ଆତ୍ମହତ୍ୟା କଲେ ସମ୍ବଲପୁର ପୀଡିତା ! ମାନସିକ ଚାପରେ ବେକରେ ରଶି ଲଗାଇ ହାରିଦେଲେ ଜୀବନ

36

କନକ ବ୍ୟୁରୋ : ଆତ୍ମହତ୍ୟା କଲେ ସମ୍ବଲପୁରର ଦୁଷ୍କର୍ମ ପୀଡିତା । ମାନସିକ ଚାପ ଯୋଗୁଁ ଗତକାଲି ନାବାଳିକା ଜଣକ ଆତ୍ମହତ୍ୟା କରିଛନ୍ତି । ଘରେ କେହି ନଥିବା ବେଳେ ବେକରେ ରଶି ଲଗାଇ ପୀଡିତା ଜୀବନ ହାରି ଦେଇଛନ୍ତି । ଲୋକଲଜ୍ଜା ସହିନପାରି ସଂପୃକ୍ତ ନାବାଳିକା ଆତ୍ମହତ୍ୟା କରିଥିବା କୁହାଯାଉଛି । ଗତ ୩ ତାରିଖରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିଲା ।

ନବମ ଶ୍ରେଣୀର ଛାତ୍ରୀ ବଜାରରୁ ଫେରୁଥିବାବେଳେ ଦୁଷ୍କର୍ମ ହୋଇଥିଲା । ଏହି ମାମଲାରେ ନାବାଳକ ସମେତ ୬ ଜଣ ନାବାଳିକାକୁ ବିଭିନ୍ନ ସ୍ଥାନକୁ ନେଇ ଦୁଇ ଦିନ ଧରି ଦୁଷ୍କର୍ମ କରିଥିଲେ । ଏନେଇ ଶାସନ ଥାନାରେ ମାମଲା ରୁଜୁ ହୋଇଥିଲା । ପରେ ପୋଲିସ, ନାବାଳକ ସମେତ ୬ଜଣଙ୍କୁ ଗିରଫ କରିଥିଲା । ମାମଲା ଫାଷ୍ଟଟ୍ରାକ କୋର୍ଟରେ ଚାଲିଥିଲା । ଏପରିକି ପୋଲିସ ଚାର୍ଜସିଟ୍ ବି ଦାଖଲ କରିସାରିଥିବା ବେଳେ ପୀଡିତା ଜଣକ ଆତ୍ମହତ୍ୟା କରିଛନ୍ତି ।

ଏ ସଂକ୍ରାନ୍ତରେ ଏସପି ସଂଜୀବ ଅରୋରା କହିଛନ୍ତି ଯେ, ପୀଡ଼ିତା ଜଣକ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ମାମଲାର ୧୫ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ମାମଲାର ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ପାଇଁ ଜିଲ୍ଲା ବିଚାର ବିଭାଗକୁ ମଧ୍ୟ ନିବେଦନ କରାଯାଇଥିଲା । ଏଥିସହିତ ପୀଡ଼ିତାଙ୍କୁ ଆର୍ଥିକ ସହାୟତା ଯୋଗାଇବା ନିମନ୍ତେ ପୀଡ଼ିତା କ୍ଷତିପୂରଣ ଯୋଜନା ୨୦୧୨ ଅନୁଯାୟୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି ।

ସ୍ଥାନୀୟ ଅଞ୍ଚଳର କିଛି ଲୋକ ଅଭିଯୋଗ କରିଛନ୍ତି ଯେ ଗଣଦୁଷ୍କର୍ମର ପୀଡ଼ିତା ନାବାଳିକାଙ୍କ ଜୀବନ ପ୍ରତି ସବୁବେଳେ ବିପଦ ଥିଲେ ମଧ୍ୟ ତାଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିଲା । ତେବେ, ଏହି ଅଭିଯୋଗକୁ ଏସପି ଶ୍ରୀ ଆରୋରା ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ‘ ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ଥିବାର କୌଣସି ସୂଚନା ମିଳିନଥିଲା । ଏମିତିକି ତାଙ୍କ ସୁରକ୍ଷା ପାଇଁ ତାଙ୍କ ପରିବାର ପକ୍ଷରୁ ମଧ୍ୟ କିଛି କୁହାଯାଇନଥିଲା । ସେପରି ହୋଇଥିଲେ ନିଶ୍ଚିତ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଥାଆନ୍ତା । ଏମିତିକି ନିଜେ ପୀଡ଼ିତା ବି କୌଣସି ପ୍ରକାର ମାନସିକ ଚାପରେ ଥିବା ଭଳି ଲାଗୁ ନଥିଲେ ଓ ତଦନ୍ତରେ ସହଯୋଗ କରୁଥିଲେ ।’