ନିର୍ବାଚନରେ ଦାମୋଦର ରାଉତଙ୍କ ପରାଜୟ : ପୁଅ ସମ୍ବିତ ରାଉତରାୟ କହିଲେ, ବିଜେଡି ହାତ ଯିଏ ଛାଡିବ, ଲୋକେ ତାକୁ ଛାଡିବେ

538

କନକ ବ୍ୟୁରୋ : ମହାଯୁଦ୍ଧର ଫଳାଫଳ ଆସିଯାଇଛି । ଆଉ ଓଡ଼ିଶାରେ ମୋଦି ନୁହେଁ ଦେଖିବାକୁ ମିଳିଛି ନବୀନ ମ୍ୟାଜିକ୍ । ୨୦୧୯ ଓଡ଼ିଶା ନିର୍ବାଚନ ଫଳାଫଳ ସମଗ୍ର ଦେଶକୁ ଚମକାଇ ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟ ରାଜନୀତିରେ ଦବଦବା ରଖୁଥିବା କିଛି ନେତା ଚଳିତ ନିର୍ବାଚନରେ ପରାଜିତ ହୋଇଛନ୍ତି । ଆଉ ସେହି ହେବିୱେଟଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ବାଲିକୁଦା-ଏରସମାରୁ ବିଜେପି ଟିକେଟରେ ଲଢିଥିବା ଦାମୋଦର ରାଉତ ହାରି ଯାଇଛନ୍ତି ।

ତେବେ ବାପା କାହିଁକି ହାରିଲେ ବୋଲି ଏନେଇ ପାରାଦ୍ୱୀପର ବିଜୟୀ ପ୍ରାର୍ଥୀ ତଥା ପୁଅ ସମ୍ବିତ ରାଉତରାୟଙ୍କୁ ପ୍ରଶ୍ନ କରାଯାଇଥିଲା । ଆଉ ସେ ଉତ୍ତରରେ କହିଥିଲେ, ବିଜୁ ଜନତା ଦଳ ହାତ ଯିଏ ଛାଡିବ ଲୋକେ ତାକୁ ଛାଡିଦେବେ । ରାଜ୍ୟବାସୀ ନବୀନ ବାବୁଙ୍କ କର୍ତ୍ତବ୍ୟପରାୟଣତାକୁ ଭଲରେ ଜାଣନ୍ତି । ରାଜ୍ୟ ପାଇଁ ଅନେକ କିଛି କରିଛନ୍ତି ନବୀନ ବାବୁ । ରାଜ୍ୟରେ ବିଜୁ ଜନତା ଦଳର ସମକକ୍ଷ ଦଳ ନାହିଁ । ଏବେ ନୁହେଁ ଆହୁରି ଅନେକ ବର୍ଷ ରାଜ୍ କରିବ ଏହି ଦଳ । ଲୋକଙ୍କ ସେବା କରିବା ସହ ଲୋକଙ୍କ ମନ କିଣିବାରେ ସଫଳ ହୋଇଛି ଦଳ । ସୂଚନାଯୋଗ୍ୟ ଟିକେଟ ବଂଟନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମୋଦର ରାଉତ । ପରେ ସେ ବିଜେପିରେ ଯୋଗ ଦେଇଥିଲେ । ବାଲିକୁଦା-ଏରସମା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଦାମୋଦର ରାଉତ ।

ଅନ୍ୟପଟେ ଜିତିବାର ଶ୍ରେୟ ନିର୍ବାଚନ ମଣ୍ଡଳୀରେ ସମସ୍ତ ଜନସାଧାରଣଙ୍କ ଦେବା ସହ ସର୍ବୋପରି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସମ୍ବିତ ରାଉତରାୟ । ଦାମ ବାବୁଙ୍କୁ ନୁହେଁ ବାପାମା’ଙ୍କୁ ମଧ୍ୟ ସଫଳତାର ଶ୍ରେୟ ଦେଇଛନ୍ତି ସମ୍ବିତ । ପରୋକ୍ଷରେ ହେଉ ପଛେ ଦାମ ବାବୁଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ମନ୍ତ୍ରୀପଦ ପାଇଁ ଲାଳସା ନାହିଁ, ଯେଉଁ ସ୍ଥାନରେ ରହିଛି ସନ୍ତୁଷ୍ଟ ରହିଛି ବୋଲି କହିଛନ୍ତି । ହେଲେ ଭବିଷ୍ୟତରେ ସୁଯୋଗ ମିଳିଲେ ନିଶ୍ଚୟ କର୍ତ୍ତବ୍ୟ କରିବେ ଓ ସେ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ବେକାରୀ ସମସ୍ୟା ଉପରେ ଆଗାମୀ ସମୟରେ ଧ୍ୟାନ ଦେବେ ବୋଲି କହିଛନ୍ତି ।

ଏହାସହ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସମ୍ବିତ୍ । ଓଡ଼ିଶାର ଜନସାଧାରଣଙ୍କ ମନ ଭିତରେ କେବଳ ନବୀନ ପଟ୍ଟନାୟକଙ୍କ ଛବି ରହିଛି । ସାରା ଭାରତବର୍ଷରେ ମୋଦି ଲେହେର ଥିବାବେଳେ ଓଡ଼ିଶାରେ ତା’ର କିଛି ପ୍ରଭାବ ପଡ଼ିନି । ନବୀନ ପଟ୍ଟନାୟକ ନେତୃତ୍ୱରେ ରାଜ୍ୟରେ ବିଜେଡ଼ର ଏକତରଫା ବିଜୟ ହୋଇଛି ।