ଟିଭି ଡିବେଟରେ ସୀମା ଡେଇଁଲା ବ୍ୟକ୍ତିଗତ ଆକ୍ଷେପ ! ସୋନିଆଙ୍କ ମାଆ ଓ ରାହୁଲଙ୍କ କୁକୁରକୁ ନେଇ କଟାକ୍ଷ କଲେ ସମ୍ବିତ ପାତ୍ର ।

560

କନକ ବ୍ୟୁରୋ : ସୀମା ଟପିଲା ଟିଭିରେ ଲାଇଭ୍ ଡିବେଟ୍ । କଂଗ୍ରେସ ନେତାଙ୍କୁ ରାହୁଲ ଗାନ୍ଧିଙ୍କ ପୋଷା କୁକୁର ବୋଲି ସମ୍ବୋଧନ କଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଏପରିକି ସୋନିଆ ଗାନ୍ଧିଙ୍କ ଇଟାଲୀୟ ମାଆଙ୍କୁ ବି ଇଙ୍ଗିତ କରିଛନ୍ତି ସମ୍ବିତ । ଯାହାକୁ ନେଇ ଏବେ ବିଜେପି ମୁଖପାତ୍ରଙ୍କ ବ୍ୟାନ୍ ଦାବି ଜୋର ଧରିଛି । ସେପଟେ ଲାଇଭ୍ ଡିସକସନ ବେଳେ ଏଭଳି ଅପ୍ରିତିକର ପରିସ୍ଥିତି ପାଇଁ କ୍ଷମା ମାଗିଛନ୍ତି ଉପସ୍ଥାପକ ରାଜଦୀପ ସରଦେଶାଇ ।

ଟିଭି ପରଦାରେ ସୀମାପାର ଡିବେଟ୍ । ନେତାଙ୍କ ଭାଷା ପାଇଁ କ୍ଷମା ମାଗିଲେ ଉପସ୍ଥାପକ । ଟେଲିଭିଜନ ପରଦାରେ ଗରମାଗରମ ଆଲୋଚନା ସବୁ ସୀମା ଟପିଗଲା । ଯେତେବେଳେ ଅତିଥିଙ୍କ ତୁଣ୍ଡ ନିୟନ୍ତ୍ରଣ ହରାଇଲା ଏବଂ ଆକ୍ଷେପ ନେଲା ଅପଶବ୍ଦର ରୂପ । ଅତିଥିଙ୍କ ମଧ୍ୟରେ ହୋଇଥିବା ହଟ୍ ଡିସକସନରୁ ବଡ ବିବାଦ ସୃଷ୍ଟି ହୋଇଥିବା ବେଳେ କ୍ଷମା ମାଗିଛନ୍ତି ଉପସ୍ଥାପକ । ଜଣାଶୁଣା ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ଟ୍ୱିଟ୍ କରି ସମସ୍ତ ଦର୍ଶକଙ୍କଠାରୁ କ୍ଷମାପ୍ରାର୍ଥନା କରିଛନ୍ତି । ଆଲୋଚନାରେ ଯେଉଁଭଳି ଭାଷା ବ୍ୟବହାର କରାଗଲା ସେଥିପାଇଁ ଦୁଃଖ ପ୍ରକାଶ କରିବା ସହ, ଜଣେ ଉପସ୍ଥାପକ ଭାବେ ସେ ଏହାକୁ ନିୟନ୍ତ୍ରଣ କରିବାରେ ଅସଫଳ ହୋଇଥିଲେ ବୋଲି ଟ୍ୱିଟ୍ କରିଛନ୍ତି ରାଜଦୀପ ।

ତୁତୁ ମେମେରୁ ବଡ ବିବାଦ । ଟିଭି ଆଲୋଚନାରୁ ସମ୍ବିତ ପାତ୍ରଙ୍କ ବ୍ୟାନ୍ ଦାବି । ଶୁକ୍ରବାର ରାତିରେ ହୋଇଥିବା ହଟ୍ ଡିସକସନରେ ଗୋଟିଏ ପାଖରେ ଥିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏବଂ ଅନ୍ୟପାଖରେ କଂଗ୍ରେସ ନେତା ପୱନ ଖେରା । ସୋ ପରିଚାଳନା କରୁଥିଲେ ସାମ୍ବାଦିକ ରାଜଦୀପ ସରଦେଶାଇ । ଆଲୋଚନା ବେଳେ ପୱନ ଖେରାଙ୍କୁ ରାହୁଲ ଗାନ୍ଧୀଙ୍କ ପୋଷା କୁକୁର ପିଡି ବୋଲି ସମ୍ବୋଧନ କରିଥିଲେ ସମ୍ବିତ ପାତ୍ର । ଏବଂ ପିଡି ଭଳି ଉଚ୍ଚ ସ୍ୱରରେ ନକହିବାକୁ ଆକ୍ଷେପ କରିଥିଲେ । ଆଲୋଚନା ସୀମା ଟପିଯାଇଥିଲା ଯେତେବେଳେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ସୋନିଆ ଗାନ୍ଧିଙ୍କ ମାଆଙ୍କୁ ଟାଣିଥିଲେ ସମ୍ବିତ ।

ଆଲୋଚନା ବେଳେ ସମ୍ବିତ ପ୍ରଶ୍ନ କରିଥିଲେ ଯେ, ସୋନିଆ ଗାନ୍ଧିଙ୍କ ଇଟାଲୀୟ ମାଆ ଆଂଟୋନିଅ ମାଇନୋ କଣ ରାମ ମନ୍ଦିର ନିର୍ମାଣ କରିବେ? ଆଲୋଚନା ବେଳେ ସମ୍ବିତ ପାତ୍ରଙ୍କ ଏଭଳି ଅଶୋଭନୀୟ ଶବ୍ଦ ପାଇଁ ତାଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି କଂଗ୍ରେସ । କଂଗ୍ରେସ ନେତା ସଂଜୟ ଝା ସମ୍ବିତ ପାତ୍ରଙ୍କୁ ଟ୍ୱିଟ୍ କରି କହିଛନ୍ତି, ସେମାନେ ଆମକୁ କୁକୁର କହୁଛନ୍ତି । ତେବେ ସେମାନେ ସାପ । ଆମେ ମଣିଷର ଭଲ ବନ୍ଧୁ ଏବଂ ସେମାନେ ବିଷଧର । ଏହାରି ଭିତରେ ସମ୍ବିତ ପାତ୍ରଙ୍କୁ ଟିଭି ଆଲୋଚନାରୁ ବାଦ୍ ଦେବାକୁ ବିଭିନ୍ନ ସଂଗଠନ ଏବଂ ସାମାଜିକ କର୍ମୀ ଦାବି କରିଛନ୍ତି ।