ବାହୁବଳୀ ନେତାଙ୍କ ଘରେ ଚଢିବ ବୁଲଡୋଜର

23

ଭାଙ୍ଗିବ ବାହୁବଳୀ ବିଧାୟକଙ୍କ ଘର । ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଘରେ ଚାଲିବ ବୁଲଡୋଜର । ଉଚ୍ଛେଦ ହେବ ବିଧାୟକଙ୍କ କବଜାରେ ଥିବା ସରକାରୀ ଜମି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ଆସନ୍ତା ୨୨ତାରିଖରେ ଉଚ୍ଛେଦ କରିବା ପାଇଁ ପ୍ରସ୍ତୁତି କରିଛି ପ୍ରଶାସନ । ଏଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ଆଜି ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବିଧାୟକ ସନାତନ ଜଣେ ପ୍ରଭାବଶାଳୀ ଏବଂ ବିତଶାଳୀ ଲୋକପ୍ରତିନଧି ହୋଇଥିବାରୁ କାଳେ ତାଙ୍କର ସମର୍ଥକ ମାନଙ୍କ ଦ୍ୱାରା କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ତାହା ଉପରେ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି । ଏହାବାଦ ଏହି ଜବରଦଖଲ ଜମି ଉପରେ ସନାତନ ବିରାଟକାୟ ଅଟ୍ଟାଳିକା ଏବଂ ପାହାଡ ସଦୃଶ ପାଚେରୀ ନିର୍ମାଣ କରିଥିବାରୁ ଏହାକୁ ଭାଙ୍ଗିବା ପାଇଁ ଆବଶ୍ୟକୀୟ ସଂରଜାମ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ସୁପ୍ରିମକୋର୍ଟର ନିଦେ୍ର୍ଦଶ ପରେ ଜବରଦଖଲ ଉଚ୍ଛେଦ ବହୁ ବିଳମ୍ବ ହୋଇଥିବାରୁ ମାନ୍ୟବର ହାଇକୋର୍ଟ ଏନେଇ ପ୍ରଶାସନକୁ ତାଗିଦ କରିବାପରେ ଜିଲ୍ଲାପାଳଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଗତ ୮ତାରିଖ ଏକ ସତ୍ୟପାଠ ମାଧ୍ୟମରେ ୧ମାସ ସମୟ ନେଇଛନ୍ତି । ତେଣୁ ୨୨ତାରିଖ ନିର୍ଦ୍ଧାରିତ ହୋଇଥିବା ଏହି ଉଚ୍ଛେଦ ପ୍ରକିୟାକୁ ଯେକୌଣସି ଭାବେ ଶେଷ କରିବାକୁ ପ୍ରଶାସନ ଚେଷ୍ଠା ଚଳାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ ପକ୍ଷରୁ ୨୫ପ୍ଲାଟୁନ ଫୋର୍ସ ନିୟୋଜନ କରାଯିବବୋଲି ଜଣାପଡିଛି ।