ସାରା ରାଜ୍ୟକୁ କଳଙ୍କିତ କଲା ସମ୍ବଲପୁରର ‘ଅତ୍ୟାଚାର’ ଭିଡିଓ ! ଦୁଇ ଯୁବତୀଙ୍କୁ ଉଲଗ୍ନ କରି ମାଡ ମାରିଲେ ଦୁର୍ବୃତ୍ତ

127

କନକ ବ୍ୟୁରୋ : ସମ୍ବଲପୁରରେ ଘଟିଛି ବାରିପଦା ଘଟଣାର ପୁନରାବୃତ୍ତିି । ଅତି ନିଲ୍ଲଜ ଭାବରେ ଦୁଇ ଜଣ ଯୁବତୀଙ୍କୁ ଉଲଗ୍ନ କରି, ଦିଆଯାଇଛି ଅକଥନୀୟ ଅତ୍ୟାଚାର । ଯୁବତୀଙ୍କ ଅସହାୟତାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଟପି ଯାଇଛନ୍ତି ମାନବିକତାର ସବୁ ସୀମା । ଅତି ନିର୍ମମ ଭାବରେ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ବାଡ଼ିରେ ମାଡ଼ ମାରୁଥିବାର ଚିତ୍ର ସାମ୍ନାକୁ ଆସିଛି । ୩ଜଣ ଅତ୍ୟାଚାରୀଙ୍କର ଏହି ଘଟଣା ଏହି ଭିଡିଓ ବୟାନ କରିଛି । ଅତ୍ୟାଚାରୀ-୧ – ଅଶ୍ଲିଳ ଏବଂ ଅପଶବ୍ଦ ଭିତରେ ତାଲିବାନୀ ନିର୍ଯାତନା । ଯେଉଁ ଚିତ୍ର, ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରି ଦେଉଛି । ଯୁବତୀଙ୍କୁ ବାଡ଼ିରେ ଅତି ନିର୍ମମ ଭାବରେ ମାରି ଚାଲିଛି ଅତ୍ୟାଚାରୀ । ମାନବିକତାର ସବୁ ସୀମା ଟପି ଯାଇଥିଲେ ବି ଟିକିଏ ବି କୁଣ୍ଠାବୋଧ କରୁନି, ବରଂ ଓଲଟା ମାରି ଚାଲିଛି ।

ଅତ୍ୟାଚାରୀ-୨- ସାଙ୍ଗରେ ଥିବା ଅତ୍ୟାଚାରୀ ବି ଏହି ପୁରା ପ୍ରକିୟାରେ ବରାବର ସାଥ୍ ଦେଉଛି । ଏମିତିକି ଉତ୍ସାହିତ କରିବାକୁ ଯାଇ ଯୁବତୀଙ୍କ ଅସହାୟତାର ଫାଇଦା ନେବାକୁ ପଛାଉ ନାହିଁ ।

ଅତ୍ୟାଚାରୀ-୩-ଯିଏ ପଛରେ ରହି ପୁରା ଘଟଣାକୁ ମନୋରଂଜନ କରିବା ସହ ମୋବାଇଲ କ୍ୟାମେରାରେ କଏଦ କରିବାରେ ଲାଗିଛି । ଆଉ କୌଣସି ଉପାୟ ନପାଇ ମୁଣ୍ଡପାତି ସହି ଯାଉଛନ୍ତି ଯୁବତୀ ।

ନିର୍ଦ୍ଦିଷ୍ଟ ଭାବରେ ଭିଡିଓଟି କେଉଁ ଜାଗାର ଜଣାପଡୁନଥିଲେ ବି ସମ୍ବଲପୁରୀ ଭାଷାରେ କଥା ହେଉଥିବାରୁ ସମ୍ବଲପୁର ଅଂଚଳର ବୋଲି ଅନୁମାନ କରାଯାଉଛି । ଆଉ ଏହି ଘଟଣା ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଶାରେ ମହିଳା ଅସଦାଚରଣର ଭିଡିଓ, ଅହେତୁକ ଭାବରେ ବୃଦ୍ଧି ପାଉଛି । ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ରଖିଥିବା ଉତ୍ତର କହୁଛି-ଗତ ୩ ବର୍ଷରେ ଏଭଳି ୧୭୫ଟି ଭିଡିଓ ଭାଇରାଲ ହୋଇଛି । ୨୦୧୫ରେ ୪୨ଟି, ୨୦୧୬ରେ ୧୦ଟି ଏବଂ ୨୦୧୭ରେ ଏହାର ସଂଖ୍ୟା ପହଂଚିଛି ୯୩ରେ ।

ଗତ ନଭେମ୍ବର ମାସରେ ଭାଇରଲ ଭିଡିଓ ନେଇ ଆଡଭାଇଜରି ଜାରି କରିଥିଲା ରାଜ୍ୟ ପୋଲିସ୍ । ଯେଉଁଥିରେ ସବୁ ଜିଲ୍ଲାର ଏସପିଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇ କୁହାଯାଇଥିଲା, ଆପତ୍ତିଜନକ ଭିଡିଓ ଭାଇରାଲ୍ କରିବା ବେଆଇନ । ଭାଇରାଲ ଭିଡିଓ ପାଇଁ ୫ରୁ ୭ ବର୍ଷ ଯାଏଁ ଜେଲ ଦଣ୍ଡାଦେଶ ହୋଇପାରେ । ନିକଟରେ ଭୁବନେଶ୍ୱରରେ ଥିବା ଫରେନସିକ୍ ଲାବରୋଟୋରୀଙ୍କୁ ଆଧୁନିକିକରଣ କରାଯାଇ ଉଦଘାଟନ କରାଯାଇଥିଲା । ଯାହାର ମୂଳ ଉଦ୍ଦେଶ୍ୟ ଥିଲା ସାଇବର ଅପରାଧ ଉପରେ ଅଙ୍କୁଶ ଲଗାଯିବ । କିନ୍ତୁ ସ୍ଥିତିରେ କୌଣସି ପରିବର୍ତନ ଆସିଲା ଭଳି ମନେ ହେଉନି । ଏସବୁ ଭିତରେ ଆମ ଅନୁରୋଧ ରହିବ । କୌଣସି ଆପତ୍ତିଜନକ ଭିଡିଓକୁ ପୋଷ୍ଟ କିମ୍ବା ସେୟାର କରନ୍ତୁ ନାହିଁ । ବେଆଇନ କାର୍ଯ୍ୟକୁ ଅନ୍ତତଃ ନିଜେ ପ୍ରୋତ୍ସାହନ ଦିଅନ୍ତୁ ନାହିଁ । ଆପତ୍ତିଜନକ ଭିଡିଓ ସଂପର୍କରେ ସୂଚନା ପାଇଲେ ପୁଲିସକୁ ଖବର ଦିଅନ୍ତୁ ।