଙ୍କ ଗୁହାଳର ଏ ଚିତ୍ର କହୁଛି ଏ ରାଜ୍ୟର କୋଟିକୋଟି ଲୋକଙ୍କ ଅପେକ୍ଷା, ସନାଙ୍କ ଗୁହାଳର ଗାଈ, ଛେଳି କେତେ ଭାଗ୍ୟବାନ । ଗୁହାଳରେ ଯଦି ଗୃହପାଳିତ ପଶୁଙ୍କ ପାଇଁ ଏସି, କୁଲର ତାହେଲେ ବିଧାୟକ ସନାତନଙ୍କ ଡ୍ରଇଂ ରୁମ ଓ ବେଡ ରୁମର ଚାକଚକ୍ୟ କେମିତି ଥିବ ତାହା ଅନୁମାନ କରିବା ନିଶ୍ଚିତ ମୁସ୍କିଲ ।