ସମ୍ବଲପୁରରେ ସ୍ଥିତି ଅସ୍ପଷ୍ଟ : ଚତୁର ଭୋଟିଂ ବିଗାଡ଼ିପାରେ ସମୀକରଣ;୪ ବିଧାନସଭା ଆସନ ଜିତୁଥିବା ଦଳ ହିଁ ଜିତିପାରେ ଲୋକସଭା ଆସନ

361

କନକ ବ୍ୟୁରୋ: ୨୦୦୪ ମସିହାରୁ ଓଡ଼ିଶା ବିଧାନସଭା ନିର୍ବାଚନ ଲୋକସଭା ନିର୍ବାଚନ ସହ ଏକା ସାଙ୍ଗରେ ହୋଇ ଆସୁଛି। ଏଥର ମଧ୍ୟ ଉଭୟ ନିର୍ବାଚନ ଏକାଠି ହେବ। ବୁଥରେ ଦୁଇଟି ଭୋଟିଂ ମେସିନ ପାଖାପାଖି ରହିବ। ଭୋଟରମାନେ ଗୋଟିଏରେ ବଟନ ଦବାଇ ଲୋକସଭା ପ୍ରାର୍ଥୀ ବାଛିବେ ଓ ଅନ୍ୟଟିରେ ବିଧାନସଭା ପ୍ରାର୍ଥୀ। ଏହିଭଳି ନିର୍ବାଚନରେ ଚତୁର ମତଦାନ (ଟାକଟିକାଲ ଭୋଟିଂ)ର ସୁଯୋଗ ଥାଏ। ଅର୍ଥାତ ବିଧାନସଭା ପାଇଁ ଗୋଟିଏ ଦଳ ଓ ଲୋକସଭା ପାଇଁ ଅନ୍ୟ ଦଳର ପ୍ରାର୍ଥୀ ବାଛିବାର ସୁଯୋଗ ରହିଥାଏ। ପୂର୍ବରୁ ୨୦୧୪ ପର‌୍ୟ୍ୟନ୍ତ ନିର୍ବାଚନ ଗୁଡ଼ିକର ବିଶ୍ଲେଷଣ କଲେ ଏଭଳି ଭୋଟିଂ ପ୍ରାୟତଃ ଦେଖିବାକୁ ମିଳିନଥିଲା। ମାତ୍ର ୨୦୧୪ରେ ସମ୍ବଲପୁର ଲୋକସଭା ଅନ୍ତର୍ଗତ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଭଳି ଚତୁର ମତଦାନ ହୋଇଥିଲା। ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ନିଜ ନିକଟତମ ବିଜେପି ପ୍ରାର୍ଥୀଙ୍କୁ ପ୍ରାୟ ୧୦ ହଜାର ଭୋଟରେ ହରାଇ ନିର୍ବାଚିତ ହୋଇଥିଲାବେଳେ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କଠାରୁ ପ୍ରାୟ ୧୫ ହଜାର ଅଧିକ ଭୋଟ ପାଇଥିଲେ।

୧୪ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୫ଟିରେ ବିଜେଡି ଓ ୨ଟିରେ ବିଜେପି ବିଧାୟକ ଜିତିଥିଲେ। ବିଜେଡି ଜିତିଥିବା ୫ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ସମ୍ବଲପୁରକୁ ବାଦ ଦେଇ ଅନ୍ୟ ୪ଟିରେ ବିଜେଡିର ଲୋକସଭା ପ୍ରାର୍ଥୀ ମଧ୍ୟ ଅଧିକ ଭୋଟ ପାଇଥିଲେ। ଅପରପକ୍ଷରେ ବିଜେପି ଜିତିଥିବା ୨ଟି ବିଧାନସଭା ଓ ସମ୍ବଲପୁର ବିଧାନସଭା କ୍ଷେତ୍ରକୁ ମିଶାଇ ୩ଟିରେ ବିଜେପି ଲୋକସଭା ପ୍ରାର୍ଥୀ ଆଗୁଆ ରହିଥିଲେ। ବିଜେପିର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ୩ଟି ଆସନ ଛେଣ୍ଡିପଦା, ଆଠମଲ୍ଲିକ ଓ ରେଢ଼ାଖୋଲରେ କଂଗ୍ରେସ ପଛକୁ ତୃତୀୟ ସ୍ଥାନରେ ରହିଥିଲେ। କେବଳ ରେଂଗାଲି ନିର୍ବାଚନମଣ୍ଡଳୀରେ ଉଭୟ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ କମ୍ ଭୋଟ ବ୍ୟବଧାନ ରହିଥିଲା। ବିଧାନସଭାରେ ବିଜେଡି ପ୍ରାର୍ଥୀ ୧୮୩୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲାବେଳେ ଲୋକସଭାରେ ବିଜେଡି-ବିଜେପି ମଧ୍ୟରେ ଅନ୍ତର ଥିଲା ମାତ୍ର ୭୭୧ ଖଣ୍ଡ ଭୋଟ।

