ପିନାକୀଙ୍କ ଖୋଲା ବିତର୍କ ଆହ୍ୱାନର ଜବାବ ରଖିଲେ ସମ୍ୱିତ । କହିଲେ ସଂସଦରେ ତର୍କ ବିତର୍କ ପାଇଁ ମୌକା ମିଳିଥିବା ବେଳେ ପାଟି ଖୋଲିନଥିଲେ ପିନାକୀ

337

କନକ ବ୍ୟୁରୋ: ପୁରୀରେ ଜୋରଦାର ହେଉଛି ଲଢେଇ । ବିଜେଡିର ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ରଙ୍କୁ କଡା ଟକ୍କର ଦେଉଛନ୍ତି ବିଜେପିର ଦିଲ୍ଲୀ ଚେହେରା ସମ୍ବିତ ପାତ୍ର । ଦୁଇ ନେତା ନିଜ ନିଜ ସପକ୍ଷରେ ନିର୍ବାଚନୀ କ୍ୟାମ୍ପେନକୁ ଜୋରଦାର କରିଥିବା ବେଳେ ପରସ୍ୱର ବିରୋଧରେ ଜାରି ରଖିଛନ୍ତି ଆକ୍ଷେପ ପ୍ରତି ଆକ୍ଷେପ ।

ଜାତୀୟ ଟିଭି ଚ୍ୟାନେଲରେ ବିଜେପିର ପ୍ରତିନିଧିତ୍ୱ କରୁଥିବା ସମ୍ବିତ ପାତ୍ରଙ୍କୁ କଟାକ୍ଷ କରିଥିଲେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର । କଡା ଟିପଣୀ କରି କହିଥିଲେ, ଜାତୀୟ ଟିଭି ଚ୍ୟାନେଲରେ ଡିବେଟ କରନ୍ତି ସମ୍ବିତ । ଯେଉଁଠି ଆଙ୍କର ମାନଙ୍କୁ କହିବାକୁ ସୁଯୋଗ ମିଳେନାହିଁ । ଏଥିସହ ତାଙ୍କୁ ଖୋଲା ଡିବେଟ କରିବାକୁ ଚ୍ୟାଲେଂଜ ଦେଇଥିଲେ ପିନାକୀ ।

Interview With BJP National Spokesperson Sambit Patra Ahead Of Executive Meet

ଏହାର ଜବାବ ରଖିଛନ୍ତି ସମ୍ବିତ । ପ୍ରତିକ୍ରିୟାରେ କହିଛନ୍ତି, ସଂସଦରେ ତର୍କ ବିତର୍କ ପାଇଁ ମୌକା ମିଳିଥିବା ବେଳେ ସେଠାରେ ପାଟି ଖୋଲିନଥିଲେ ପିନାକୀ । ଏବେ ନିର୍ବାଚନ ଆସିଥିବାରୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେବାର ମାନେ କିଛି ନାହିଁ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ । ସମ୍ବିତ ଆହୁରୀ ମଧ୍ୟ କହିଛନ୍ତି , ପିନାକୀବାବୁ ପାର୍ଲାମେଂଟରେ କାହିଁକି ମୁଁହା ମୁହିଁ ହେଲେ ନାହିଁ, ଯେତେବେଳେ ପାର୍ଲାମେଂଟରେ ପୁରୀ ବିଷୟକୁ ପ୍ରତିସ୍ଥାପିତ କରିଥାନ୍ତେ, ସେଠି ଡିବେଟ୍ କରିଥାନ୍ତେ , ତର୍କ ବିତର୍କ କରିଥାନ୍ତେ ହେଲେ ସେଠି ସେ ପଦୁଟିଏ ବି କିଛି କହିଲେ ନାହିଁ ଆଉ ଏଠି ଆସି କହୁଛନ୍ତି କି ମୁଁ ଡିବେଟ୍ କରିବି ତେବେ ଏଥିରେ କିଛି ଫାଇଦା ମିଳିବନି ବୋଲି କହିଛନ୍ତି ସମ୍ବିତ ପାତ୍ର ।


ପିନାକୀ ମିଶ୍ର ବନାମ ସମ୍ବିତ ପାତ୍ର । ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ । ସେପଟେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର, ଜଣେ ଡାକ୍ତର ଓ ଦଳର ଚର୍ଚ୍ଚିତ ଟିଭି ଚେହେରା । ପ୍ରତ୍ୟେକ ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମରେ ଦଳର ଆଭିମୁଖ୍ୟ ରଖିଥାନ୍ତି ସମ୍ବିତ । ଭଲ ବକ୍ତା ଭାବେ ମଧ୍ୟ ରହିଛି ତାଙ୍କର ଖ୍ୟାତି । ଉଭୟ ପିନାକୀ ଓ ସମ୍ବିତ ନିଜ ନିଜ ଶୈଳୀରେ ଆରମ୍ଭ କରି ଦେଇଛନ୍ତି ଜୋରଦାର ପ୍ରଚାର ।