ସନା ଘରେ ଥାନା: ଅଡୁଆରେ ଥାନା ବାଲା

31

କେନ୍ଦୁଝର: ସନା ଘରେ ଥାନା । କନକ ନ୍ୟୁଜ୍ରେ ଏହି ରୋଚକ ଖବର ପ୍ରସାରଣ ହେବା ପରେ ପୁଲିସ୍ କମିଶନର ୱାଇ.ବି ଖୁରାନିଆ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ପୁଅ ପଙ୍କଜର ବୟାନ ରେକର୍ଡ ପାଇଁ ଭୁବନେଶ୍ୱରରୁ କେନ୍ଦୁଝର କାହିଁକି ଗଲା ପୁଲିସ୍ ସେ ନେଇ ତଦନ୍ତ ହେବ । ବାହୁବଳୀ ବିଧାୟକ ସନା ମହାକୁଡଙ୍କ ବୋହୂ ବୋଲି ଦାବି କରିଥିବା କବିତା ମହାକୁଡଙ୍କ ଏତଲାକୁ ଭିତି କରି ପୁଲିସ୍ ପଙ୍କଜଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍ ଜାରି କରିଥିଲା । ତେବେ ପଙ୍କଜ ନ ଆସିବାରୁ ପୁଲିସ୍ ପହଂଚିଲା ତାଙ୍କ ଘରେ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା, କବିତାଙ୍କ ଅଭିଯୋଗରେ ଫୋକସ୍ରେ ଥିଲେ ବିଧାୟକ ସନା ମହାକୁଡ ଓ ତାଙ୍କ ଜ୍ୱାଇଁ । ହେଲେ ପୁଲିସ କିନ୍ତୁ ପାୱାରଫୁଲ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ସୁଦ୍ଧା ସାହାସ ଜୁଟାଇ ପାରିନି । ଅନ୍ୟପକ୍ଷରେ କେମିତି ଓ କେଉଁ ପରସ୍ଥିତିରେ ବୟାନ ରେକର୍ଡ ପାଇଁ ମହିଳା ଥାନା ଅଧିକାରୀ ବିଜୟିନୀ ମଲ୍ଲ ରାଜଧାନୀ ଠାରୁ ୩ ସହ କିଲୋମିଟର ଦୂର କେନ୍ଦୁଝରର ବାମେବାରୀ ଗଲେ , ସେନେଇ ପ୍ରଶ୍ନ ଉଠିଛି । ସୂଚନା ଅନୁସାରେ ତଦନ୍ତକାରୀ ଅଧିକାରୀଙ୍କୁ ବୟାନ ରେକର୍ଡର ଦାୟିତ୍ୱ ଦେଇଥିଲେ ଏଏସ୍ପି ଅସିମ୍ ପଣ୍ଡା । ତେଣୁ ଏ ଦୁହିଁଙ୍କ କାର୍ଯ୍ୟକଳାପ ଏବେ ସନେ୍ଦହ ଜନକ ।

ଅନ୍ୟପଟେ ନୋଟିସ ପାଇବାର ୧୪ ଦିନ ଭିତରେ ଯେକୌଣସି ବ୍ୟକ୍ତି ଥାନାରେ ହାଜର ହେବାର ନିୟମ ରହିଛି । ଯଦି ସଂପୃକ୍ତ ବ୍ୟକ୍ତି ଏହାକୁ ବେଖାତିର କରନ୍ତି, ତେବେ ପୁଲିସ୍ ପୁଣି ଏକ ସମନ୍ ଜାରି କରିବ । କିନ୍ତୁ ଏଠି ଖୋଲାଖୋଲି ଭାବେ ନିୟମକୁ ଆଖି ଠାର କରାଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏଠି ବାହୁବଳୀଙ୍କ ପାଇଁ କମିସନରେଟ୍ ପୁଲିସ୍ ତିଆରି କରିଛି ନୂଆ ନିୟମ ।