ଅନଲାଇନରେ ସମ୍ବଲପୁରୀ ଲୋକ ସଂସ୍କୃତିର ପ୍ରଚାର । ଟି-ସାର୍ଟ ଠାରୁ ଆରମ୍ଭ କରି ତକିଆ କଭର ଓ ମୋବାଇଲ କଭରରେ ଦେଖିବାକୁ ମିଳୁଛି ସମ୍ବଲପୁରୀ ଲୋକ କଳାର ଝଲକ

64

କନକ ବ୍ୟୁରୋ : ସମ୍ବଲପୁର କଳା ସଂସ୍କୃତି ବେଶ ପ୍ରସିଦ୍ଧି ଲାଭ କରିଥିବା ବେଳେ ସେହି ସମ୍ବଲପୁରୀ କପଡାର ଡିଜାଇନ ଓ ବିଭିନ୍ନ ସଂସ୍କୃତିକୁ ନେଇ ଅନଲାଇନ ମାଧ୍ୟମରେ ଚାଲିଛି କାରବାର । ସମ୍ବଲପୁରୀ କପଡାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରାଯାଉଛି । ଏହାସହ ମୋବାଇଲ କଭରରେ ମଧ୍ୟ ସମ୍ବଲପୁରୀ କପଡାର ଝଲକ ବ୍ୟବସାୟକୁ ଦ୍ୱିଗୁଣିତ କରିଛି ।

ସମ୍ବଲପୁର ମୋଦିପଡା ଅଂଚଳର ଅମିତ କର । ସମ୍ବଲପୁରୀ କଳା ସଂସ୍କୃତି ଓ କପଡାକୁ ନ୍ୟୁ ଲୁକ୍ ଦେଇଛନ୍ତି ଅମିତ୍ । ସମ୍ବଲପୁରୀ କପଡାରେ ତକିଆ କଭର, ଟି-ସାର୍ଟ ଓ ବିଭିନ୍ନ ଘରକରଣା ଜିନିଷ ତିଆରି କରିବା ସହ କମ୍ପୁଟର ମାଉସ୍ ପ୍ୟାଡ୍ ମଧ୍ୟ ତିଆରି କରାଯାଉଛି । ମୋବାଇଲ କଭରରେ ସମ୍ବଲପୁରୀ ବାନ୍ଧ କଳାର ଝଲକ ଦେଖିବାକୁ ମିଳୁଛି । କେବଳ ସମ୍ବଲପୁରୀ କପଡା ନୁହେଁ, ସମ୍ବଲପୁରର ଐତିହାସିକ ସ୍ଥଳୀ, ଦର୍ଶନୀୟ ସ୍ଥାନକୁ ବି ବିଭିନ୍ନ ସାମଗ୍ରୀରେ ସ୍ଥାନ ଦେଇଛନ୍ତି ଅମିତ୍ । ଅମିତଙ୍କ ଏହି କାରବାରରେ ସ୍ତ୍ରୀ ଓ ତାଙ୍କର ଜଣେ ବନ୍ଧୁ ସାହାର୍ଯ୍ୟ କରୁଛନ୍ତି ।

ହ୍ୱାଟ୍ସଆପ୍ ଗ୍ରୁପ୍ ଓ ଟେଲିଫୋନ କଲ୍ ମାଧ୍ୟମରେ ଏହି କାରବାର କରାଯାଉଥିବା ବେଳେ ଆଗକୁ କିପରି ସମ୍ବଲପୁରୀ କପଡାରେ ଅଧିକ ଜିନିଷ ତିଆରି ଓ ବିକ୍ରୀ କରାଯାଇ ପାରିବ ତାକୁ ଲକ୍ଷ୍ୟ ରଖିଛନ୍ତି ଅମିତ । ସମ୍ବଲପୁରୀ କଳାରେ ଘର କରଣା ଜିନିଷର ଦାୟିତ୍ୱ ନେଇଛନ୍ତି ଅମିତଙ୍କ ସ୍ତ୍ରୀ । ଘରକୁ କିପରି ସମ୍ବଲପୁରୀ ଲୁକ୍ ଦିଆଯାଇ ପାରିବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି । ଆଗାମୀ ଦିନରେ ସମ୍ବଲପୁରୀ କପଡାର ଚାହିଦା ଅଧିକରୁ ଅଧିକ ବିକ୍ରୀ ହେବା ସହ ସମ୍ବଲପୁରୀ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ ବୋଲି ଆଶା ରଖିଛନ୍ତି ଅମିତ୍ ।