ଓଡିଶାରେ କଳଙ୍କ ! ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଭିଡିଓ କଲେ ଦୁର୍ବୃତ୍ତ । ସମ୍ବଲପୁରରେ ଭାଇରାଲ ଭିଡିଓକୁ ନେଇ ଥାନାରେ ଅଭିଯୋଗ

32

କନକ ବ୍ୟୁରୋ : ଓଡିଶାରେ କଳଙ୍କ । ସମ୍ବଲପୁରରେ ବାରିପଦା ଘଟଣାର ପୁନରାବୃତି । ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଭିଡିଓ କଲେ ଦୁର୍ବୃତ୍ତ । ସମ୍ବଲପୁରରେ ଭାଇରାଲ ଭିଡିଓକୁ ନେଇ ଥାନାରେ ଅଭିଯୋଗ । ଏ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଭିଡଓରେ ବାଡି ଧରି ଦୁଇ ଜଣ ମହିଳାଙ୍କୁ ଧମକ ଦିଆଯାଉଥିବା ଦେଖିବାକୁ ମିଳିଛି ।

ଭିଡିଓରେ ଦୁଇ ଜଣ ମହିଳା ଉଲଗ୍ନ ହେବାର ଦୃଶ୍ୟ ରହିଥିବା ବେଳେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ଆଘାତ କରିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, ଏହା ଏକ ଲୋମହର୍ଷଣକାରୀ ଘଟଣା । ନାରୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ । ଏ ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ।

ତେବେ ସଂବଲପୁର ଏସପି ସଂଜୀବ ଆରୋରା କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭାଇରାଲ ଭିଡିଓ ଘଟଣାକୁ ସମ୍ବଲପୁର ପୋଲିସ ଗୁରୁରତ ସହ ନେଇଛି । ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ବାରିପଦା ଉପକଣ୍ଠରେ ଥିବା ଏକ କଲେଜରେ ଯୁକ୍ତ ୩ରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଫଟୋ ଓ ଭିଡିଓ ଏବେ ଭାଇରାଲ ହୋଇଥିଲା । ଯୁବତୀ ଜଣକ ତାଙ୍କ ପୁଅ ସାଙ୍ଗରେ ମିଶି ଉଠାଇଥିବା ଏହି ଭିଡିଓ ନେଇ ଯୁବତୀଙ୍କ ବାପା ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଉ ଏହି ଘଟଣାରେ ଶମ୍ଭୁ ବୋଷ ନାମକ ଜଣେ ଯୁବକକୁ ଗିରଫ କରିଥିଲା ପୁଲିସ୍ । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଯୁବକ ଜଣକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ସଂପର୍କ ସ୍ଥାପନ କରିଥିଲେ । ପରେ କୌଣସି କାରଣରୁ ସଂପର୍କରେ ଫାଟ ଦେଖାଦେଇଥିଲା । ଏହି ଘଟଣା ପରେ ବି ବିବାହ ପାଇଁ ବାଧ୍ୟ କରି ଆସୁଥିଲା ଏହି ଯୁବକ ।

ଏମିତିକି କଥାରେ ରାଜି ନହେଲେ ସେହି ଦୁର୍ବଳ ମୁହୁର୍ତ୍ତର ଚିତ୍ର ଭାଇରାଲ କରିଦେବ ବୋଲି ଧମକ ଦେଇ ଆସୁଥିଲା । ଆଉ ଶେଷରେ ଏହି ଭିଡିଓ ଭାଇରାଲ ହେବା ପରେ ଯୁବତୀଙ୍କ ବାପା ଟାଉନ ଥାନରେ ଏତଲା ଦାୟର କରିଥିଲେ । ଏହି ଘଟଣାରେ ପୁଲିସ ଆଇପିସିର ଥାରେ ୫୦୦, ୫୦୯, ୬୬ଡି ଏବଂ ଆଇଟି ଆକ୍ସ ଲଗାଇ ମାମଲାର ତଦନ୍ତ ଆରମ୍ଭ କରିଥିଲା ।

ବାରିପଦା ଭଳି କେନ୍ଦୁଝରରେ ମଧ୍ୟ ଘଟିଥିଲା ଏକ ଅନୁରୁପ ଘଟଣା । କିଛି ଅସାମାଜିକ ଯୁବକ, ଜଣେ ମହିଳାଙ୍କୁ ଉଲଗ୍ନ କରି ଭିଡିଓ ସୁଟ୍ କରିବା ସହ ତାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବାର ଏକ ସାଂଘାତିକ୍ ଖବର ସାମ୍ନାକୁ ଆସିଥିଲା । ସ୍ଥାନୀୟ ଅଂଚଳର ଏକ ଜଙ୍ଗଲରେ ମହିଳାଙ୍କୁ ଏକୁଟିଆ ପାଇ ଧମକଚମକ୍ ଦେଇ ଏହି ଭିଡିଓ ସୁଟ୍ କରାଯାଇଥିବାର ଅନୁମାନ କରୁଛି । ରାଜ୍ୟ ପୁଲିସ ନିର୍ଦ୍ଦେଶକ ଏହି ଘଟଣାର ତୁରନ୍ତ ତଦନ୍ତ କରି ଅପରାଧିଙ୍କୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।