ସାଧାରଣ ସ୍କୁଲର ଅସାଧାରଣ ଶିକ୍ଷକ : ବିନା ସରକାରୀ ସହାୟତାରେ ସ୍କୁଲରେ କରିଛନ୍ତି କିଚେନ୍ ଗାର୍ଡେନ ଓ ସୁନ୍ଦର ଫୁଲ ଉଦ୍ୟାନ

46

କନକ ବ୍ୟୁରୋ : ସାଧାରଣ ସ୍କୁଲ ଅସାଧାରଣ ଶିକ୍ଷକ । ଭଙ୍ଗା ଦଦରା ସ୍କୁଲ ଘରେ ପିଲାଙ୍କ ଭବିଷ୍ୟତ ଗଢିବା ସହ ସୁସ୍ଥ ପରିବେଶ ସୃଷ୍ଟି କରିବାରେ ଶିକ୍ଷକଙ୍କ ଅବଦାନ ବେଶ ଗୁରୁତ୍ୱ ପୂର୍ଣ୍ଣ । ମାତ୍ର ୭ ଡେସିମିଲ ଜାଗା ଉପରେ ଠିଆ ହୋଇଥିବା ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉଦ୍ୟମରେ କରାଯାଇଛି କିଚେନ ଗାର୍ଡେନ, ସୁନ୍ଦର ଫୁଲ ବଗିଚା ଓ ଲାଇବ୍ରେରୀ । ସୁବର୍ଣ୍ଣପୁରରୁ ସାମ୍ନାକୁ ଆସିଛି ସାଧାରଣ ସ୍କୁଲର ଅସାଧାରଣ ଶିକ୍ଷକଙ୍କ କାହାଣୀ ।

ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁ ବାଧାବିଘ୍ନ । ଭିତ୍ତଭୂମି ନାହିଁ କି ସରକାରୀ ସହାୟତା ବି ନାହିଁ । ତଥାପି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ସ୍କୁଲରେ ଏକ ସୁନ୍ଦର ବାତାବରଣ ସୃଷ୍ଟି କରାଯାଇ ପାରିଛି । ଶ୍ରେଣୀ ଗୃହ ଅଭାବ ସତ୍ୱେ ସ୍କୁଲରେ ପାଠପଢା ସାଙ୍ଗକୁ ମଧ୍ୟାହ୍ନ ଭୋଜନ ଉପରେ ଗୁରୁତ୍ୱ ଦେଉଛନ୍ତି ସୁବର୍ଣ୍ଣପୁର ସାଗରପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ।

ସାଗରପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରହିଛି ଏକ କିଚେନ ଗାର୍ଡେନ । ଅମୃତଭଣ୍ଡା ଗଛ ସାଙ୍ଗକୁ କଦଳୀ, ବାଇଗଣ, ଟମାଟୋ, କଲରା ଅଦି ବିଭିନ୍ନ ପନିପରିବା ଗଛରେ ସବୁଜ ସୁନ୍ଦର ଦିଶୁଛି ବିଦ୍ୟାଳୟ ପରିସର । ତା ସାଙ୍ଗକୁ ସୁନ୍ଦର ଫୁଲ ଉଦ୍ୟାନ । କେବଳ ଏତିକି ନୁହେଁ ଛାତ୍ରଛାତ୍ରୀମାନେ ନିଜସ୍ୱ ଉଦ୍ୟମରେ ଏକ ଲାଇବ୍ରେରୀଟିଏ ମଧ୍ୟ କରିଛନ୍ତି । ସ୍କୁଲର ଖେଳ ପଡିଆ ନଥାଇ ମଧ୍ୟ ଏଠାରେ ପଢିଥିବା ପିଲା କ୍ରୀଡା କ୍ଷେତ୍ରରେ ମଧ୍ୟ ବେଶ ସଫଳତା ହାସଲ କରିଛନ୍ତି ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୨୭୬ ଜଣ ଛାତ୍ରଛାତ୍ରୀ ଏହି ସ୍କୁଲରେ ପାଠ ପଢନ୍ତି । ମାତ୍ର ୭ ଡେସିମିଲ ଜାଗାରେ ଠିଆ ହୋଇଥିବା ବିଦ୍ୟାଳୟର ୫ଟି ଶ୍ରେଣୀଗୃହ ରହିଛି । ଫଳରେ ଗୋଟିଏ ଘରେ ଖୁନ୍ଦାଖୁନ୍ଦି ହୋଇ ବସନ୍ତି ପିଲା । ସ୍କୁଲରେ ନା ଅଛି ଶୌଚାଳୟ ନା ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ରୋଷେଇ ଘର । ସେପଟେ ସ୍କୁଲରେ ଭିତ୍ତଭୂମି ଅଭାବ ଅଭିଯୋଗକୁ ସ୍ୱୀକାର କରିଛନ୍ତି ଉଭୟ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳ ।

କିଛି ନଥାଇ ମଧ୍ୟ ନିଜସ୍ୱ ଉଦ୍ୟମରେ ବିଦ୍ୟାଳୟରେ ଏକ ସୁନ୍ଦର ପରିବେଶ ସୃଷ୍ଟି କରି ଆସାଧାରଣ ପାଲଟି ଯାଇଛନ୍ତି ଏହି ସାଧାରଣ ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀ ।