ଅନୁଗୁଳରୁ ନିଖୋଜ ସମ୍ବଲପୁରର ମହିଳାଙ୍କ ମିଳିଲା ପତ୍ତା । ମହିଳା ଜଣକ ତାଙ୍କ ସଂପର୍କୀୟ ଘରେ ଥିବା ନେଇ ସୂଚନା ଦେଲେ ତାଳଚେର ଜିଆଇଜି

46

କନକ ବ୍ୟୁରୋ: ଅନୁଗୁଳରୁ ନିଖୋଜ ସମ୍ବଲପୁରର ମହିଳାଙ୍କ ମିଳିଲା ପତା । ଜଗତସିଂହପୁର ଅଂଚଳରେ ପୋଲିସ ତାଙ୍କୁ ଠାବ କରିଛି । ମହିଳା ଜଣକ ତାଙ୍କ ସଂପର୍କୀୟ ଘରେ ଥିବା କହିଛନ୍ତି ତାଳଚେର ଜିଆଇଜି ନରସିଂହ ଭୋଳ । ତେବେ ସ୍ୱାମୀଙ୍କ ସହ କାରରେ ଯାଉଥିବା ସ୍ତ୍ରୀ, ମଝି ରାସ୍ତାରୁ ଗାଏବ ହୋଇଯିବା ଘଟଣା ଯେତିକି ରହସ୍ୟମୟ ସେତିକି ସମ୍ବେଦନଶୀଳ । କାରଣ ରାତି ଅଧରେ ଏକୁଟିଆ ମହିଳାଙ୍କ ସହ କିଛି ବି ଅଘଟଣ ଘଟିଥାଇପାରେ । ତିନିଦିନ ହେଲାଣି ମହିଳାଙ୍କ ପତା ମିଳିନଥିବବେଳେ ତାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା । ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖିଛି । ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବା ସ୍ୱୀକାର ବି କରିଛନ୍ତି ବୋଲି ଏକ ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି ।

କେମିତି ହୋଇଥିଲେ ନିଖୋଜ

ତାରିଖ- ୩ ମେ’ ୨୦୧୮ । ସମୟ- ରାତି ପ୍ରାୟ ୧୦ଟା । ସ୍ଥାନ- ଅନୁଗୁଳ ଜିଲ୍ଲା ନାକଚି । ସ୍ୱାମୀ ଓ ଝିଅ ସହ ସମ୍ବଲପୁରରୁ କାରରେ କଟକ ଅଭିମୁଖେ ଆସୁଥିବା ସ୍ତ୍ରୀ ଅନୁଗୁଳ ନାକଚି ନିକଟରେ ପରିସ୍ରା କରିବାକୁ ଓହ୍ଲାଇଥିଲେ । ହେଲେ ଶୌଚ ହେବାପାଇଁ କାରରୁ ପାଣି ବୋତଲ ନେବାକୁ ଭୁଲି ଯାଇଥିବାରୁ ପୁଣି କାର ନିକଟକୁ ଆସି ପାଣି ବୋତଲ ନେବା ସହ କାରଡୋର ପକାଇଲେ । କାରଡୋର ପଡିବା ଶୁଣି ସ୍ତ୍ରୀ କାର ଭିତରେ ବସିଯାଇଥିବା ମନେକରି କାର ଚଳାଇଥିଲେ ସ୍ୱାମୀ ହେଲେ ସେହିଠାରେ ରହିଯାଇଥିଲେ ସ୍ତ୍ରୀ । ଆଗକୁ ବଢିଚାଲିଥିବା ସ୍ୱାମୀ ବଇଣ୍ଡା ଛକରେ ସ୍ତ୍ରୀ ପଛ ସିଟରେ ନଥିବା ଅନୁଭବ କଲାବେଳକୁ ଢେର ପଛରେ ରହିଯାଇଥିଲେ ସ୍ତ୍ରୀ । ତେଣୁ ନାକଚି ଆଡକୁ ଫେରିଥିଲେ ସ୍ୱାମୀ ଓ ଝିଅ । ହେଲେ ଛାଡିଯାଇଥିବା ସ୍ଥାନରେ ପହଂଚିଲା ବେଳକୁ ସେଠାରେ ଆଉ ସ୍ତ୍ରୀଙ୍କୁ ପାଇନଥିଲେ ।

ଅନେକ ଖୋଜାଖୋଜି ପରେ ସ୍ତ୍ରୀଙ୍କୁ ନପାଇବାରୁ ନାକଚିରେ ଲୋକଙ୍କୁ ପଚରାଉଚରା କରିଥିଲେ । କିଛି ସମୟ ତଳେ ଜଣେ ମହିଳା ଏକୁଟିଆ ବୁଲୁଥିଲେ ହେଲେ କୁଆଡେ ଗଲେ ସେନେଇ କେହିକିଛି ସୂଚନା ଦେଇପାରି ନଥିଲେ । ବ୍ୟତିବସ୍ତ ହୋଇ ନାକଚିରୁ ବଇଣ୍ଡା ମଧ୍ୟରେ ବରମ୍ବାର ଖୋଜିଥିଲେ ସ୍ୱାମୀ । ଶେଷରେ ନିରାଶ ହୋଇ ପରଦିନ ଅର୍ଥାତ ଶୁକ୍ରବାର ହଣ୍ଡପା ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ । ମିଳିଥିବା ସୂଚନା ଅନୁସାରେ ପୋଲିସ ସ୍ଥାନୀୟ ଅଂଚଳରେ ପଚରାଉଚରା କରି ୪ଜଣଙ୍କୁ ଥାନାକୁ ଉଠାଇ ଆଣିଥିଲା । ଏବଂ ସଂପୃକ୍ତ ମହିଳାଙ୍କ ସହ ସେମାନେ ଦୁଷ୍କର୍ମ କରିଥିବା ସ୍ୱୀକାର କରିଛନ୍ତି ।