ତେବେ ଚଳିତ ନିର୍ବାଚନରେ ଚତୁର ଭୋଟିଂ ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ସମ୍ବଲପୁର ସହରାଞ୍ଚଳ ବ୍ୟତୀତ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀ ଗୁଡ଼ିକରେ ମଧ୍ୟ ଲୋକେ ଲୋକସଭା ଓ ବିଧାନସଭା ପାଇଁ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇ ପାରନ୍ତି ବୋଲି ସୂଚନା ମିଳୁଛି। ଏହାଛଡ଼ା ଚଳିତବର୍ଷ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଧିକାଂଶ ଆସନରେ ସ୍ଥିତି ଅସ୍ପଷ୍ଟ ରହିଛି। କୌଣସି ଆସନରେ ଏକ ନିର୍ଦ୍ଦିଷ୍ଟ ଦଳ ଜିତିବ ବୋଲି ଏଯାଏଁ ସ୍ପଷ୍ଟ ଚିତ୍ର ମିଳି ପାରି ନାହିଁ।

ସମ୍ବଲପୁର ଲୋକସଭା ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ଦୁଇ ବିଧାନସଭା ଆସନ ଆଠମଲ୍ଲିକ ଓ ଛେଣ୍ଡିପଦାରେ ପୂର୍ବରୁ ବିଜେପିର ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିଲାବେଳେ ଏଥିରେ କିଛିଟା ଉନ୍ନତି ଆସିଛି। ମାତ୍ର ବିଜେଡିର ଦବଦବା ରହିଛି। ଏଭଳି ସ୍ଥିତିରେ ଲୋକସଭା ଓ ବିଧାନସଭା ପାଇଁ ଲୋକେ ଭିନ୍ନଭିନ୍ନ ପ୍ରାର୍ଥୀଙ୍କୁ ଭୋଟ ଦେଲେ ଦଳ ଗୁଡ଼ିକର ଗଣିତ ଗଡ଼ବଡ଼ ହୋଇ ଯାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେବେ ଆଉ କିଛି ବିଶେଷଜ୍ଞଙ୍କ ମତରେ ଆମ ଭୋଟରଙ୍କ ମଧ୍ୟରୁ ଅଧିକାଂଶ ଏବେ ବି ସେତେଟା ସଚେତନ ନୁହନ୍ତି। ୧୦% ଭୋଟର ପ୍ରାର୍ଥୀଙ୍କୁ, ୪୦% ଦଳକୁ ଓ ୫୦% ଭୋଟର ଏବେ ବି ଚିହ୍ନକୁ ଦେଖି ଭୋଟ ଦେଉଛନ୍ତି। ତେଣୁ ଏଥର ବି ଯେତେ ପରିମାଣର ଚତୁର ଭୋଟିଂ ହେବ ତାହା ଲୋକସଭା ଫଳାଫଳ ବଦଳାଇବାକୁ ଯଥେଷ୍ଟ ହେବ ନାହିଁ ବୋଲି ସେମାନେ କହନ୍ତି। ଏହା ହେଲେ ୭ ମଧ୍ୟରୁ ଯେଉଁ ଦଳ ୪ ବା ଅଧିକ ବିଧାନସଭା ଆସନ ଜିତିବ ସେହି ଦଳ ହିଁ ଲୋକସଭା ଆସନ ଜିତିବ ବୋଲି କୁହାଯାଉଛି।