ଆପେ ବଂଚିଲେ ବାପର ନାଁ…ନିଜ ସୁରକ୍ଷା ପାଇଁ ନିଜେ ଅଂଟା ଭିଡ଼ିଲେ ବ୍ୟବସାୟୀ । ନିଜ ନିଜ ଭିତରେ ଚାନ୍ଦା କରି ସହରରେ ଲଗାଇଲେ ସିସିଟିଭି

726

କନକ ବ୍ୟୁରୋ: କଥାରେ ଅଛି ‘ଆପେ ବଂଚିଲେ ବାପର ନାଁ’ । ଏହାକୁ ଅନୁସରଣ କରିଛନ୍ତି ସମ୍ବଲପୁର ସହରର ବୁଢାରଜା ଅଂଚଳର ଦୋକାନୀ ମାନେ । ନିଜ ସୁରକ୍ଷା ପାଇଁ ନିଜ ଭିତରେ ଚାନ୍ଦା କରି କରି ନିଜେ ଲଗାଇଛନ୍ତି ସିସିଟିଭି ।

ସିସିଟିଭି ନଜରରେ ରହିବ ସହର । ନିଜ ସୁରକ୍ଷା ପାଇଁ ନିଜେ ଅଂଟା ଭିଡ଼ିଲେ ବ୍ୟବସାୟୀ । ଦିନ ଦ୍ୱିପହରେ ଚୋରୀ , ଲୁଟତରାଜ୍, ଛୁରାମାଡ, ଗୁଣ୍ଡାଗର୍ଦ୍ଦି ଓ ଦାଦାବଟିରେ ଅତିଷ୍ଠ ହୋଇଗଲେଣି ସମ୍ବଲପୁର ସହର ବୁଢାରଜା ଫାଟକ ଅଂଚଳର ଦୋକାନୀ । ସହରର ସୁରକ୍ଷା ପାଇଁ ପୁଲିସକୁ ଜଣାଇଲେ ବି କିଛି ଲାଭ ନାହିଁ । ତେଣୁ ନିଜ ସରୁକ୍ଷା ପାଇଁ ଆଗକୁ ଆସିଲେ ବ୍ୟବସାୟୀ । ନିଜ ନିଜ ଭିତରେ ଚାନ୍ଦା କରି ସହରରେ ୧୪ ଟି ସିସିଟିଭି ଲଗାଇଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ଗୋଟିଏ ଉଦାହରଣ ତିଆରି ହୋଇଛି ।

ଏହାକୁ ସମ୍ବଲପୁର ଏସପି ଡକ୍ଟର କନୱର ବିଶାଲ ସିଂ ଉଦଘାଟନ କରିବା ସହ ବ୍ୟବସାୟୀଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି । ସେପଟେ ଏହି ସିସିଟିଭି ନାଇଟ ଭିଜନ ହୋଇଥିବାରୁ କ୍ୟାମେରା ନଜରରୁ ଅପରାଧୀ ଖସିପାରିବେନି ବୋଲି କହିଛନ୍ତି ସିସିଟିଭି ଇଂଜିନିୟର । ଏହି ସିସିଟିଭି ଗୁଡିକ ୨ କିଲୋମିଟର ଦୂରର ଦୃଶ୍ୟ କଏଦ କରିବାର କ୍ଷମତା ରଖିଛି । ତେବେ ସବୁ କାମ ପାଇଁ ପ୍ରଶାସନକୁ ଦୋଷ ନଦେଇ ନିଜେ ଚାହିଁଲେ ମଧ୍ୟ ଅନେକ କିଛି ସୁଧୁରି ହେବ । ଯାହାକୁ ପ୍ରମାଣିତ କରିଛନ୍ତି ସମ୍ବଲପୁରର କିଛି ବ୍ୟବସାୟୀ ।