ପଦାରେ ପଡିଲା ସମ୍ବଲପୁର ଜେଲର ଗୁମର : ଜେଲରୁ ଅପରାଧ ଷଡଯନ୍ତ୍ର କରୁଛନ୍ତି ଅପରାଧୀ

19

ସମ୍ବଲପୁର : ସମ୍ବଲପୁର ଜେଲରେ ରହି ଅପରାଧ ଷଡଯନ୍ତ୍ର କରୁଛନ୍ତି ଅପରାଧୀ । ଏଭଳି ଏକ ଚାଂଚଲ୍ୟକର ଖୁଲାସା କରିଛି ସମ୍ବଲପୁର ପୁଲିସ । କେବଳ ଏତିକି ନୁହେଁ ଏଥିପାଇଁ ସୁପାରି ମଧ୍ୟ ଦିଆନିଆ ହେଉଛି । ସମ୍ବଲପୁର ଜେଲ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ସାହୁଙ୍କୁ ଆକ୍ରମଣ ଘଟଣାର ତଦନ୍ତ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି । ଏହି ଘଟଣାରେ ରିରଫ ହୋଇଥିବା ଅଭିଯୁକ୍ତ ଜେଲ ଭିତରର ଗୁମର ପଦାରେ ପକାଇଛି ।

ବ୍ରହ୍ମାନନ୍ଦ ସାହୁଙ୍କୁ ଆକ୍ରମଣ ପାଇଁ ଜେଲ ଭିତରେ ଥାଇ ଅପରାଧିମାନେ କିଛି ମାସ ତଳେ ଯୋଜନା କରିଥିବା ଜଣାପଡ଼ିଛି । ଆକ୍ରମଣର ମାଷ୍ଟର ମାଇଣ୍ଡ ଅଜୟ ଗିରଫ ହେବା ପରେ ସବୁ ସତ ଉଗାଳିଛି । ଆକ୍ରମଣ ପାଇଁ ଅଜୟଙ୍କୁ ଜେଲ ଭିତରୁ ନିର୍ଦ୍ଦେଶ ଆସିଥିଲା । ଏହାସହ ଏଥିପାଇଁ ତାକୁ ସୁପାରୀ ମଧ୍ୟ ଦିଆଯାଇଥିବା ଜଣାପଡ଼ିଛି । କୁଖ୍ୟାତ ଅପରାଧୀ କମଳେଶ ଏବଂ ସୁଜିତ ଜେଲ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ପୁଲିସଙ୍କୁ ଜଣାଇଛି ଅଜୟ । ଶ୍ରୀ ସାହୁଙ୍କ ଆକ୍ରମଣ ଘଟଣାରେ ପୁଲିସ ଏବେ ସୁଦ୍ଧା ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ସମ୍ବଲପୁର ପୁଲିସ ତନାଘନା ଚଳାଇଛି ।